Odisha news

ମହାରାଜା ପୂର୍ଣ୍ଣଚନ୍ଦ୍ର କଲେଜର ପ୍ଲାଟିନମ ଜୁବୁଲି ଜାନୁଆରୀ ୫,୬ ଓ ୭ରେ ମହାସମାରୋହରେ ଅନୁଷ୍ଠିତ ହେବ

0

ବାରିପଦା  : ଐତିହ୍ୟ ସମ୍ପନ୍ନ ମହାରାଜା ପୂର୍ଣ୍ଣଚନ୍ଦ୍ର ମହାବିଦ୍ୟାଳୟର ୭୫ବର୍ଷ ପୂର୍ତ୍ତି ଅବସରରେ ଆଗାମୀ ନବବର୍ଷ ୨୦୨୪ ମସିହା ଜାନୁଆରୀ ୫, ୬, ୭ ତିନିଦିନ ବ୍ୟାପି ପ୍ଲାଟିନମ ଜୁବୁଲି ମହୋତ୍ସବ ମହାସମାରୋହରେ ପାଳନ କରାଯିବ ବୋଲି ସ୍ଥିରୀକୃତ ହୋଇଅଛି । ଏହି ଅବସରରେ ଅମ୍ବିକା ହୋଟେଲ ସମ୍ମିଳନୀ କକ୍ଷରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପ୍ଲାଟିନମ ଜୁବୁଲି କମିଟି ଅଧ୍ୟକ୍ଷ ତଥା ସ୍କୁଲ ଗଣଶିକ୍ଷା ଓ ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାରାଣ୍ଡିଙ୍କ ସହ ପ୍ଲାଟିନମ ଜୁବୁଲି କମିଟି ମୁଖ୍ୟ ସଂଯୋଜକ ପ୍ରୀତିଶ ଚନ୍ଦ୍ର ବଶା, ବାରିପଦା ନଗରପାଳ କୃଷ୍ଣାନନ୍ଦ ମହାନ୍ତି, ଆଲୁମିନି ଆସୋସିଏସନ ସଭାପତି ଡଃ ବିଜୟ କୁମାର ଅଗ୍ରୱାଲା, ପ୍ଲାଟିନମ ଜୁବୁଲି କମିଟି ସମ୍ପାଦକ କଳିଙ୍ଗ କେଶରୀ ଜେନା, ଏମ୍ପିସି କଲେଜ ଅଧ୍ୟକ୍ଷ ପ୍ରତିନିଧି ରାଇମଣୀ ମାରାଣ୍ଡି ଓ ଆଲୁମିନି ସମ୍ପାଦକ ବିପ୍ଲବ ବୁଗୁଡେଇ ପ୍ରମୁଖ ଯୋଗଦେଇ ପ୍ଲାଟିନମ ଜୁବୁଲି କିପରି ଭାବରେ ପାଳନ ହେବ ସେ ବିଷୟରେ ସବିଶେଷ ତଥ୍ୟ ପ୍ରଦାନ କରିଥିଲେ । ୧୯୪୮ ମସିହାରେ ବାରିପଦା ସହରର ମହାରାଜା କୃଷ୍ଣଚନ୍ଦ୍ର ଉଚ୍ଚ ବିଦ୍ୟାଳୟର କ୍ଷୁଦ୍ର ପରିସରରେ ଜନ୍ମଲାଭ କରିଥିବା ଉକ୍ତ ମହାବିଦ୍ୟାଳୟ ଆଜି ଏକ ମହାଦ୍ରୁମରେ ପରିଣତ ହୋଇ ତକତପୁରରେ କେବଳ ବିରାଟ କାୟା ବିସ୍ତାର କରିନାହିଁ, ଓଡିଶାର ଏକ ଅଗ୍ରଣୀ ସ୍ୱୟଂଶାସିତ ମହାବିଦ୍ୟାଳୟର ମାନ୍ୟତା ପ୍ରାପ୍ତ ହୋଇ ସ୍ୱୟଂ ସମ୍ପୂର୍ଣ୍ଣ ହୋଇପାରିଛି ।

