ବାରିପଦା : ହତ୍ୟା କରି ପ୍ରମାଣ ନଷ୍ଟ କରିବା ପାଇଁ ମୃତଦେହକୁ ଲୁଣ ଦେଇ ପୋତିଦେଲେ । ଏହିଭଳି ଏକ ବିଭତ୍ସ ହତ୍ୟାକାଣ୍ଡର ଚିତ୍ର ସମ୍ମୁଖକୁ ଆସିଛି ମୟୂରଭଞ୍ଜ ଜିଲ୍ଲାର କପ୍ତିପଦା ଥାନା ଅନ୍ତର୍ଗତ ସମୀବୃକ୍ଷ ଅଞ୍ଚଳରୁ । ହତ୍ୟା କରି ଘଟଣାକୁ ଲୁଚାଇବା ପାଇଁ ମୃତଦେହ ବିଲରେ ପୋତିବା ପରେ ତାଉପରେ ଗଛ ଡାଳ ପକାଇ ଦେଇଛନ୍ତି । ତେବେ ଘଟଣାର ଖୋଳତାଡ଼ ପରେ ସାମ୍ନାକୁ ବିଭତ୍ସ ହତ୍ୟାକାଣ୍ଡର ଚିତ୍ର ଆସିଛି । ସମୀବୃକ୍ଷ ନିକଟ ବିଲରେ ବୁଧବାର ଏକ ଗଛ ଡାଳ ଭଙ୍ଗା ଯାଇ ରଖାଯାଇଥିବାର ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ । ତତ୍ସହିତ ଡାଳ ନିକଟରେ ଡାଳ ଉଠାଇ ପ୍ରାୟଃ ଦୁଇଫୁଟ ଖୋଳିବା ପରେ ଏକ ମୃତଦେହ ପୋତା ଯାଇଥିବା ଦେଖିବାକୁ ମିଳିଥିଲା । ମୃତକ ଜଣକ ହେଲେ ବାଲେଶ୍ୱର ଜିଲ୍ଲାର ରେମୁଣା ଥାନା ଅଞ୍ଚଳର ଚିତ୍ତରଞ୍ଜନ ବେହେରା(୩୫) । ମୃତକର ଦେହରେ ଲୁଣ ପକାଯାଇ ପୋତା ଯାଇଥିବାବେଳେ ଗୋଟିଏ କିମ୍ବା ଦୁଇଦିନ ପୂର୍ବରୁ ହତ୍ୟା କରାଯାଇ ପ୍ରମାଣ ନଷ୍ଟ କରିବାକୁ ପ୍ରଚେଷ୍ଟା କରାଯାଇଥିବା ନେଇ ପ୍ରାଥମିକ ତଦନ୍ତ ପୁଲିସ ସନେ୍ଦହ କରିଛି । ଖବର ପାଇ କପ୍ତିପଦା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।