ବାରିପଦା : ବିଶ୍ୱପ୍ରସିଦ୍ଧ ଶିମିଳିପାଳ ଅଭୟାରଣ୍ୟ ଶନିବାର ଠାରୁ ପର୍ଯ୍ୟଟକମାନଙ୍କ ପାଇଁ ଖୋଲା ହୋଇଅଛି । ଆଜି ପ୍ରଥମଦିନରେ ଲୁଲୁଙ୍ଗ ସ୍ଥିତ ପିଠାବଟା ଫାଟକ ଓ ଯଶିପୁର ସ୍ଥିତ କାଳିଆଣୀ ତନଖୀ ଫାଟକ ଦେଇ ୧୩ଟି ଯାନରେ ମୋଟ୍ ୭୩ଜଣ ପର୍ଯ୍ୟଟକ ଶିମିଳିପାଳ ବୁଲିବାକୁ ଯାଇଛନ୍ତି । ସେଥିମଧ୍ୟରୁ ଓଡିଶା ରାଜ୍ୟରୁ ୫୦ଜଣ ଓ ଅନ୍ୟ ରାଜ୍ୟରୁ ୨୩ଜଣ ପର୍ଯ୍ୟଟକ ଶିମିଳିପାଳ ଅଭୟାରଣ୍ୟର ମନଲୋଭା ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ଜୀବଜନ୍ତୁଙ୍କୁ ଦେଖିବାକୁ ଯାଇଛନ୍ତି । ଉଭୟ ଫାଟକରେ ଶିମିଳିପାଳ ଉଚ୍ଚ କତ୍ତୃପକ୍ଷ ମାନେ ଉପସ୍ଥିତ ରହି ପର୍ଯ୍ୟଟକମାନଙ୍କୁ ଗୋଲାପ ଫୁଲ ଦେଇ ସ୍ୱାଗତ କରିଥିଲେ । ଏତତ୍ବ୍ୟତୀତ କିଛି ପର୍ଯ୍ୟଟକମାନେ ଶିମିଳିପାଳ ଅଭୟାରଣ୍ୟରେ ରାତ୍ରିଯାପନ କରିଛନ୍ତି । ଏଠାରେ ସୂଚନାଯୋଗ୍ୟ ଯେ, ପ୍ରତିଦିନ ସକାଳ ୬ଟାରୁ ୯ଟା ମଧ୍ୟରେ ଯଶିପୁର ଫାଟକ ଦେଇ ସର୍ବପ୍ରଥମେ ଆସିଥିବା ୩୫ଟି ଯାନ ଓ ଲୁଲୁଙ୍ଗ ଦେଇ ୨୫ଟି ଯାନ ମୋଟ୍ ୬୦ଟି ଚାରିଚକିଆ ଯାନ ଶିମିଳିପାଳ ମଧ୍ୟକୁ ପ୍ରବେଶ କରିପାରିବ ଓ ପ୍ରତିଟି ଯାନରେ ଜଣେ ଲେଖାଏଁ ଗାଇଡ୍ଙ୍କୁ ନେବାର ନିୟମ ରହିଛି । ବିଶେଷକରି ପର୍ଯ୍ୟଟକମାନେ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ ମଧ୍ୟରେ ଥିବା କୁମାରୀ, ଗୁଡୁଗୁଡିଆ, ରାମତୀର୍ଥ, ବରେହିପାଣି ଓ ଜାମୁଆଣୀରେ ଥିବା ଯାତ୍ରୀନିବାସ ଗୁଡିକରେ ଅଗ୍ରୀମ ବୁକିଂ କରି ରାତ୍ରିଯାପନ କରିପାରିବେ । ରାତ୍ରୀଯାପନ କରିବାକୁ ଚାହୁଁଥିବା ପର୍ଯ୍ୟଟକ ମାନେ ଙଞଊଉ କିମ୍ବା ଙ୍ଗଙ୍ଗଙ୍ଗ.ରମକ୍ଟଗ୍ଧକ୍ଟଙ୍କକ୍ସକ୍ଟୟସଗ୍ଦଷବ.ମକ୍ଟଜ୍ଞ ୱେବସାଇଟ୍ରେ ଅନ୍ଲାଇନ୍ କଟେଜ୍ ବୁକିଂ କରି ଏହି ସୁବିଧା ନେଇ ପାରିବେ । ଚଳିତ ବର୍ଷ ପର୍ଯ୍ୟଟକ ମାନଙ୍କ ପାଇଁ ଶିମିଳିପାଳକୁ ଅଧିକ ଆକର୍ଷଣୀୟ କରିବା ପାଇଁ ସାଇକେଲ୍ ରାଇଡିଂ ଏବଂ ପିଲାମାନଙ୍କ ପାଇଁ ଇଣ୍ଡର ଖେଳ ଆଦିର ବ୍ୟବସ୍ଥା କରାଯାଇଥିବାବେଳେ ୱାଚ୍ ଟାୱାରରୁ ବନ୍ୟଜନ୍ତକୁ ଦେଖିବାର ମଧ୍ୟ ସୁଯୋଗ ପାଇପାରିବେ ପର୍ଯ୍ୟଟକ ମାନେ । ଏଥିସହ ପର୍ଯ୍ୟଟକ ମାନଙ୍କୁ ପ୍ରାକୃତିକ ଅନୁଭୂତି ଦେବା ପାଇଁ ସାନ୍ତାଳୀ ସମ୍ପ୍ରଦାୟର କୁଟୀର, ଆଦିବାସୀ କୁଟୀର, ବାଉଁଶ କୁଟୀର ଓ ଟ୍ରିହାଉସର ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।