ବାରିପଦା : ମୟୂରଭଞ୍ଜ ଡିଆରଡିଏ ଅଧୀନରେ କାମ କରୁଥିବା ଜିଲ୍ଲା ମିନେରାଲ ପାଣ୍ଠି ଟ୍ରଷ୍ଟର ଏକାଉଣ୍ଟରୁ ୯କୋଟି ୫୬ଲକ୍ଷ ୭୬ହଜାର ଟଙ୍କାର ଏକ ବେଆଇନ କାରବାର ହୋଇଥିବା ଜଣାପଡିଛି । ଲକ୍ଷେ କି ଦୁଇଲକ୍ଷ ନୁହଁ ବରଂ ୯କୋଟିରୁ ଉର୍ଦ୍ଧ୍ୱ ଟଙ୍କା ବେଆଇନ କାରବାର ହୋଇଥିବା ନେଇ ବାରିପଦା ଭଞ୍ଜପୁର ଥାନାରେ ଅଭିଯୋଗ ହୋଇଛି । ବାରିପଦା ବ୍ୟାଙ୍କ ଅଫ ଇଣ୍ଡିଆର ଚିଫ ମେନେଜର ସଂଯୁକ୍ତା କାନୁନଗୋ ଏନେଇ ଥାନାରେ ଅଭିଯୋଗ କରିଛନ୍ତି । ତାଙ୍କ ଲିଖିତ ଅଭିଯୋଗ ଅନୁଯାୟୀ ଗତ ୧୦ ରୁ ୧୮ ତାରିଖ ମଧ୍ୟରେ ବ୍ୟାଙ୍କ ଅଫ ଇଣ୍ଡିଆ ଶାଖାରେ ଚାରୋଟି ଚ୍ୟାକ ର କାରବାର ହୋଇଛି । ଯେଉଁଥିରେ କି ଭିନ୍ନ ଭିନ୍ନ ଦିନରେ ଦୁଇ କୋଟି, ତିନି କୋଟି କରି ସର୍ବମୋଟ ୯କୋଟି ୫୬ଲକ୍ଷ ଟଙ୍କା ବିଭିନ୍ନ କମ୍ପାନୀର ଏକାଉଣ୍ଟକୁ ପଠାଯାଇଛି । ଏହି ସବୁ ଏକାଉଣ୍ଟର ଟ୍ରାନଜେକ୍ସନକୁ ନେଇ ସନେ୍ଦହ ହେବାରୁ ବାରିପଦା ଭଞ୍ଜପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ପିଟି କନ୍ସଟ୍ରାକ୍ସନ ଆଣ୍ଡ ସପ୍ଲାୟର୍ସ, ଏସକେ ଏଣ୍ଟ୍ରରପ୍ରାଇଜେସ ପରି ଅନ୍ୟ ରାଜ୍ୟର କମ୍ପାନିର ଆକାଉଣ୍ଟକୁ ଏହି ସବୁ ଟଙ୍କା ଯାଇଥିବାର ଜଣାପଡିଛି । ତେବେ ଚ୍ୟାକ କେଉଁଠୁ ଆସିଲା ଏବଂ କିଏ ଆଣି ବ୍ୟାଙ୍କରେ ଦେଇଥିଲା ସେନେଇ କୌଣସି ସୂଚନା ନଥିବାବେଳେ ଭଞ୍ଜପୁର ଥାନାରେ ହୋଇଥିବା ଅଭିଯୋଗରେ ଅଜଣା ବ୍ୟକ୍ତି ବୋଲି ଦର୍ଶାଯାଇଛି । ଭଞ୍ଜପୁର ଥାନା ପୋଲିସ ବାରିପଦା ବ୍ୟାଙ୍କ ଅଫ ଇଣ୍ଡିଆ ଶାଖାକୁ ଆସି ଏନେଇ ତଦନ୍ତ କରୁଥିବାବେଳେ ଦଫା ୪୨୦, ୪୬୮, ୪୧୯, ୪୭୧ ଦଫାରେ ମାମଲା ରୁଜୁ କରାଯାଇଥିବା ଜଣାପଡିଛି । ତେବେ ପୋଲିସ ବା ବ୍ୟାଙ୍କ ପକ୍ଷରୁ ଏନେଇ କୌଣସି ପ୍ରତିକ୍ରିୟା ମିଳିପାରି ନଥିବା ବେଳେ ମୟୂରଭଞ୍ଜ ପିଡ଼ି,ଡିଆରଡିଏ କହିଛନ୍ତି ପୋଲିସ ଏନେଇ ତାଙ୍କୁ ଯୋଗାଯୋଗ କରିଥିଲେ । ତେବେ ଅଫିସ ପକ୍ଷରୁ କୌଣସି ଚ୍ୟାକ ଦିଆଯାଇନାହିଁ କି ଅଭିଯୋଗ ହୋଇଥିବା କମ୍ପାନୀ ଗୁଡିକ ସହିତ କୌଣସି ଦେଣ ନେଣ ମଧ୍ୟ କରାଯାଇନାହିଁ । ଯଦି ବ୍ୟାଙ୍କ ଏହି ଟଙ୍କା ଫେରସ୍ତ ନ କରିବ ତେବେ ବାଧ୍ୟ ହୋଇ ବ୍ୟାଙ୍କ ଅଫ ଇଣ୍ଡିଆ ନାମରେ ଥାନାରେ ମାମଲା ରୁଜୁ କରିବୁ ।