ଉକ୍ତ ମହାବିଦ୍ୟାଳୟର ଅଧ୍ୟକ୍ଷ, ଅଧ୍ୟାପକ, ଅଧ୍ୟାପିକା, ଛାତ୍ରଛାତ୍ରୀ ଏବଂ ପୁରାତନ ଛାତ୍ରଛାତ୍ରୀମାନେ ସମ୍ମିଳିତ ଭାବରେ ପ୍ଲାଟିନମ ଜୁବୁଲି ସମାରୋହକୁ ସଫଳ ତଥା ସ୍ମରଣୀୟ କରିବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରିବାକୁ ଯାଉଛନ୍ତି । ଉକ୍ତ ଉତ୍ସବରେ ଭାରତର ରାଷ୍ଟ୍ରପତି, ଶିକ୍ଷାମନ୍ତ୍ରୀ, ଜଳଶକ୍ତି, ଆଦିବାସୀ ବ୍ୟାପାର ମନ୍ତ୍ରୀ ଏବଂ ଓଡିଶାର ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ଶିକ୍ଷାମନ୍ତ୍ରୀ ପ୍ରମୁଖଙ୍କୁ ଅତିଥି ହେବା ପାଇଁ ନିମନ୍ତ୍ରଣ କରାଯାଇଛି । ପ୍ଲାଟିନମ ଜୁବୁଲି ସମାରୋହ ଉପଲକ୍ଷେ ବିଗତ ଏକ ମାସ ହେଲା ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା, ଧର୍ମ ଦର୍ଶନ ଓ ସାହିତ୍ୟ, ସଂସ୍କୃତି ଆଧାରିତ ବିଷୟବସ୍ତୁ ଉପରେ ଦେଶ ତଥା ବିଦେଶର ପ୍ରବୀଣ ଶିକ୍ଷାବିତ, ବିଶେଷଜ୍ଞ, ଗବେଷକ ଓ ବୈଜ୍ଞାନିକମାନେ ଆଭାସି ମାଧ୍ୟମରେ ଶିକ୍ଷାଦାନ ଓ ଆଲୋଚନା ଜାରି ରଖିଛନ୍ତି । ଛାତ୍ରଛାତ୍ରୀମାନଙ୍କ ଜ୍ଞାନର ପରିସର ବୃଦ୍ଧି କରିବା ଏବଂ ଅଧ୍ୟାପକ ଅଧ୍ୟାପିକାମାନଙ୍କୁ ପ୍ରଶିକ୍ଷଣ ଦେବା ନିମନ୍ତେ ଏହା ଏକ ଅଭିନବ ପଦକ୍ଷେପ କହିଲେ ଅତୁ୍ୟକ୍ତି ହେବନାହିଁ । ପ୍ଲାଟିନମ ଜୁବୁଲି ଉତ୍ସବର ଅବ୍ୟବହିତ ପୂର୍ବରୁ ବାରିପଦା ସହରର ହୃତପିଣ୍ଡରେ ଥିବା ସହିଦସ୍ମୃତି ଭବନରେ ଜାନୁଆରୀ ୨ତାରିଖ ନାଟ୍ୟକାର ଚିନ୍ମୟ ଦାସ ପଟ୍ଟନାୟକଙ୍କ ରଚନା ଓ ନିଦେ୍ର୍ଦଶନାରେ ‘ଆମେ ବି ମଣିଷ’, ୩ତାରିଖରେ ନାଟ୍ୟକାର ସ୍ୱର୍ଗତ ଡଃ ପଂଚାନନ ପାତ୍ରଙ୍କ ଲିଖିତ ଓ ନିଦେ୍ର୍ଦଶକ ଅନ୍ନଦା ଶଙ୍କର ଦାଶଙ୍କ ନିଦେ୍ର୍ଦଶନାରେ ‘ହେ ରାତ୍ରି ପ୍ରଣାମ’ ଏବଂ ୪ ତାରିଖରେ ବରିଷ୍ଠ ଚଳଚ୍ଚିତ୍ର ଅଭିନେତା ସ୍ୱର୍ଗତ ବିଜୟ ମହାନ୍ତିଙ୍କ ରଚିତ ଏବଂ ନାଟ୍ୟକାର ନିଦେ୍ର୍ଦଶକ ଧୀର ବସା ଓ ସନ୍ତୋଷ ମହାନ୍ତିଙ୍କ ନିଦେ୍ର୍ଦଶନାରେ ‘ମଧ୍ୟାହ୍ନର ରଙ୍ଗ’ ନାଟକ ବର୍ତ୍ତମାନ ଅଧ୍ୟୟନରତ ଓ ପୁରାତନ ଛାତ୍ର ତଥା କଳାକାର ଓ ସିନେ ତାରକାମାନଙ୍କ ଦ୍ୱାରା ଅଭିନୀତ ହେବ ।

