ଭୁବନେଶ୍ୱର,୦୧/୦୩/୨୦୨୪: ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ବରମୁଣ୍ଡାସ୍ଥିତ ବାବାସାହେବ ଭୀମରାଓ ଆମ୍ବେଦକର ବସ୍ ଟର୍ମିନାଲ୍ର ଲୋକାର୍ପଣ କରିଛନ୍ତି । ଏହି ଅତ୍ୟାଧୁନିକ ବ୍ୟବସ୍ଥା ମଧ୍ୟରେ ଯାତ୍ରୀମାନଙ୍କୁ ଅଧିକ ସେବା ଯୋଗାଇଦେବାକୁ ଯାଇ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ ପକ୍ଷରୁ ପ୍ରଥମ ମହଲାରେ ଏକ ଯାତ୍ରା ସହାୟତା କେନ୍ଦ୍ର ଖୋଲାଯାଇଛି । ଏହା ଦ୍ୱାରା ଯାତ୍ରୀମାନଙ୍କୁ ଭୁବନେଶ୍ୱର ନିକଟବର୍ତ୍ତୀ ଏବଂ ରାଜ୍ୟରେ ଉପଲବ୍ଧ ବିଭିନ୍ନ ପର୍ଯ୍ୟଟନ କ୍ଷେତ୍ର, ଧାର୍ମିକ ସ୍ଥଳୀ, ଯାତାୟତ ସଂପର୍କିତ ସୂଚନା ଏବଂ ଟିକେଟ ବୁକିଂ କରିବା ସଂପର୍କିତ ତଥ୍ୟ ମିଳିପାରିବ । ଏଥି ସହ ଏହି ପରିସର ମଧ୍ୟରେ ‘ଉତ୍କଳ ଆରୋମା’ ନାମକ ଏକ କାଫେ ଖୋଲାଯାଇଛି । ଏଥିରେ ସୁସ୍ୱାଦୁ ସ୍ନାକ୍ସ ସହ ପାନୀୟ ଉପଲବ୍ଧ ହେଉଛି । ଏହା ଉଭୟ ଯାତ୍ରୀ, ପର୍ଯ୍ୟଟକ ଏବଂ ସ୍ଥାନୀୟ ବାସିନ୍ଦାଙ୍କ ଚାହିଦାକୁ ପୂରଣ କରିପାରିବ ।
ଏହି ଅବସରରେ ଓଟିଡିସି ଅଧ୍ୟକ୍ଷ ଡ. ଲେନିନ୍ ମହାନ୍ତି, ପରିଚାଳନା ନିର୍ଦ୍ଦେଶକ ଶ୍ରୀ ସଚିନ୍ ରାମଚନ୍ଦ୍ର ଯାଦବ, ଜେନେରାଲ୍ ମ୍ୟାନେଜର ଡ. ଲଲାଟେନ୍ଦୁ ସାହୁ ଏବଂ ଅନ୍ୟାନ୍ୟ ଅଧିକାରୀ ଓ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ ।