Odisha news

ଉଠ ଓଡିଆର ୫ ଦିନିଆ ସଂକଳ୍ପ ଯାତ୍ରାର ସମାପନ : ଓଡ଼ିଶାକୁ ସ୍ବାବଲମ୍ବୀ ଓ ସମୃଦ୍ଧ କରିବା ଲକ୍ଷ୍ୟକୁ ଆହୁରି ତୀବ୍ରତର କରିବାକୁ ସଙ୍କଳ୍ପ

0

ଭୁବନେଶ୍ବର: ଓଡ଼ିଆ ଅସ୍ମିତାକୁ ପୁନଃ ପ୍ରତିଷ୍ଠା ସହ ରାଜ୍ୟକୁ ଏକ ସ୍ବାବଲମ୍ବୀ, ସମୃଦ୍ଧ ଓ ସମ୍ପନ୍ନ ଭାବେ ଗଢି ତୋଳିବା ପାଇଁ ଓଡ଼ିଶା ବାସୀଙ୍କୁ ଜାଗ୍ରତ କରିବାର ଲକ୍ଷ୍ୟ ନେଇ ’ଉଠ ଓଡ଼ିଆ’ ସଙ୍ଗଠନ ପକ୍ଷରୁ ଚାଲୁଥିବା  ୫ ଦିନିଆ ସଂକଳ୍ପ ଯାତ୍ରା ଆଜି ଲୋୟର ପିଏମଜୀ ଠାରେ ସମାପ୍ତ ହୋଇଛି।

ଓଡ଼ିଶାର ସ୍ବାଭିମାନ ଓ ସ୍ବାବଲମ୍ବନ ର ସୁରକ୍ଷା ଓ ସୁଦୃଢୀକରଣ ପାଇଁ ସଂଗଠନ ପକ୍ଷରୁ ନିୟମିତ ରଚନାତ୍ମକ ଏବଂ ଆନ୍ଦୋଳନାତ୍ମକ କାର୍ଯ୍ୟକ୍ରମ ଅବ୍ୟାହତ ରହିବ ବୋଲି ବକ୍ତାମାନେ ଘୋଷଣା କରିଥିଲେ। ଓଡ଼ିଆ ଭାଷାରେ ଓଡ଼ିଶା ଶାସନ ପରିଚାଳନା ଦାବି ସହିତ ଓଡ଼ିଶାର ପ୍ରାକୃତିକ ସଂପଦ ଓଡ଼ିଶାବାସୀଙ୍କର ସାମୂହିକ ବିକାଶ ପାଇଁ ଅଗ୍ରାଧିକାର ଭିତ୍ତିରେ ବିନିଯୋଗ କରିବା ପାଇଁ ମଧ୍ୟ ସଂକଳ୍ପ ପ୍ରକାଶ ପାଇଥିଲା।

ଏହି ଅବସରରେ ଶ୍ରୀ କାହ୍ନୁ  ଚରଣ ବେହୁରା, ସଦସ୍ୟ, ଉଠ ଓଡିଆ କହିଛନ୍ତି ଯେ, “ଓଡ଼ିଆ ଜାତିର ପୁନରୁତ୍ଥାନ ପାଇଁ ପ୍ରତ୍ୟେକ ବର୍ଗର ଲୋକଙ୍କୁ ଏକାଠି ଆସିବାକୁ ହେବ । ରାଜ୍ୟରେ ଶିକ୍ଷା ଓ ସ୍ୱାସ୍ଥ୍ୟ ବ୍ୟବସ୍ଥା ସରକାରୀ ଅବହେଳା ଯୋଗୁଁ ଅତି ରୁଗ୍ଣ ସ୍ତରରେ ପହଞ୍ଚି ଥିବା ବେଳେ, ଗାଁ ଗାଁରେ ବେକାରୀ, ମଦ ଓ ଦାଦନ ସମସ୍ୟା ସାଧାରଣ ଓଡିଆଙ୍କୁ ଆନ୍ଦୋଳିତ କରୁଛି । ଏହି ପଦଯାତ୍ରା ମଧ୍ୟମରେ ଉଠ ଓଡିଆ ଏକ ସାଧାରଣ ଓଡ଼ିଆକୁ ନିଜ ହକ ପାଇଁ ଆଗେଇ ଆସିବାକୁ ଏକ ମଞ୍ଚ ଦେଇଛି । ଆଗାମୀ ଦିନରେ ଓଡିଆ ଅସ୍ମିତାର ଏହି ଲଢେଇ ଆହୁରି ତୀବ୍ର ହେବ ।”

ଆଉ ୧୨ ବର୍ଷ ପରେ ଆମ ଓଡ଼ିଶାକୁ ୧୦୦ ବର୍ଷ ପୁରିବ। ଶହେ ବର୍ଷ ପୁରିବା ବେଳକୁ ଏକ ସମ୍ପନ୍ନ ଓଡ଼ିଶାର ବାସ୍ତବ ରୂପାୟନ ଦେଖିବା ପାଇଁ ଓ ସେଥିପାଇଁ ଯୁବକମାନଙ୍କୁ ଉଠେଇବା ପାଇଁ ପ୍ରୟାସରତ ’ଉଠ ଓଡ଼ିଆ’ ଓ ଏହି ପଦଯାତ୍ରା ଚନ୍ଦନପୁର, ବୀରହରେକୃଷ୍ଣପୂର୍, ସତ୍ୟବାଦୀ, ସୁଆଣ୍ଡୋ, ଗୁଡ଼ିଆପୋଖରି ଓ ଧଉଳି ଆଦି ଦେଇ ପ୍ରାୟ ୧୦୦ କିଲୋମିଟର ଚାଲି ଚାଲି, ବାଟରେ ପଥପ୍ରାନ୍ତ ସଭା ମାଧ୍ୟମରେ ଓଡ଼ିଆଙ୍କୁ ଉଠିବାକୁ ଆହ୍ବାନ ଦେଇ ଭୁବନେଶ୍ୱରରେ ପହଞ୍ଚିଛି।

