ଚନ୍ଦ୍ରଭାଗା ବଜାର କମିଟି ସଭାପତି ଓ ଲୋକପ୍ରିୟ ସମାଜସେବୀ ଭାସ୍କର ଚନ୍ଦ୍ର ବେହେରାଙ୍କ ଅକାଳ ବିୟୋଗ, ବିଭିନ୍ନ ମହଲରେ ଶୋକ।
କୋଣାର୍କ – ବିଶ୍ବ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ କୋଣାର୍କ ସ୍ଥିତ କୋଣାର୍କ – ପୁରୀ ଜାତୀୟ ରାଜପଥ ରାସ୍ତାର ଦୁର୍ଗା ବାଡି ଠାରେ ରାସ୍ତା ଉପରେ ପଡିଥିବା ବିଦ୍ୟୁତ ଖୁଣ୍ଟର ତାର ଲାଗି ଚନ୍ଦ୍ରଭାଗା ବଜାର କମିଟି ସଭାପତି ତଥା ଲୋକପ୍ରିୟ ସମାଜସେବୀ ଭାସ୍କର ଚନ୍ଦ୍ର ବେହେରାଙ୍କ ଅକାଳ ବିୟୋଗ କୋଣାର୍କ ସମେତ ଆଖପାଖ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଖବରରୁ ପ୍ରକାଶ ଯେ କୋଣାର୍କ – ପୁରୀ ଜାତୀୟ ରାଜପଥ ରାସ୍ତା ଉପରେ ବିପଦ ସଙ୍କୁଳ ଅବସ୍ଥାରେ ରହିଥିବା ବିଦ୍ୟୁତ ଖୁଣ୍ଟ କାର୍ଯ୍ୟ ଦାୟିତ୍ଵରେ ଥିବା ଠିକାଦାର ନ ହଟାଇବା ଯୋଗୁଁ କୋଣାର୍କ ଅଞ୍ଚଳରେ ଏକ ଦୁର୍ଲ୍ଲଭ ଓ ସଚ୍ଚୋଟ ସାମାଜିକ ସଂଗଠକ ଭାସ୍କର ଚନ୍ଦ୍ର ବେହେରାଙ୍କ ମୃତ୍ୟୁ ଘଟିଛି। ଜାତୀୟ ରାଜପଥ ଉପରେ ବିପଦ ସଙ୍କୁଳ ଅବସ୍ଥାରେ ରହିଥିବା ବିଦ୍ୟୁତ ଖୁଣ୍ଟ ହଟାଇବା ପାଇଁ ବାରମ୍ବାର ଟାଟା ପାୱାର କେନ୍ଦ୍ରୀୟ କର୍ତ୍ତୁପକ୍ଷଙ୍କ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇଥିଲେ ମଧ୍ୟ କର୍ତୃପକ୍ଷ ଏ ଦିଗରେ କୌଣସି ପଦକ୍ଷେପ ଗ୍ରହଣ କରି ନ ଥିଲା। ଗତ ରାତିରେ ଏକ ହାଇଓ୍ବା କୋଣାର୍କ – ପୁରୀ ଜାତୀୟ ରାଜପଥ ରାସ୍ତାରେ ଥିବା ବିଦ୍ୟୁତ ଖୁଣ୍ଟ ଦେହରେ ଧକ୍କା ଦେଇ ବିପଦ ସଙ୍କୁଳ ଅବସ୍ଥାରେ ଥିବା ବିଦ୍ୟୁତ ଖୁଣ୍ଟକୁ ଭାଙ୍ଗି ଦେଇଥିଲା। ଏହି ରାସ୍ତାରେ ସବୁଦିନ ପରି ଆଜି ପ୍ରତ୍ୟୁଷରୁ କରମଙ୍ଗା ଗ୍ରାମର ବାସିନ୍ଦା ଚନ୍ଦ୍ରଭାଗା ବଜାର କମିଟି ସଭାପତି ତଥା ଲୋକପ୍ରିୟ ସମାଜସେବୀ ଭାସ୍କର ଚନ୍ଦ୍ର ବେହେରା ନିଜ ବ୍ୟବସାୟିକ ପ୍ରତିଷ୍ଠାନ ଚନ୍ଦ୍ରଭାଗା କୁ ଯାଉଥିବା