ବଡ଼ମ୍ବା ୦୫/୦୪- ବଡ଼ମ୍ବା ବିଧାନସଭା କ୍ଷେତ୍ରରେ ଆରମ୍ଭ ହୋଇଥିବା ଜନଜାଗରଣ ଯାତ୍ରାରେ ସାମିଲ ହୋଇଛନ୍ତି ସଂତୃପ୍ତ ମିଶ୍ର | କଟକ ଲୋକସଭା ସଂସଦୀୟ ପାର୍ଥି ସଂତୃପ୍ତ ମିଶ୍ର ପ୍ରଥମ କରି ବଡ଼ମ୍ବା ବିଧାନସଭା କ୍ଷେତ୍ରରେ ନିଜର ପ୍ରଚାର ଆରମ୍ଭ କରିଛନ୍ତି | ଏହାସହ ବଡ଼ମ୍ବା ନୀଳକଣ୍ଠେଶ୍ଵର ମନ୍ଦିର,ମା ଭଟ୍ଟାରିକାଙ୍କ ପୀଠ ଓ ମା ମହାକାଳୀଙ୍କ ପୀଠ ଦର୍ଶନ କରିବା ସହ ଦଳୀୟ କର୍ମକର୍ତ୍ତାଙ୍କ ସହ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ | ଏହି କାର୍ଯ୍ୟକ୍ରମରେ ବଡ଼ମ୍ବା ବିଧାରପୁର ଛକ ଠାରୁ ଦଳୀୟ କାର୍ଯ୍ୟକର୍ତ୍ତାମାନେ ଭବ୍ୟ ସ୍ୱାଗତ କରି ମଟରସାଇକେଲ ରାଲି କରି ଆଣିଥିଲେ | ମାଣିଆବନ୍ଧ ବୁଣାକାର ସଙ୍ଘ ସହ ଶ୍ରୀ ମିଶ୍ର ସାକ୍ଷାତ କରିବା ସହ ସେମାନଙ୍କ ଅସୁବିଧା ସମ୍ବନ୍ଧରେ ଆଲୋଚନା ମଧ୍ୟ କରିଥିଲେ | ଏହା ପରେ ଶ୍ରୀ ମିଶ୍ର ବଡ଼ମ୍ବା ନିଜିଗଡ଼ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହ ନୀଳକଣ୍ଠେଶ୍ଵର ମହାଦେବ ମନ୍ଦିର ଓ ମା ଭଟ୍ଟାରିକା ମନ୍ଦିର ଦର୍ଶନ କରି ଆଶିଷ ଭିକ୍ଷା କରିବା ସହ କର୍ମୀ ସମ୍ମିଳନୀରେ ଯୋଗ ଦେଇଥିଲେ | ପରେ ପରେ ଗମେଇ ଗ୍ରାମ ଦେଇ ଗୋପାଳପୁର ରତାପାଟ ଓ ଖରୋଡ ସ୍ଥିତ ମା ମହାକାଳୀଙ୍କ ଦର୍ଶନ କରି ନରସିଂହପୁର ଅଭିମୁଖେ ଯାତ୍ରା କରିଥିଲେ | ଯଦିଓ ଏହା ନୂତନ ଭାବେ ବିଜେଡିରେ ଯୋଗଦେଇଥିବା ଶ୍ରୀଯୁକ୍ତ ମିଶ୍ରଙ୍କ ବଡ଼ମ୍ବା ବିଧାନସଭା କ୍ଷେତ୍ରକୁ ପ୍ରଥମ ଗସ୍ତ କିନ୍ତୁ ଦଳୀୟ କର୍ମୀଙ୍କ ମନରେ ପୂର୍ବ ନିର୍ବାଚନ ସମୟ ଭଳି ଆଗ୍ରହ ଓ ଉଦ୍ଦୀପନା ଦେଖିବାକୁ ମିଳିନଥିଲା ଓ କିଛି ସ୍ଥାନରେ ମଧ୍ୟ ଦଳୀୟ କର୍ମୀଙ୍କ ବିରୋଧ ହେବାର ସୂଚନା ମିଳିଥିଲା | ଏହି କାର୍ଯ୍ୟକ୍ରମରେ ସଂତୃପ୍ତ ମିଶ୍ରଙ୍କ ସମେତ ବିଧାୟକ ଦେବୀ ପ୍ରସାଦ ମିଶ୍ର, ପଞ୍ଚାୟତ ସମିତି ଅଧ୍ୟକ୍ଷ ରଘୁପତି ମହାନ୍ତି, ବିଜେଡି ବ୍ଲକ ସଭାପତି ରବୀନ୍ଦ୍ର କୁମାର ସାହୁ, ଓ ନିର୍ବାଚିତ ଜନପ୍ରତିନିଧିଙ୍କ ସମେତ ଦେବରାଜ ପଟ୍ଟଶାଣି, ସରୋଜ କୁମାର ପଟ୍ଟନାୟକ, ରାଜ କିଶୋର ରଣା, ଶିକ୍ଷାବିତ ସନାତନ ବେହେରା ପ୍ରମୁଖ ଉପସ୍ଥିତ ଥିଲେ |