ବାରିପଦା : ଭାରତୀୟ ନିର୍ବାଚନ କମିଶନଙ୍କ ବ୍ୟବସ୍ଥିତ ଭୋଟରଙ୍କ ଶିକ୍ଷା ଏବଂ ନିର୍ବାଚନରେ ଅଂଶଗ୍ରହଣ କାର୍ଯ୍ୟକ୍ରମର ପ୍ରତିଫଳନ ଖୁବ ଉଲ୍ଲେଖନୀୟ ଢଙ୍ଗରେ ମୟୂରଭଞ୍ଜ ଜିଲ୍ଲା ସଦର ମହକୁମା ବାରିପଦା ଠାରେ ଅନୁଷ୍ଠିତ ହେଉଛି । ଯୁବ ଭୋଟର ମାନଙ୍କ ମଧ୍ୟରେ ନିର୍ବାଚନ ବାବଦରେ ସଚେତନତା ଏବଂ ଆଗାମୀ ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ମତଦାନକୁ ନେଇ ତତ୍କ୍ଷଣାତ ସାଧାରଣଜ୍ଞାନ ପରୀକ୍ଷା ବା ଇନ୍ସଟାଣ୍ଟ କୁଇଜ ପ୍ରତିଯୋଗିତା ଅନୁଷ୍ଠିତ ହେଉଛି । ଛୁଟିଦିନିଆ ସନ୍ଧ୍ୟା ସମୟରେ, ପାର୍କ ଠାରେ କିମ୍ବା ନିତ୍ୟ ମନୋରଞ୍ଜନ ସ୍ଥାନ ମାନଙ୍କରେ ଏହି କୁଇଜ ପ୍ରତିଯୋଗିତା ଅନୁଷ୍ଠିତ ହେଉଅଛି । ଜିଲ୍ଲା ପ୍ରଶାସନ ଏବଂ ବାରିପଦା ପୌରପାଳିକା ଦ୍ୱାରା ଆୟୋଜିତ ଏହି ପ୍ରଜ୍ଞାନଧର୍ମୀ କାର୍ଯ୍ୟକ୍ରମରେ ସାନ ପିଲାଙ୍କ ଠାରୁ ଆରମ୍ଭ କରି ବୟୋଜ୍ୟେଷ୍ଠ ବ୍ୟକ୍ତି ମାନେ ମଧ୍ୟ ଅଂଶଗ୍ରହଣ କରୁଛନ୍ତି । ମତଦାନ ଏକ ନାଗରିକର ମୌଳିକ ଅଧିକାର ଭାବରେ ଏହି ବିଷୟକୁ ଜନାଦୃତ କରିବାପାଇଁ ଏହି ପ୍ରୟାସ, ବାରିପଦା ସ୍ଥିତ ଶିଶୁ ପାର୍କ ଠାରେ ଅନୁଷ୍ଠିତ ହେଉଅଛି । ଏହି ଇନ୍ସଟାଣ୍ଟ କୁଇଜ ପ୍ରତିଯୋଗିତାରେ, ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରିଣୀ ଡଃ ମଧୁସ୍ମିତା ସାମନ୍ତରାୟ ସଂଯୋଜନା ଏବଂ ପରିଚାଳନା କରିଥିବାବେଳେ ପୌରପାଳିକାର ସମସ୍ତ କର୍ମକର୍ତ୍ତା ଏହି କୁଇଜ ପ୍ରତିଯୋଗିତାକୁ ଖୁବ ଆନନ୍ଦ ସହକାରେ ଉପସ୍ଥାପନା କରିଥିଲେ । ଅଧିକରୁ ଅଧିକ ଯୁବ ଭୋଟର ତଥା ବିଦ୍ୟାଳୟ ଏବଂ ମହାବିଦ୍ୟାଳୟ ଛାତ୍ରଛାତ୍ରୀ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରୁଥିବା ବେଳେ, ସମସ୍ତ ଅଂଶଗ୍ରହଣକାରି ମାନଙ୍କ ପାଇଁ ପୁରସ୍କାର, ବିଶେଷକରି ବିଜେତା ମାନଙ୍କୁ ସେହି ମୁହୂର୍ତ ରେ ପୁରସ୍କୃତ କରାଯାଏ । ଗଣତନ୍ତ୍ରର ଏହି ମହାନ ପର୍ବକୁ ସମସ୍ତେ ନିଜ ଅଧିକାର ସହ ସମ୍ପାଦନା କରିବା ପାଇଁ ଜିଲ୍ଲାପାଳ ମଧ୍ୟ ନିବେଦନ କରିଥିବା ସୂଚନା ପ୍ରାପ୍ତ ।