ଦଶପଲ୍ଲା : ଚଳିତବର୍ଷ ଦଶପଲ୍ଲା ଲଙ୍କାପୋଡି ଯାତ୍ରା ର ପଞ୍ଚମ ଦିବସ ରେ ଗଣ୍ଡାବଦ୍ଧ ନାଟକ ଅନୁଷ୍ଠିତ ହୋଇ ଯାଇଛି । ଏହି ଗଣ୍ଡା ବଦ୍ଧ ନାଟକ ମୁଖ୍ୟ ମଞ୍ଚ ଠାରୁ ଦୁଇ କିଲୋମିଟର ଦୂର ହାଟ ପଡିଆ ର ଶବର ପଲ୍ଲୀ ଠାରେ ଅନୁଷ୍ଠିତ ହୋଇଥିଲା । ପୌରାଣିକ କଥାବସ୍ତୁ ଅନୁଯାଇ ରାମଚନ୍ଦ୍ର ସୀତା ଙ୍କୁ ବିବାହ କରି ଅଯୋଧ୍ୟା ଫେରିବା ପରେ ରାମଚନ୍ଦ୍ର ଭାଇ ମାନଙ୍କ ସହ ପିତୃଶ୍ରାଦ୍ଧ ଉପଲକ୍ଷେ ଗଣ୍ଡା ଶିକାର ପାଇଁ ବନ ଗମନ କରନ୍ତି । ମାତ୍ର ଜଙ୍ଗଲ ରେ ବାଟ ଭୁଲି ଯାଆନ୍ତି । ଏହି ସମୟ ରେ ଶବର ରାଜା ଗୃହକ ଙ୍କ ସହ ଶ୍ରୀରାମ ଙ୍କ ମିତ୍ରତା ହୁଏ ଓ ପରେ ପରେ ସନ୍ୟ ସାମନ୍ତ ସହ ଶ୍ରୀରାମ ଭାଇ ମାନଙ୍କ ସହ ଅଯୋଧ୍ୟା ନଗର ପ୍ରତ୍ୟାବର୍ତନ କରନ୍ତି । ଏଭଳି ଦୃଶ୍ୟ ବେଶ ଉପଭୋଗ୍ୟ ହୋଇଥିଲା । ଏହି ଗଣ୍ଡା ବଦ୍ଧ ଉତ୍ସବ ଦେଖିବା ପାଇଁ ଦଶପଲ୍ଲା ର ବହୁ ଜନସାଧାରଣ ଓ ରାମଭକ୍ତ ଯୋଗ ଦେଇଥିବା ବେଳେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା, ଏନ ଏ ସି ଅଧ୍ୟକ୍ଷା ଇଂ ପୁନମ ପ୍ରିୟଦର୍ଶିନୀ ପଂଚାୟତ ସମିତି ଅଧ୍ୟକ୍ଷା ସୁନନ୍ଦା ସାହୁ , ବିଜେପି ସାଂସଦ ପ୍ରାର୍ଥୀ ସୁକାନ୍ତ ପାଣିଗ୍ରାହୀ ଓ ଏନ ଏ ସି ର ସମସ୍ତ କାଉନସିଲର ମାନେ ଯୋଗ ଦେଇଥିଲେ । ବିଶେଷ ଭାବେ ଗଣ୍ଡା ବଦ୍ଧ ପାଇଁ ଶ୍ରୀରାମ ଙ୍କ ଗଣ୍ଡା ବଧ ପଟୁଆର ବେଶ ମନ ମୁଗ୍ଧକର ହୋଇଥିଲା । ଏହାସହ ମେଲୋଡି ଓ ଆତସ ବାଜି ରେ ପ୍ରକମ୍ପିତ ହୋଇ ଉଠିଥିଲା ଦଶପଲ୍ଲା ସହର । ପୋଲିସ ପକ୍ଷରୁ ଶାନ୍ତି ଶୃଙ୍ଖଳା ରକ୍ଷା କରାଯାଇଥିଲା ।