ଜାନୁଆରୀ ୫ରେ ତକତପୁରସ୍ଥିତ ମହାରାଜା ପୂର୍ଣ୍ଣଚନ୍ଦ୍ର ସ୍ୱୟଂଶାସିତ ମହାବିଦ୍ୟାଳୟ ପ୍ରାଙ୍ଗଣରେ ନିର୍ମିତ ଅସ୍ଥାୟୀ ସୁସଜ୍ଜିତ ମଂଚରେ ଉଦଘାଟନୀ ଉତ୍ସବ ଅନୁଷ୍ଠିତ ହେବ । ଉକ୍ତ ସଭାରେ ଅତିଥିମାନଙ୍କ କର କମଳରେ ପୁରାତନ ଛାତ୍ରଛାତ୍ରୀ ଓ ଅଧ୍ୟାପକମାନଙ୍କ ବହୁମୂଲ୍ୟ ରନô ସଦୃଶ ଲେଖାଗୁଡିକ ସ୍ଥାନିତ ହୋଇଥିବା ସାରସ୍ୱତ ମୁଖପତ୍ର ‘ରନôଗର୍ଭା’ ଉନ୍ମୋଚିତ ହେବ । ସଭା କାର୍ଯ୍ୟ ସମାପନ ପରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଦିନତମାମ ଓ ସନ୍ଧ୍ୟାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମୟୂରଭଞ୍ଜର ବିଶ୍ୱବିଖ୍ୟାତ ଛଉନୃତ୍ୟ ଏବଂ ଓଡିଶାର ଲୋକପ୍ରିୟ ଓଡିଶୀ ନୃତ୍ୟ ପରିବେଷିତ ହେବ । ଏଥିସହିତ ବାଦ୍ୟ ଯନ୍ତ୍ରର ତାଳେ ତାଳେ କଣ୍ଠ ସଙ୍ଗୀତର ମଧୁର ମୂର୍ଚ୍ଛନା ମହାବିଦ୍ୟାଳୟର ପରିବେଶକୁ ଆହ୍ଲାଦିତ କରିବ । ଜାନୁଆରୀ ୬ରେ ତକତପୁରସ୍ଥିତ ମହାରାଜା ପୂର୍ଣ୍ଣଚନ୍ଦ୍ର ସ୍ୱୟଂଶାସିତ ମହାବିଦ୍ୟାଳୟରେ ବିଷୟ ବିଶେଷଜ୍ଞମାନଙ୍କ ଦ୍ୱାରା ‘ଓଡିଶାର ସଙ୍ଗୀତ, ନାଟକ ଓ ଚଳଚ୍ଚିତ୍ର ଜଗତକୁ ମୟୂରଭଞ୍ଜର ଦାନ’ ଏବଂ ‘୨୦୫୦ ମସିହା ସୁଦ୍ଧା ମୟୂରଭଞ୍ଜକୁ ଏକ ବିକଶିତ ଜିଲ୍ଲାରେ ପରିଣତ କରିବା ପାଇଁ ଉଚିତ ପଦକ୍ଷେପ’ ସମ୍ପର୍କରେ ଆଲୋଚନା କରାଯିବ । ଆଲୋଚନା ପର୍ବ ଶେଷ ହେବା ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ।

ମୟୂରଭଞ୍ଜର ବିଭିନ୍ନ ଲୋକନୃତ୍ୟ ମଧ୍ୟାହ୍ନରେ ଏବଂ କଣ୍ଠଶିଳ୍ପୀମାନଙ୍କ ଦ୍ୱାରା ସନ୍ଧ୍ୟାରେ ସଙ୍ଗୀତ ପରିବେଷିତ ହେବ । ଜାନୁଆରୀ ୭ରେ ରାଜବାଟୀ ରାଜକୀୟ ଠାଣିରେ ସୁସଜ୍ଜିତ ହେବା ସହିତ ବର୍ଣ୍ଣାଢ୍ୟ ଆଲୋକମାଳାରେ ଉଦଭାସିତ ହେବ । ୧୯୪୮ ମସିହାରୁ ୨୦୨୩ ମସିହା ପର୍ଯ୍ୟନ୍ତ ପୁରାତନ ଛାତ୍ରଛାତ୍ରୀମାନେ ପୂର୍ବାହ୍ନରେ ଛଉପଡିଆରୁ ଶୋଭାଯାତ୍ରାରେ ବାହାରି ବାରିପଦା ସହର ପରିକ୍ରମା କରି ମହାରାଜା ପୂର୍ଣ୍ଣଚନ୍ଦ୍ର ସ୍ୱୟଂଶାସିତ ମହାବିଦ୍ୟାଳୟରେ ପହଁଚିବେ ଏବଂ ରାଜବାଟିକୁ ପ୍ରତ୍ୟାବର୍ତ୍ତନ କରିବେ । ରାଜବାଟିରେ ଦିନତମାମ ପୁରାତନ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହ ପ୍ଲାଟିନମ ଜୁବୁଲି ମହୋତ୍ସବର ପରିସମାପ୍ତି ଘଟିବ । ଶେଷରେ ଏହି ପ୍ଲାଟିନମ ଜୁବୁଲି ସହିତ ଅଧିକରୁ ଅଧିକ ଏମପିସି କଲେଜର ପୁରାତନ ଆଲୁମିନି ମାନେ ଜଡିତ ହୋଇ ନିଜର ନାମ ରେଜିଷ୍ଟ୍ରି କରିବା ପାଇଁ କମିଟି ପକ୍ଷରୁ ଅନୁରୋଧ କରାଯାଇଥିଲା । ଶେଷରେ କମିଟିର କୋଷାଧ୍ୟକ୍ଷ ପୂର୍ଣ୍ଣେନ୍ଦୁ ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।

 

 

Leave A Reply