ବାରିପଦା : ଚଳିତ ବର୍ଷ ହେବାକୁଥିବା ସାଧାରଣ ନିର୍ବାଚନ ପାଇଁ ସମସ୍ତ ପୂର୍ବ ପ୍ରସ୍ତୁତି ଚାଲିଥିବାବେଳେ, ନିର୍ବାଚନକୁ ସମ୍ପୂର୍ଣ ରୂପେ ନିର୍ଭୁଲ ଏବଂ ତ୍ରୁଟି ମୁକ୍ତ କରିବା ପାଇଁ, ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ଖୁବ ତତ୍ପରତା ଦେଖାଇଛି । ଏହି ପରିପ୍ରେକ୍ଷୀରେ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଆଶିଷ ଠାକରେଙ୍କ ଅଧ୍ୟକ୍ଷତାରେ ଜିଲ୍ଲାର ସମସ୍ତ ପ୍ରମୁଖ ରାଜନୈତିକ ଦଳମାନଙ୍କୁ ନେଇ ଏକ ସର୍ବଦଳୀୟ ପ୍ରତିନିଧି ମାନଙ୍କର ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜିଲ୍ଲାର ସମସ୍ତ ଉପଖଣ୍ଡ ସ୍ତରୀୟ ଉପଜିଲ୍ଲାପାଳଙ୍କ ସମେତ ଅତିରିକ୍ତ ଜିଲ୍ଲାପାଳ, ମୟୂରଭଞ୍ଜ ଅଭିମନୁ୍ୟ ବେହେରା ଉପସ୍ଥିତ ଥିଲେ । ଏହି ପରିପ୍ରେକ୍ଷୀରେ ଜିଲ୍ଲାର ବିଭିନ୍ନ ନିର୍ବାଚନମଣ୍ଡଳୀରେ ଥିବା ମତଦାନ କେନ୍ଦ୍ର ଗୁଡିକର ପୁନଃ ନାମକରଣ ଏବଂ କେନ୍ଦ୍ର ମାନଙ୍କର ସ୍ଥାନ ପରିବର୍ତ୍ତନ ବିଷୟରେ ଆଲୋଚନା କରାଯାଇଥିଲା । ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ସୂଚନା ଅନୁସାରେ, ବର୍ତ୍ତମାନ ସୁଦ୍ଧା ସମଗ୍ର ଜିଲ୍ଲାରେ ୧୧୮ଟି ମତଦାନ କେନ୍ଦ୍ର ଗୁଡିକର ପୁନଃ ନାମକରଣ ଏବଂ ୧୧ଟି ମତଦାନ କେନ୍ଦ୍ର (୪ଟି ନିର୍ବାଚନ ମଣ୍ଡଳୀ ଅନ୍ତର୍ଭୁକ୍ତ) ଗୁଡିକର ସ୍ଥାନ ପରିବର୍ତ୍ତନ କରାଯିବାପାଇଁ ପ୍ରସ୍ତାବ ଦିଆଯାଇଛି ଏବଂ ଏହି ବିବରଣୀ ନିର୍ବାଚନ ଆୟୋଗଙ୍କ ନିକଟକୁ ପଠାଯାଇଛି । ପ୍ରକାଶ ଥାଉକି ଜିଲ୍ଲାରେ ସାରସକଣାରେ ୮ଟି ବାଙ୍ଗିରିପୋଷି ନିର୍ବାଚନ ମଣ୍ଡଳୀରେ ୧୧ଟି, ବଡ଼ସାହିରେ ୩ଟି, ବାରିପଦାରେ ୪୮ଟି, ମୋରଡାରେ ୧୫ଟି ଏବଂ ଉଦଳାରେ ୩୩ଟି ମତଦାନ କେନ୍ଦ୍ର ମାନଙ୍କର ନାମ ପରିବର୍ତ୍ତର୍ନ ପାଇଁ ଜିଲ୍ଲାପାଳ ଅନୁମୋଦନ କରିଛନ୍ତି । ସେହିପରି ଭାବରେ ୧୧ଟି ମତଦାନ କେନ୍ଦ୍ର ଯଥାକ୍ରମେ ବଡ଼ସାହି (୪), ବାରିପଦା (୪), ରାଇରଙ୍ଗପୁର(୧) ଏବଂ ମୋରଡା(୨) ନିର୍ବାଚନ ମଣ୍ଡଳୀଙ୍କର ସ୍ଥାନ ପରିବର୍ତ୍ତନ ପାଇଁ ଆବେଦନ ନିର୍ବାଚନ ଆୟୋଗଙ୍କ ନିକଟକୁ ପଠାଯାଇଛି । ଜିଲ୍ଲାପାଳ ଶ୍ରୀ ଠାକରେ ଏହା ମଧ୍ୟ କହିଥିଲେ ଯେ, ଏହି ପରିବର୍ତ୍ତନ ସ୍ଥାନୀୟ ବିଶେଷତା ଏବଂ ଆବଶ୍ୟକତାକୁ ଦୃଷ୍ଟିରେ ରଖି କରାଯାଇଛି । ଏହି ଆଲୋଚନା ପରେ, ସମସ୍ତ ରାଜ୍ୟ ଏବଂ ଜାତୀୟ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳ ମାନଙ୍କର ପ୍ରତିନିଧି ମାନଙ୍କ ସହିତ ଜିଲ୍ଲାପାଳ ଏହି ନାମକରଣ ଏବଂ କେନ୍ଦ୍ର ମାନଙ୍କର ସ୍ଥାନ ପରିବର୍ତନ ବିଷୟରେ ବିମର୍ଷ କରିଥିଲେ । ସମସ୍ତ ରାଜନୈତିକ ଦଳ ମାନଙ୍କର ପ୍ରତିନିଧି ମାନେ ଏହି ପ୍ରସ୍ତାବ ପତ୍ର ଯାଞ୍ଚପରେ ଧନ୍ୟବାଦ ଅର୍ପଣ ସମେତ ଏହି ବୈଠକ ଶେଷ ହୋଇଥିଲା । ଏହି ବୈଠକରେ ପ୍ରମୁଖ ଉପସ୍ଥିତ ଥିବାବେଳେ ବାରିପଦା ଉପଜିଲ୍ଲାପାଳ ଈଶ୍ୱର ଚନ୍ଦ୍ର ନାୟକ, ବାରିପଦା ଡେପୁଟି କଲେକ୍ଟର (ଇଲେକ୍ସନ) ଦୁର୍ଗା ଚରଣ ମୁର୍ମୁ, କପ୍ତିପଦା ଡେପୁଟି କଲେକ୍ଟର (ଇଲେକ୍ସନ) ପ୍ରତୀକ କୁମାର ପଣ୍ଡାଙ୍କ ସମେତ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଅବିନାଶ ପାଣି ଏବଂ ଅନ୍ୟାନ୍ୟ କର୍ମଚାରୀ ମାନେ ଉପସ୍ଥିତ ଥିଲେ ।