ବାରିପଦା : ବାରିପଦା ଷ୍ଟାଡିୟମ ସମ୍ମିଳନୀ କକ୍ଷରେ ଓଡିଶା ସ୍ୱାସ୍ଥ୍ୟ ମିଶନ ପରିଚାଳନା କର୍ମଚାରୀ ସଂଘର ଜୋନାଲ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ରାଜ୍ୟସଭାପତି ରବୀନ୍ଦ୍ର କୁମାର ଜେନା ସଭାପତିତ୍ୱ କରିଥିବାବେଳେ ସାଂଗଠନିକ ସଭାପତି କବିପ୍ରସାଦ ସାହୁ, ଉପସଭାପତି ଉମାଶଙ୍କର ସାହୁ, କୋଷାଧ୍ୟକ୍ଷ ତପନ କୁମାର ମାଣ୍ଟୁ, ଯୁଗ୍ମ ସମ୍ପାଦକ ଜୟନ୍ତ କୁମାର ଭୋଇ, ଜିଲ୍ଲା ସଭାପତି ତଥା ଆୟୋଜକ ଶିବ ନାରାୟଣ ଦତ୍ତ ସମେତ ଅନ୍ୟମାନେ ଯୋଗ ଦେଇଥିଲେ । ଏହି ବୈଠକରେ ମୟୂରଭଞ୍ଜ, କେନ୍ଦୁଝର ଆଦି ଜିଲ୍ଲାରୁ ଜନ ସ୍ୱାସ୍ଥ୍ୟ ମ୍ୟାନେଜର ମାନେ ଯୋଗ ଦେଇଥିଲେ । ପ୍ରାରମ୍ଭିକ ପର୍ଯ୍ୟାୟରେ ସଂଘର ସଦସ୍ୟ ମାନେ ରକ୍ତଦାନ କରିଥିଲେ । ରାଜ୍ୟର ବିଭିନ୍ନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ଉପଖଣ୍ଡ ଓ ସଦର ଡାକ୍ତରଖାନା, ମେଡିକାଲ କଲେଜ ତଥା ରାଜ୍ୟର ବିଭିନ୍ନ ସ୍ୱାସ୍ଥ୍ୟ ନିଦେ୍ର୍ଦଶାଳୟରେ କାର୍ଯ୍ୟରତ ଡାକ୍ତରଖାନା ପରିଚାଳକ, ଜନ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ପରିଚାଳକ, ଜନ ସ୍ୱାସ୍ଥ୍ୟ ଅର୍ଥ ପରିଚାଳକ, ଜନ ସ୍ୱାସ୍ଥ୍ୟ ତଥ୍ୟ ପରିଚାଳକ, ଜନ ସ୍ୱାସ୍ଥ୍ୟ ଗୋଷ୍ଠୀ ସ୍ୱାସ୍ଥ୍ୟ ସେବା ପରିଚାଳକ, ଶିଶୁ ସ୍ୱାସ୍ଥ୍ୟ ପରିଚାଳକ, ଅଣ ସଂକ୍ରାମକ ରୋଗ ପରିଚାଳକ, ସଂକ୍ରମକ ରୋଗ ପରିଚାଳକ, ସହରାଞ୍ଚଳ ଜାତୀୟ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମରୁ ଜନସ୍ୱାସ୍ଥ୍ୟ ପରିଚାଳକ, ଅର୍ଥ ଓ ତଥ୍ୟ ପରିଚାଳକ, ଅଫିସ ସହାୟକ, ପିଅନ ଆଦି ପ୍ରାୟଃ ଚାରିହଜାର କର୍ମଚାରୀ ଦୀର୍ଘ ୧୭ବର୍ଷଧରି ଠିକା ନିଯୁକ୍ତିରେ କାର୍ଯ୍ୟ କରିଆସୁଥିଲେବି ଆଜି ପର୍ଯ୍ୟନ୍ତ ସେମାନଙ୍କର ଚାକିରି ନିୟମିତ ହୋଇ ପରିନାହିଁ । ଏ ସମ୍ପର୍କରେ ସରକାରଙ୍କ ଦୃଷ୍ଟି ଆକର୍ଷଣ ପାଇଁ ଭୁବନେଶ୍ୱରର ଗାନ୍ଧୀ ମାର୍ଗରେ ଗତବର୍ଷ ନିଜର ଏକ ମାତ୍ର ଦାବି ଚାକିରି ନିୟମିତ ପାଇଁ ଏକ ବିଶାଳ ସମାବେଶର କରି ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର ଦିଆ ଯାଇଥିଲେ ବି ଅଦ୍ୟାବଧି ସରକାର ସେ ସମ୍ପର୍କରେ କିଛି ବିଧିବଦ୍ଧ ନିଷ୍ପତ୍ତି ନେଇ ନାହାନ୍ତି । ଏହି ଜନ ସ୍ୱାସ୍ଥ୍ୟ ମ୍ୟାନେଜର ମାନେ ବିଗତ ଦିନରେ ଅନେକ ଆଖି ଦୁର୍ଶିଆ କାର୍ଯ୍ୟ ଯେମିତିକି ମହାମାରୀ କୋଭିଡ୍ ସମୟରେ କୋଭିଡ ରୋଗୀ ପରିଚାଳନା, କୋଭିଡ ଟେଷ୍ଟିଙ୍ଗ, କୋଭିଡ ଟୀକାକରଣ, କୋଭିଡ ରୋଗୀ ସ୍ଥାନାନ୍ତର ସୁପରିଚାଳନା ସାଙ୍ଗକୁ ମ୍ୟାଲେରିଆ ଦମନ, ପୋଲିଓ ନିର୍ମୂଳ, ଯକ୍ଷ୍ମାରୋଗ ନିୟନ୍ତ୍ରଣ, ସତ ପ୍ରତିଶତ ଆନୁଷ୍ଠାନିକ ପ୍ରସବ, ଶିଶୁ ଓ ମାତୃ ମୃତୁ୍ୟହାର ଆଶାତୀତ ହ୍ରାସ, ସମ୍ପୂର୍ଣ୍ଣ ଟୀକାକରଣ କ୍ଷେତ୍ରରେ ଅଭୂତପୂର୍ବ ସଫଳତା, ସ୍ୱାସ୍ଥ୍ୟ ଅନୁଷ୍ଠାନ ଗୁଡିକର ଗୁଣବତ୍ତା କ୍ଷେତ୍ରରେ କାୟାକଳ୍ପ ପୁରସ୍କାର ଓ ଜାତୀୟ ଗୁଣବତ୍ତା ମାନାଙ୍କ ପ୍ରମାଣପତ୍ର ଠାରୁ ଆରମ୍ଭ କରି ଅନେକ ସଫଳତା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗକୁ ଆଣିଦେଇଛନ୍ତି । ଏପରିକି ଏମାନଙ୍କ ସେବା ରାଜ୍ୟ ସରକାରଙ୍କ ପାଇଁ ଅତ୍ୟାବଶ୍ୟକ ହୋଇପଡିଥିବା ବେଳେ ରାଜ୍ୟସରକାର ବିଗତ ଆଠମାସ ଧରି ଅତ୍ୟାବଶ୍ୟକ ସେବା ଆଇନି (ଏଏସଏମଏ) ଲଗାଇ ଏମାନଙ୍କୁ ବିଭିନ୍ନ ଆନେ୍ଦାଳନରୁ ବିରତ କରାଇଛନ୍ତି । ପ୍ରକାଶ ଥାଉକି କେନ୍ଦ୍ର ସରକାର ଜାତୀୟ ସ୍ୱାସ୍ଥ୍ୟ ନୀତି ୨୦୧୭ ଏବଂ ଜନ ସ୍ୱାସ୍ଥ୍ୟ ମ୍ୟାନେଜମେଣ୍ଟ କ୍ୟାଡ଼ର ପାଇଁ ୨୦୨୨ରେ ନୀତି ନିର୍ଦ୍ଧାରଣ କରିଥିଲେ ବି ରାଜ୍ୟସରକାର ଜନ ସ୍ୱାସ୍ଥ୍ୟ ମ୍ୟାନେଜମେଣ୍ଟ କ୍ୟାଡ଼ର ସୃଷ୍ଟି କରିବା ପାଇଁ ଟାଳଟୁଳ ନୀତି ଅବଲମ୍ବନ କରିଆସୁଛନ୍ତି । ଏ ସମ୍ପର୍କରେ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇ ସାତ ସାତ ଥର ବୈଠକ ସରିଥିଲେ ମଧ୍ୟ ତାର ସମ୍ପୂର୍ଣ୍ଣ ରିପୋର୍ଟ ସରକାରଙ୍କୁ ଜାତୀୟ ସ୍ୱାସ୍ଥ୍ୟ ମିଶନ ନିଦେ୍ର୍ଦଶାଳୟ ଦେବାରେ ବିଳମ୍ବ କରୁଛନ୍ତି ବୋଲି ପ୍ରକାଶ କରାଯାଇଥିଲା ।