Odisha news

କୃଷି ବିଜ୍ଞାନୀ ଡକ୍ଟର ଗୌର ଚରଣ ତୋଷଙ୍କ ପରଲୋକ

0

ନିରାକାରପୁର,୧୯/୬:   ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଗୋଳବାଇ ଗ୍ରାମର କୃତି ସନ୍ତାନ ତଥା ଓଡିଶା ସରକାରଙ୍କ କୃଷି ବିଭାଗର ପୂର୍ବତନ ଜିଲ୍ଲା କୃଷି ଅଧିକାରୀ ପ୍ରଫେସର ଡକ୍ଟର ଗୌର ଚରଣ ତୋଷଙ୍କ ମଙ୍ଗଳବାର ପୂର୍ବାହ୍ଣରେ ତାଙ୍କର ଜନ୍ମମାଟି ଗୋଳବାଇସ୍ଥିତ ବାସଭବନରେ ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ଅଠାଅଶୀ ବର୍ଷ ହୋଇଥିଲା । ପିଲାଟିବେଳୁ ଡକ୍ଟର ତୋଷ ଜଣେ ମେଧାବୀ ଛାତ୍ର ଥିଲେ । ପରବର୍ତ୍ତୀ ସମୟରେ ସେ ଉଚ୍ଚ ଶିକ୍ଷାରେ କୃତକାର୍ଯ୍ୟ ହୋଇ ଓଡିଶା ସରକାରଙ୍କ କୃଷି ବିଭାଗର ଜିଲ୍ଲା କୃଷି ଅଧିକାରୀ ଭାବରେ ନିଯୁକ୍ତି ପାଇ କୃଷି ସମ୍ବନ୍ଧୀୟ ଉଚ୍ଚ ଗବେଷଣା କରି ଅନେକ ସଫଳତା ହାସଲ କରିଛନ୍ତି । କୃଷି ଉପରେ ଗବେଷଣା କରି ଡକ୍ଟେରିଏଟ୍ ଉପାଧି ହାସଲ କରିବା ସହିତ କୃଷିକାର୍ଯ୍ୟ କ୍ଷେତ୍ରରେ ନୂତନତ୍ଵ ଆଣିବାରେ ସକ୍ଷମ ହୋଇଥିଲେ । ତାଙ୍କର ନିଷ୍ଠାପର ଉଦ୍ୟମ ତଥା ସଚୋଟ କାର୍ଯ୍ୟଧାରା ପାଇଁ ସେ ସର୍ବୋଚ୍ଚ ରାଷ୍ଟ୍ରପତି ସମ୍ମାନ ଦ୍ୱାରା ସମ୍ମାନିତ ହୋଇଥିଲେ । ଚାକିରୀ କ୍ଷେତ୍ରରେ ଓଡ଼ିଶା କୃଷି ବିଭାଗ ପାଇଁ ବିଭିନ୍ନ ବିକାଶମ୍ମୁଖୀ କାର୍ଯ୍ୟ କରି ଜଣେ ବରିଷ୍ଠ ପ୍ରଫେସର ଭାବରେ ଅନେକ ବର୍ଷ କାର୍ଯ୍ୟ ଶେଷରେ ଗଂଜାମ ଜିଲ୍ଲା କୃଷି ଅଧିକାରୀ ଥିବାବେଳେ ତାଙ୍କର ଅବସର ହୋଇଥିଲା । ଅବସର ପରେ ମଧ୍ୟ ସେ ନିଜ ଗ୍ରାମ ସହିତ ଖୋର୍ଦ୍ଧା ଜିଲ୍ଲାର ଅନେକ ଅଞ୍ଚଳକୁ ଯାଇ କୃଷକମାନଙ୍କୁ ବିଭିନ୍ନ ବିହନ , ସାର ଏବଂ କିପରି ଉନ୍ନତ ପ୍ରଣାଳୀରେ ଚାଷ କାର୍ଯ୍ୟ କରି ଗରିବ ଚାଷୀମାନେ ଅଧିକ ଉପାର୍ଜନ କ୍ଷମ ହୋଇପାରିବେ ସେ ବିଷୟରେ ବିନା କୌଣସି ଦେୟରେ ଶିକ୍ଷା ପ୍ରଦାନ କରି ନିଜକୁ ଆନନ୍ଦ ଅନୁଭବ କରୁଥିଲେ । ଡକ୍ଟର ତୋଷ ଜଣେ ମେଳାପୀ , ମିଷ୍ଟଭାଷୀ , ଜ୍ଞାନୀ ଏବଂ ସହୃଦୟ ମଣିଷଭାବରେ ବେଶ୍ ଜଣାଶୁଣା । ଆଜି ତାଙ୍କ ଦେହାନ୍ତରେ ଗୋଳବାଇ ତଥା ବିଭିନ୍ନ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ତାଙ୍କର ପରଲୋକ ଦୁଃଖରେ ଶ୍ରୀଶ୍ରୀ ରଘୁନାଥ ନାଟ୍ୟ ସଂସଦ , ଗୋଳବାଇ , ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ।

Leave A Reply