“ପିରିୟଡିକ୍ ଲେବର ଫୋର୍ସ ସର୍ଭେ” ତଥ୍ୟ ଅନୁଯାୟୀ ଓଡ଼ିଶା ସହରାଚଂଳରେ ଯୁବବର୍ଗର ବେକାରୀ ସମସ୍ୟା ଉତ୍କଟ
ଅସଲ ପ୍ରସଙ୍ଗରୁ ଓଡ଼ିଆ ଯୁବସମାଜକୁ ରାଜ୍ୟ ସରକାର ବିଭ୍ରାନ୍ତ ନକରନ୍ତୁ
ରାଜ୍ୟ ସରକାରଙ୍କ ମହିଳା ସଶକ୍ତିକରଣ ଦାବି “ଏକ ଫମ୍ଫା ମାଠିଆର ଶବ୍ଦ”
ରାଜନୈତିକ ଥଇଥାନ ପାଇଁ ଅବସର ପରବର୍ତୀ ନିଯୁକ୍ତି ଓ ପୁରା ପୃଷ୍ଠା ବିଜ୍ଞାପନ ରାଜ୍ୟ ସରକାରଙ୍କ ବିଫଳତାକୁ ଲୁଚାଇପାରିବ ନାହିଁ
ଭୁବନେଶ୍ୱର,ତା.୩୦/୧୧: ନିର୍ବାଚନ ଋତୁରେ ପୁରା ପୃଷ୍ଠା ରଙ୍ଗିନ ବିଜ୍ଞାପନ ଦ୍ୱାରା ନିଜ ବିଫଳତାକୁ ଲୁଚାଇବାର ଅପଚେଷ୍ଟା କରାଯାଇପାରେ, କିନ୍ତୁ ଏହାଦ୍ୱାରା ମିଥ୍ୟାକୁ ସତ୍ୟରେ ପରିଣତ କରାଯାଇପାରେ ନାହିଁ । ଅବସର ପରବର୍ତୀ ନିଯୁକ୍ତିକୁ ରାଜନୈତିକ ଥଇଥାନ ବୋଲି କୁହାଯାଇପାରେ, ପାପଲବ୍ଧ କ୍ଷମତାର ଅନୈତିକ ଭାଗବଂଟା ବୋଲି କୁହାଯାଇପାରେ । କିନ୍ତୁ ତାହା ଯୁବ ସମାଜ ପାଇଁ ନିଯୁକ୍ତିର ପରିଚାୟକ ହୋଇପାରେ ନାହିଁ । ଭାରତ ସରକାରଙ୍କ ପରିସଂଖ୍ୟାନ ଓ ଯୋଜନା କାର୍ଯ୍ୟାନ୍ୱୟନ ମନ୍ତ୍ରଣାଳୟର ତ୍ରୈମାସିକ “ପିରିୟଡିକ୍ ଲେବର ଫୋର୍ସ ସର୍ଭେ” ଏହି କଥାକୁ ପ୍ରମାଣିତ କରିଛି ବୋଲି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ପ୍ରେସ ବିଜ୍ଞପ୍ତିରେ ରାଜ୍ୟ ମୁଖପାତ୍ର ଶ୍ରୀ ସତ୍ୟବ୍ରତ ପଣ୍ଡା କହିଛନ୍ତି ।
ଉପରୋକ୍ତ ରିପୋର୍ଟ ଭାରତ ବର୍ଷର ବିଭିନ୍ନ ପ୍ରଦେଶରେ ସହରାଂଚଳ ବେକାରୀ ସମସ୍ୟା ଉପରେ ଆଲୋକପାତ କରିଛି । ଏଥିରେ ପ୍ରକାଶପାଇଛି ଯେ, ଭାରତର ସହରାଚଂଳ ଯୁବବର୍ଗମାନଙ୍କ ଭିତରେ ବେକାରୀ ୧୭.୩ ପ୍ରତିଶତ ଥିବାବେଳେ ଓଡିଶାରେ ତାହା ୨୦.୯ ପ୍ରତିଶତ ରହିଛି । ଏମାନଙ୍କ ମଧ୍ୟରୁ ଭାରତୀୟ ଯୁବକମାନଙ୍କ କ୍ଷେତ୍ରରେ ବେକାରୀ ୧୫.୫ ପ୍ରତିଶତ ଥିବାବେଳେ ଓଡ଼ିଶାରେ ତାହା ୧୬.୯ ପ୍ରତିଶତ ରହିଛି । ସେହିପରି ଯୁବତୀମାନଙ୍କ କ୍ଷେତ୍ରରେ ଭାରତୀୟ ସହରମାନଙ୍କ ପାଇଁ ଏହି ଅନୁପାତ ୨୨.୯ ପ୍ରତିଶତ ଥିଲାବେଳେ ଓଡ଼ିଶାରେ ତାହା ୩୧.୯ ପ୍ରତିଶତ । ଏଥିରୁ ରାଜ୍ୟ ସରକାରଙ୍କ ମହିଳା ସଶକ୍ତିକରଣ ଦାବି ଯେ, “ଏକ ଫମ୍ଫା ମାଠିଆର ଶବ୍ଦ” ତାହା ବେଶ୍ ପ୍ରମାଣିତ ହେଉଛି ବୋଲି ଶ୍ରୀ ପଣ୍ଡା କହିଛନ୍ତି ।
ତେଣୁ ଆସନ୍ନ ନିର୍ବାଚନକୁ ଆଖି ଆଗରେ ରଖି ମହାବିଦ୍ୟାଳୟମାନଙ୍କୁ କ୍ରୀଡା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ଲକ୍ଷ ଲକ୍ଷ ଟଙ୍କା ପ୍ରଦାନ କରିଦେଲେ ଓଡ଼ିଶା ଯୁବସମାଜର ଅସଲ ସମସ୍ୟାର ସମାଧାନ ହୋଇପାରେ ନାହିଁ । ଏପରି ଅପଚେଷ୍ଟା ନିଯୁକ୍ତି ଭଳି ଅସଲ ପ୍ରସଙ୍ଗରୁ ଓଡ଼ିଆ ଯୁବସମାଜକୁ ରାଜ୍ୟ ସରକାର ବିଭ୍ରାନ୍ତ ନକରନ୍ତୁ ବୋଲି ଶ୍ରୀ ପଣ୍ଡା ଦାବି କରିଛନ୍ତି ।