ବାଲିପାଟଣା ତା ୨୦/୧୨ : ଆଜି ଅପରାହ୍ନରେ ବାଲିପାଟଣା ହାଇ ସ୍କୁଲ ଖେଳ ପଡ଼ିଆରେ ଆରମ୍ଭ ହୋଇଛି ଜୟଦେବ ଗୌରବ ସମ୍ମାନ ୨୦୨୩।ଏଥିରେ ଅତିଥି ଭାବରେ ବଲିଉଡ୍ ଚଳଚ୍ଚିତ୍ର ଜଗତର ପ୍ରଖ୍ୟାତ ଖଳନାୟକ ଗୁଲସନ ଗ୍ରୋଭର ଯୋଗଦେଇ ତାଙ୍କର ମନୋମୁଗ୍ଧକର ସଂଳାପ କହି ଦର୍ଶକ ଙ୍କୁ ଆକର୍ଷିତ କରିଥିଲେ।ଏହି କାର୍ଯ୍ୟକ୍ରମରେ ପ୍ରାୟ ଏକଶତ ପ୍ରତିଭା ମାନଙ୍କୁ ଜୟଦେବ ଗୌରବ ସମ୍ମାନ ରେ ସମ୍ମାନିତ କରାଯାଇଥିଲା। ଏମାନଙ୍କ ଭିତରେ ସ୍ଥାନୀୟ ପ୍ରଶାସନିକ ଅଧିକାରୀ,ଆରକ୍ଷୀ ଅଧିକାରୀ,ସଫଳ କବି,ଲେଖକ,ସାମ୍ବାଦିକ ଓ କଳାକାର ମାନେ ରହିଛନ୍ତି।ସିଦ୍ଧି ବିନାୟକ ଟ୍ରଷ୍ଟ ର ଅଧକ୍ଷ ସତ୍ୟପ୍ରିୟ ବେହେରା ଙ୍କ ସଭାପତିତ୍ବରେ ଏହି ସମ୍ମାନ ଉତ୍ସବ ରେ ମୁଖ୍ୟ ଅତିଥି ଭାବରେ ଗବେଷକ ତଥା ଐତିହାସିକ ପ୍ରଫୁଲ୍ଲ ଚନ୍ଦ୍ର ତ୍ରିପାଠୀ,ସମ୍ମାନିତ ଅତିଥି ଭାବରେ ବାଲିପାଟଣା ପ୍ରେସ କ୍ଲବ୍ ର ସଭାପତି ଦିଲ୍ଲୀପ କୁମାର ଓଝା,ଟ୍ରଷ୍ଟ ର ସଦସ୍ୟ ରୁଦ୍ର ପ୍ରସାଦ ଭଞ୍ଜ ଓ ଭାବଗ୍ରାହୀ ଗୋଚ୍ଛାୟତ ପ୍ରମୁଖ ଯୋଗଦେଇ ପ୍ରଖ୍ୟାତ କବି ଜୟଦେବ ଙ୍କ ନାମରେ ପ୍ରଦାନ କରାଯାଇଥିବା ଏହି ସମ୍ମାନ ଅଞ୍ଚଳ ର ଗୌରବ ବୃଦ୍ଧି କରିଛି ବୋଲି ମତ ଦେଇଥିଲେ।ଏହି କାର୍ଯ୍ୟକ୍ରମ ସବୁ ଦିନ ପାଇଁ ଅଞ୍ଚଳ ବାସୀ ଙ୍କ ମନରେ ରହିବ ବୋଲି ସେମାନେ ଦୃଢୋକ୍ତି ପ୍ରକାଶ କରିଥିଲେ।ସମଗ୍ର କାର୍ଯ୍ୟକ୍ରମକୁ ଓଲିଉଡ କଳାକାର ପ୍ରେରଣା ପ୍ରତିଜ୍ଞା ଓ ଅଶ୍ଵିନୀ ତ୍ରିପାଠୀ ଉପସ୍ଥାପନା କରିଥିଲେ। ପରିଶେଷରେ ପପୁ ପମପମ୍,ଓଡ଼ିଶୀ,ପାଇକ ଆଖଡ଼ା ଓ ପ୍ରିନ୍ସ ଡ୍ୟାନସ ଙ୍କ ଦ୍ଵାରା ଦର୍ଶକ ଙ୍କୁ ଭରପୁର ମନୋରଞ୍ଜନ ପରିବେଷଣ କରାଯାଇଥିଲା।ଟ୍ରଷ୍ଟ ର ସ୍ୱେତ୍ସାସେବି ମାନେ ଶାନ୍ତି ଶୃଙ୍ଖଳା ରକ୍ଷା କରି ଥିଲେ। ଏହି କାର୍ଯ୍ୟକ୍ରମ ତିନି ଦିନ ଧରି ଚାଲିବ ଓ ସମ୍ମାନ ପ୍ରଦାନ ସହିତ ବହୁ ନାମୀ ଦାମୀ ଅତିଥି ଏଥିରେ ଯୋଗଦେବେ ବୋଲି ଆୟୋଜକ ସତ୍ୟପ୍ରିୟ ବେହେରା ସୂଚନା ଦେଇଛନ୍ତି।