ବେଳେ ଜାତୀୟ ରାଜପଥ ରାସ୍ତାରେ ପଡିଥିବା ବିଦ୍ୟୁତ ସଙ୍କୁଳ ବିଦ୍ୟୁତ ଖୁଣ୍ଟରେ ଲାଗିଥିବା ବିଦ୍ୟୁତ ତାରରେ ଲାଗି ତାଙ୍କର ମୁଣ୍ଡ କଟିଯାଇ ମୃତ୍ୟୁ ଘଟିଥିଲା। ଏହି ଘଟଣାକୁ ନେଇ ମୃତ ଭାସ୍କର ଚନ୍ଦ୍ର ବେହେରାଙ୍କ ପରିବାର ବର୍ଗଙ୍କୁ କ୍ଷତିପୂରଣ ପ୍ରଦାନ କରିବା ପାଇଁ ସ୍ଥାନୀୟ ଅଞ୍ଚଳର ଲୋକମାନେ ସମାଗମ ହୋଇ ଅଡି ବସିଥିଲେ। ଖବର ପାଇ କୋଣାର୍କ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ଯକ୍ତ ଜନତାଙ୍କୁ ବୁଝାସୁଝା କରିବା ସହ ସହାୟତା ପ୍ରଦାନ ପାଇଁ ପ୍ରତିଶ୍ରୁତି ଦେବା ସହ ମୃତ ଦେହକୁ ଜବତ କରିବା ପାଇଁ ଚାରିଛକ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଯାଇଥିଲେ। ଏହି ଦୁଃଖଦ ଘଟଣା ଯୋଗୁଁ କୋଣାର୍କ ଅଞ୍ଚଳର ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନ ପକ୍ଷରୁ ଗଭୀର ଶୋକ ପ୍ରକାଶ ପାଇଛି। ଚନ୍ଦ୍ରଭାଗା ବଜାର କମିଟି ସଭାପତି ଭାସ୍କର ଚନ୍ଦ୍ର ବେହେରାଙ୍କ ମରଶରୀର କୋଣାର୍କ ବଜାର ପରିକ୍ରମା କରିବା ପରେ ନିଜ ପୈତୃକ ଗ୍ରାମ କରମଙ୍ଗା ଗ୍ରାମର ଶ୍ମଶାନ ଠାରେ ଶେଷ କୃତ ସଂପନ୍ନ କରାଯାଇଥିଲା। ବଡ଼ପୁଅ ଦୀପକ କୁମାର ବେହେରା ମୁଖାଗ୍ନି ଦେଇଥିଲେ। କୋଣାର୍କ ଟାଟା ପାୱାର କେନ୍ଦ୍ରୀୟ କର୍ତ୍ତୁପକ୍ଷଙ୍କ ଅବହେଳା, ଦାୟିତ୍ବହୀନତା ଓ ଖାମଖିଆଲି ମନୋଭାବ ଯୋଗୁଁ ଜଣେ ସୁସଂଗଠକ ଙ୍କ ଅକାଳ ମୃତ୍ୟୁ ଘଟିଲା ବୋଲି କୋଣାର୍କ ଅଞ୍ଚଳର ବୁଦ୍ଧିଜୀବୀ, ସଚେତନ ନାଗରିକ, ବୁଦ୍ଧିଜୀବୀ, ଶିକ୍ଷାବିତ, ବରିଷ୍ଠ ନାଗରିକ ଓ କୋଣାର୍କ ଅଞ୍ଚଳର ଜନସାଧାରଣଙ୍କ ପକ୍ଷରୁ ମତପ୍ରକାଶ ପାଇବା ସହ ତୁରନ୍ତ ଟାଟା ପାୱାର କେନ୍ଦ୍ରୀୟ କର୍ତ୍ତୁପକ୍ଷ ଓ ଜାତୀୟ ରାଜପଥ କର୍ତୃପକ୍ଷଙ୍କ ପକ୍ଷରୁ ମୃତ ଭାସ୍କର ଚନ୍ଦ୍ର ବେହେରାଙ୍କ ପରିବାରକୁ କ୍ଷତିପୂରଣ ପ୍ରଦାନ କରିବା ପାଇଁ ଦାବି କରାଯାଇଛି।