ଗତବର୍ଷ ବାଲିଯାତ୍ରାରେ ହୋଇଥିବା ଅନିୟମିତତା ଓ ବ୍ୟାପକ ଦୁର୍ନୀତିର ତଦନ୍ତ କରିବାକୁ ଡରୁଛନ୍ତି କାହିଁକି ମେୟର ସୁବାସ ସିଂ
ଭୁବନେଶ୍ୱର,ତା.୨୩/୧୧: କଟକ ମହାନଗରନିଗମର ବ୍ୟାପକ ଦୁର୍ନୀତି, ଭ୍ରଷ୍ଟାଚାର ଆଜି ହାଟରେ ପଡି ଦାଣ୍ଡରେ ଗଡୁଛି । କଟକ ମେୟର ସୁବାସ ସିଂ ଯେତେବେଳେ ନିର୍ମାଣ ଶ୍ରମିକ ସଂସ୍ଥାରେ ଅଧ୍ୟକ୍ଷ ଥିଲେ ସେତେବେଳେ ଶ୍ରମିକଙ୍କ ନାଁରେ କରଣୀ, ଗଜ, ଓଳମ, ଚପଲ ଓ ସାଇକେଲ କିଣାରେ ଦୁର୍ନୀତି କରି କୋଟି କୋଟି ଟଙ୍କା ଚଳୁ କରିଥିଲେ । ସେହିପରି ଗତବର୍ଷ ବାଲିଯାତ୍ରାର ଅନିୟମିତତା ଓ ବ୍ୟାପକ ଦୁର୍ନୀତିରୁ ମୁକ୍ତ ହୋଇନାହାନ୍ତି ମେୟର ସୁବାସ ସିଂ ଓ ତତ୍କାଳୀନ ଜିଲ୍ଲାପାଳ । ଏବେ ସିଏମ୍ସି ଦୁର୍ନୀତିକୁ ଘୋଡେଇବା ପାଇଁ ଓ କଟକବାସୀଙ୍କ ନଜର ହଟାଇବା ଲକ୍ଷ୍ୟରେ ବାଲିଯାତ୍ରା ଜାତୀୟ ମାନ୍ୟତା ଅଭିଯୋଗର ନାଟକ ରଚନା କରୁଛନ୍ତି ସୁବାସ ସିଂ । ଗତବର୍ଷ ବାଲିଯାତ୍ରାରେ ହୋଇଥିବା ଅନିୟମିତତା ଓ ବ୍ୟାପକ ଦୁର୍ନୀତିର ତଦନ୍ତ କରିବାକୁ ମେୟର ସୁବାସ ସିଂ କାହିଁକି ଡରୁଛନ୍ତି ବୋଲି ରାଜ୍ୟ ମୁଖପାତ୍ର ଶ୍ରୀ ଦିଲୀପ ମଲ୍ଲିକ ପ୍ରଶ୍ନ କରିଛନ୍ତି ।
ଶ୍ରୀ ମଲ୍ଲିକ କହିଛନ୍ତି ଯେ, ସିଏମ୍ସି ମେୟର ସୁବାସ ସିଂଙ୍କ ଅଭିଯୋଗରେ ସତ୍ୟତା ନାହିଁକି ସ୍ପଷ୍ଟତା ନାହିଁ । ଜାତୀୟ ମହୋତ୍ସବ କାହାକୁ କୁହାଯାଏ ଶ୍ରୀ ସିଂ ବୁଝି ନାହାନ୍ତି । ଆମ ଦେଶରେ ଜାତୀୟ ମହୋତ୍ସବର ମାନ୍ୟତା ଅଗଷ୍ଟ ୧୫, ଜାନୁୟାରୀ ୨୬ ଓ ଗାନ୍ଧୀଜୟନ୍ତୀକୁ ମିଳିଛି । ଅନ୍ୟ ସବୁ ଜାତୀୟ ମାନ୍ୟତା ହେଉଚି ସାଂସ୍କୃତିକ ଓ ଧାର୍ମିକ ମହୋତ୍ସବ । ସଠିକ ଭାବରେ ଆବେଦନ ନକରି ସୁବାସ ସିଂ ବାଉଳି ହେଉଛନ୍ତି । କଟକ ବାଲିଯାତ୍ରାର ଜାତୀୟ ମାନ୍ୟତା ନେଇ କଟକ ମେୟରଙ୍କର ମାସେ ତଳେ ମନେ ପଡିଲା । ଆଗରୁ ଶୋଇଥିଲେ କେଉଁଠି? ଆବେଦନ ପାଇଁ କଣ କଣ କ୍ରାଇଟେରିଆ ରହିଛି ଏବଂ କାହାକୁ ଆବେଦନ କରାଯିବ ଓ କଣ ଆବେଦନ କରାଯିବ ଏ ବିଷୟରେ କଟକ ମେୟରଙ୍କ ପାଖରେ ସ୍ପଷ୍ଟତା ନାହିଁ । କେବଳ ସିଏମ୍ସିର ଦୁର୍ନୀତିକୁ କଟକବାସୀଙ୍କ ନଜରରୁ ହଟାଇବା ପାଇଁ ଶ୍ରୀ ସିଂ ଗାଲୁଆ ଗପ ଶୁଣାଉଛନ୍ତି ।