Odisha news

ଚାନ୍ଦପୁର ଗ୍ରାମ/ମଉଜାର ବହୁ ମୂଲ୍ୟବାନ ଜମି ହଡ଼ପ ମାମଲା : ଦୀର୍ଘ ଦିନ ପରେ କନିଷି ସବ୍ ରେଜିଷ୍ଟ୍ରାରଙ୍କ ପକ୍ଷରୁ ଗୋଳନଥରା ଥାନାରେ ଅଭିଯୋଗ ଦାଖଲ

0
ବ୍ରହ୍ମପୁର: ଗତ ବର୍ଷ ସେପ୍ଟେମ୍ବର ମାସରେ ଚାନ୍ଦପୁର ଗ୍ରାମର ମୃତ ଟିକଲ ସାହୁଙ୍କ ନାମରେ ଥିବା ଏକ ଜମିକୁ ଉତ୍ତରାଧିକାରୀଙ୍କ ଅଜାଣତରେ ହୋଇଥିବା ପଞ୍ଜିକରଣ ମାମଲାରେ କନିଷି ସବ୍ ରେଜିଷ୍ଟ୍ରାରଙ୍କ ପକ୍ଷରୁ ସ୍ଥାନୀୟ ଗୋଳନଥରା ଥାନାରେ ଅଭିଯୋଗ ହୋଇଥିବା ଥାନା ପକ୍ଷରୁ ଜଣାଯାଇଛି ।
ସୂଚନାଯୋଗ୍ୟ, ଉକ୍ତ ମଉଜାର ଖାତା ନଂ ୧୨୫ ପ୍ଲଟ ନଂ ୪୮୭ ରକବା ଏ ୦.୩୪୯ ଡିସିମିଲ ବହୁ ମୂଲ୍ୟବାନ ୩୫ ଲକ୍ଷ ଟଙ୍କାର ଜମିକୁ ମୃତ ଟିକଲ ସାହୁଙ୍କ ଉତ୍ତରାଧିକାରୀଙ୍କ  ଅଜାଣତରେ ଓ ଅଗୋଚରରେ କିଛି ଜମି ମାଫିଆ ଓ ଦଲାଲ ଷଡ଼ଯନ୍ତ୍ର, ଜାଲିଆତି ଓ ଠକେଇ କରି ହଡ଼ପ କରିଥିବା ଅଭିଯୋଗ କ୍ଷତିଗ୍ରସ୍ତ ଉତ୍ତରାଧିକାରୀଙ୍କ ପକ୍ଷରୁ ସ୍ଥାନୀୟ ଥାନା, କନିଷି ତହସିଲଦାର ଓ ସବ୍ ରେଜିଷ୍ଟ୍ରାରଙ୍କ କାର୍ଯ୍ୟାଳୟରେ ଅଭିଯୋଗ କରିଥିଲେ । ଥାନା ପକ୍ଷରୁ କିଛି ଅଭିଯୁକ୍ତଙ୍କ ବିରୁଦ୍ଧରେ କେସ୍ ନଂ ୫୬୦/୨୦୨୩ ରେ
ଏଫଆଇଆର୍ ରୁଜୁ ହୋଇଥିଲେ ମଧ୍ୟ ଅଦୃଶ୍ୟ ଚାପରେ ତହସିଲ ଓ ସବ୍ ରେଜିଷ୍ଟ୍ରାରଙ୍କ କାର୍ଯ୍ୟାଳୟ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲେ । ମାତ୍ର ଗତ ୨୨/୧୨/୨୦୨୩ ତାରିଖରେ ଚିଠି ନଂ ୮୬୯ ରେ ସବ୍ ରେଜିଷ୍ଟ୍ରାରଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ ଅଭିଯୋଗ ପତ୍ର ଥାନାରେ ଦାଖଲ ହୋଇଅଛି । ଉକ୍ତ ଅଭିଯୋଗରେ ଦର୍ଶାଯାଇଛି ଯେ, କ୍ଷତିଗ୍ରସ୍ତଙ୍କ ଅଭିଯୋଗ ପରେ ଉକ୍ତ ଦଲିଲକୁ ଫାଇନେଲ୍ ଆପ୍ରୋଭଲ୍ ଦିଆ ନହୋଇ ହୋଲ୍ଡରେ ରଖାହେବା ସହିତ ଉକ୍ତ ଜମିର କ୍ରେତା ମିଟୁ ସାହୁ ଓ ଅନ୍ୟମାନଙ୍କ ସହିତ ଦଲିଲ୍ ଲେଖକ ମହେଶ୍ୱର ପାତ୍ରକୁ ପର୍ଯ୍ୟାପ୍ତ ସମୟ ଦିଆଯାଇ ଉକ୍ତ ଅଭିଯୋଗ ବିରୋଧରେ ପ୍ରମାଣ ଯୋଗାଡିବା ବା ପୁନଃ ସ୍ଵିକୃତି/ସମ୍ମତି ପତ୍ର ପଞ୍ଜିକରଣ ନିମନ୍ତେ ନିର୍ଦ୍ଦେଶନା ଦିଆଯାଇଥିଲା । ତିନି ମାସ ବିତିଯାଇଥିଲେ ମଧ୍ୟ କୋୖଣସି