ପଦଯାତ୍ରା ଶେଷରେ ଭୁବନେଶ୍ବରରେ ହୋଇଥିବା ସାଧାରଣ ସଭାରେ ପଦଯାତ୍ରୀମାନଙ୍କ  ତରଫରୁ ଅଶୋକ ଜେନା, ବନ୍ଦିତା ଦାସ, ଜ୍ଞାନ ରଞ୍ଜନ ଦାସ, ପବିତ୍ର ରାଉତରାଏ ଆଦି ନିଜ ଅଭିଜ୍ଞତା ପ୍ରକାଶ କରିଥିବା ବେଳେ ତାରାକାନ୍ତ ନାୟକ ବୈଠକର ସଂଯୋଜନା କରିଥିଲେ। ପଦଯାତ୍ରୀଙ୍କ ତରଫରୁ ବିଚିତ୍ର ବିଶ୍ଵାଳ ଉଠ ଓଡ଼ିଆର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସ୍ପଷ୍ଟ କରିଥିଲେ। ଉଠ ଓଡ଼ିଆ ଓଡ଼ିଶାର ସ୍ୱାଭିମାନ, ସ୍ଵାବଲମ୍ବନ ଓ ଅସ୍ମିତାକୁ ଫେରାଇ ଆଣିବା ପାଇଁ ଉଭୟ ଲଢ଼ିବା, ଯୋଡିବା ଓ ଗଢ଼ିବା କାମ କରିବ ବୋଲି ସେ କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପଦ୍ମଚରଣ ନାୟକ, ରମାକାନ୍ତ ମଣ୍ଡଳ ଉଠ ଓଡ଼ିଆ ସଂକଳ୍ପ ଯାତ୍ରାକୁ ସମର୍ଥନ କରିବା ସହିତ ପଡ଼ାଯାତ୍ରୀ ମାନଙ୍କ ଉଦ୍ଦେଶ୍ୟରେ ଆଶୀର୍ବଚନ ପ୍ରଦାନ କରିଥିଲେ।

ବୈଠକର ଶେଷରେ ସୌମ୍ୟରଂଜନ ମହାନ୍ତି, ଆସନ୍ତା ୨୦୩୬ରେ ଓଡ଼ିଶାର ଶହେ ବର୍ଷ ପୂର୍ତ୍ତି ଅବସରରେ ଏକ ନୂତନ ତଥା ସ୍ଵାଭିମାନୀ, ସ୍ବାବଲମ୍ବୀ ଓ ସମ୍ପନ୍ନ ଓଡ଼ିଶାର ନିର୍ମାଣ ପାଇଁ ସଂକଳ୍ପ ପାଠ କରିଥିଲେ ଓ ବୈଠକରେ ଉପସ୍ଥିତ ଓଡ଼ିଆମାନେ ମଧ୍ୟ ସଂକଳ୍ପ ନେଇଥିଲେ। ବୈଠକର ଶେଷରେ କାହ୍ନୁ ଚରଣ ବେହୁରା ନୂତନ ଓଡ଼ିଶା ନିର୍ମାଣ ପାଇଁ ଶୁଦ୍ଧ ଓଡ଼ିଆ ପ୍ରାଣଙ୍କୁ ଆହ୍ବାନ କରିବା ସହ ଉଠ ଓଡ଼ିଆର ପ୍ରତ୍ୟେକ କାର୍ଯ୍ୟକ୍ରମରେ ଓଡ଼ିଶାରେ ପ୍ରସ୍ତୁତ ଜିନିଷ ବ୍ୟବହାର ହେବ ବୋଲି ଘୋଷଣା କରିଥିଲେ।

ଏହି ପଦ ଯାତ୍ରାକୁ ଦୁର୍ଗା ପ୍ରସାଦ ଦାସ, ସୁଧାଂଶୁ ମୋହନ ରାଉତ, ପ୍ରସନ୍ନ କୁଅଁର, ପିତାମ୍ବର ଭୂୟାଁ, ଭାରତ ସ୍ୱାଇଁ, ସ୍ନେହଂଶୁ ଜେନା, ଆଶିଷ ମୁଦୁଲି, ପ୍ରଦୀପ ସିଂହ, ଅରୁଣ ପ୍ରଧାନ, ବେଣୁ ସାହୁ, ସଂତୋଷୀ, ରଶ୍ମିତା, ପ୍ରଦୀପ ପଣ୍ଡା, ସୁରେଶ ସ୍ବାଇଁ, ତପନ ପ୍ରଧାନ, ଆଦିତ୍ୟ, ବନ୍ଦିତା, ଇନ୍ଦୁମତୀ ଆଦି ଏହି ପଦଯାତ୍ରାର ନେତୃତ୍ବ ନେଇଥିଲେ।

 

 

Nalco
Leave A Reply