ନିର୍ଦ୍ଦିଷ୍ଟ ନିର୍ଦ୍ଦେଶାନାମାର ଆପାତତଃ ପ୍ରମାଣ ଉପସ୍ଥାପନା କରିବା ବା ପଞ୍ଜିକରଣ ନ କରେଇବା ହେତୁ ମିଟୁ ସାହୁ ଓ ମହେଶ୍ୱର ପାତ୍ରଙ୍କ ମଧ୍ୟରେ ଅପରାଧିକ ଷଡ଼ଯନ୍ତ୍ର ଥିବା ସନ୍ଦେହ କରି  ଅଭିଯୋଗ ପତ୍ରକୁ ଭାରତୀୟ ପିଙ୍ଗଳ କୋଡ଼-୧୮୬୦ର ୧୨୦(ଖ) ଧାରାରେ ଗ୍ରହଣ କରି ଟିକିନିଖି ତଦନ୍ତ କରି ଉଚିତ ପଦକ୍ଷେପ ଗ୍ରହଣ କରିବାକୁ ଅନୁରୋଧ କରିଛନ୍ତି ।
ପୂର୍ବ ଅଭିଯୋଗରେ ମୃତ ଟିକଲ ସାହୁଙ୍କ ଉତ୍ତରାଧିକାରୀ ପ୍ରମାଣପତ୍ରରେ ଚାରିଜଣ ନାତୁଣୀ ଦାବିଦାରଙ୍କୁ ଛାଡି ଦିଆଯାଇଥିବାର ଓ ମୃତ ଟିକଲ ସାହୁଙ୍କ ନାମରେ ଥିବା ଅନ୍ୟ ଏକ ୮୬ ଲକ୍ଷ ଟଙ୍କାର ଏକର ୧.୧୫୦ ଡିସିମିଲ ବହୁ ମୂଲ୍ୟବାନ ଜମିକୁ ପ୍ରକୃତ ଭୋଗ ଦଖଲକାରୀଙ୍କ ବିନା ସ୍ଵିକୃତି ଓ ସମ୍ମତିରେ ଓ ଉକ୍ତ ଭୋଗ ଦଖଲକାରୀଙ୍କ ଜାଲ ଦସ୍ତଖତରେ ପଞ୍ଜିକରଣ କରାଯାଇଥିବା ଅଭିଯୋଗ ହୋଇଥିଲେ ହେଁ, ସବ୍ ରେଜିଷ୍ଟ୍ରାରଙ୍କ ପକ୍ଷରୁ ଏ ବାବଦରେ କିଛି ଦର୍ଶାନଯାଇ ଉକ୍ତ ଜାଲିଆତିରେ ସମ୍ପୃକ୍ତି ଥିବା ରାଜସ୍ବ ନୀରିକ୍ଷକ, ରାଜସ୍ବ ଅଧିକାରୀ ଓ କିଛି ଦଲାଲଙ୍କୁ  ଖସେଇଦେବା ପାଇଁ ଅପଚେଷ୍ଟା କରିଥିବା ସ୍ପଷ୍ଟ ବାରି ହୋଇ ପଡ଼ୁଛି ‌।
ଡେରିରେ ହେଲେ ମଧ୍ୟ, ସବ୍ ରେଜିଷ୍ଟ୍ରାରଙ୍କ ପକ୍ଷରୁ ସରକାରୀ ଭାବେ ବିଭାଗୀୟ ଅଭିଯୋଗ ଦାଖଲ ହୋଇଥିବା ହେତୁ ଅଭିଯୋଗକାରୀ ଦାବିଦାରଙ୍କ     ପକ୍ଷରୁ ସବ୍ ରେଜିଷ୍ଟ୍ରାରଙ୍କୁ ସାଧୁବାଦ ଜଣାଇବା ସହିତ ଦେଶର ଆଇନ କାନୁନ ଓ ପୋଲିସ ପ୍ରତି ବିଶ୍ଵାସ ଥାଇ ସୁନିଶ୍ଚିତ ନ୍ୟାୟ ପାଇବା ଆଶା ପ୍ରକଟ କରିଛନ୍ତି । ଯୋଗାଯୋଗ ପରେ ଥାନା ପକ୍ଷରୁ ଜଣାଯାଇଛି ଯେ, କିଛି ଗୁରୁତ୍ଵପୂର୍ଣ୍ଣ କାଗଜପତ୍ରର ସାର୍ଟିଫାଇଡ୍ କପି କନିଷି ତହସିଲ ଓ ସବ୍ ରେଜିଷ୍ଟ୍ରାରଙ୍କ କାର୍ଯ୍ୟାଳୟକୁ ମଗାଯାଇଛି ଓ ସେଗୁଡ଼ିକ ମିଳିଲା ପରେ ତର୍ଜମା କରି ଏହି ଅଭିଯୋଗରେ ପ୍ରତ୍ୟକ୍ଷ ଓ ପରୋକ୍ଷରେ ସମ୍ପୃକ୍ତି ଥିବା ସମସ୍ତ ଦୋଷୀଙ୍କ ବିରୁଦ୍ଧରେ ଉଚିତ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବା ସହିତ ପିଡିତା ପରିବାରଙ୍କୁ ନ୍ୟାୟିକ ପଦ୍ଧତିରେ ନ୍ୟାୟ ପ୍ରଦାନ କରାଯିବ ।
Leave A Reply