Odisha news

କର୍କଟ ନିରାକରଣ ପାଇଁ ସଚେତନତା ଜରୁରୀ

0

ଡାକ୍ତର ଶ୍ରୀ ଦାସ ମଜୁମ୍ଦାର : ଏବେ ଆମ ଦେଶ ତଥା ରାଜ୍ୟରେ କର୍କଟ ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଥିବା ବେଳେ ଏହାର ନିରାକରଣ ଉପରେ ଗୁରୁତ୍ୱ ଦିଆଯିବାର ଯଥେଷ୍ଟ ଆବଶ୍ୟକତା ରହିଛି । ବିଶେଷ କରି ଲୋକମାନେ ଅଧିକରୁ ଅଧିକ ସଚେତନ ହୋଇପାରିଲେ ନିଶ୍ଚିତ ଭାବେ ଏହି କର୍କଟ ରୋଗୀଙ୍କ ସଂଖ୍ୟା ହ୍ରାସ ପାଇବ । ବିଶେଷ କରି ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ (ଆଇସିଏମ୍ଆର)ର ରିପୋର୍ଟ ଅନୁଯାୟୀ ଭାରତରେ କର୍କଟ ରୋଗ ବୃଦ୍ଧି ଘଟୁଛି । ଏପରିକି ଆସନ୍ତା ୫ ବର୍ଷ ମଧ୍ୟରେ ଭାରତରେ କର୍କଟ ରୋଗୀଙ୍କ ସଂଖ୍ୟା ୧୨ ପ୍ରତିଶତ ବୃଦ୍ଧି ପାଇବ ବୋଲି ଆଶଙ୍କା ମଧ୍ୟ କରାଯାଇଛି । ତେବେ ଲୋକମାନେ ସଚେତନ ହେଲେ ଏହି କର୍କଟ ରୋଗର ହାର ଯଥେଷ୍ଟ ହ୍ରାସ ପାଇବ ବୋଲି ବରିଷ୍ଠ କର୍କଟ ରୋଗ ବିଶେଷଜ୍ଞ ତଥା ଡାକ୍ତର ସରୋଜ କୁମାର ଦାସ ମଜୁମ୍ଦାର କହିଛନ୍ତି । ଶ୍ରୀ ଦାସ ମଜୁମ୍ଦାର ଗଣମାଧ୍ୟମକୁ କହିଛନ୍ତି ଯେ, ବର୍ତ୍ତମାନର ପରିସ୍ଥିତିକୁ ବିଚାରକୁ ନେଲେ ଯାହା ଅନୁମାନ କରାଯାଏ ୨୦୨୫ ସୁଦ୍ଧା ଭାରତରେ କର୍କଟରୋଗୀଙ୍କ ସଂଖ୍ୟା ୧୫.୬୯ ଲକ୍ଷ ଅତିକ୍ରମ କରିବ ।

ଆଇସିଏମଆର୍ ରିପୋର୍ଟରେ ପ୍ରକାଶ ପାଇଛି ଯେ ଦିଲ୍ଲୀରେ ପିଲାମାନଙ୍କଠାରେ କର୍କଟ ରୋଗ ସଂଖ୍ୟା ବୃଦ୍ଧି ପାଉଛି । ଏହି ଆଇସିଏମ୍ଆର୍ ରିପୋର୍ଟ ଏବେ ଡାକ୍ତର ଓ ବିଶେଷଜ୍ଞମାନଙ୍କୁ ଚିନ୍ତାରେ ପକାଇଦେଇଛି । ଏହି ରିପୋର୍ଟରୁ ଜଣାପଡ଼ିଛି ଯେ, ୨୦୨୧ ମସିହାରେ ମୋଟ କ୍ୟାନସରର ୩୩.୩% ତମାଖୁ ବ୍ୟବହାର ଯୋଗୁଁ ଲୋକମାନେ କ୍ୟାନସରରେ ପୀଡ଼ିତ ହୋଇଥିବା ଜଣାପଡ଼ିଛି । ତେବେ ଏହା ମଧ୍ୟରୁ ୪୮.୭% ପୁରୁଷ କ୍ୟାନସରରେ ପୀଡ଼ିତ ହୋଇଥିବାବେଳେ ୧୬.୫% ମହିଳା କ୍ୟାନସରରେ ପୀଡ଼ିତ ହୋଇଛନ୍ତି । ବେଙ୍ଗାଲୁରୁ ସ୍ଥିତ ନ୍ୟାସନାଲ ସେଣ୍ଟର ଅଫ ଡିଜିଜ୍ ଇନଫରମେଟିକ ଆଣ୍ଡ ରିସର୍ଚ୍ଚ ଓ ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ ଇନଫରମେଟିକ ଆଣ୍ଡ ରିସର୍ଚ୍ଚ ଶାଖା ପକ୍ଷରୁ ଏହି କ୍ୟାନସର ରୋଗ ଉପରେ ମିଳିତ ସର୍ଭେ କରାଯାଇଛି । ତଥ୍ୟ ଅନୁଯାୟୀ ଦୀର୍ଘ ୭ ବର୍ଷର୍ ଧରି ଏନସିଡିଆଇଆର କ୍ୟାନସର କେସ୍ ଉପରେ ସର୍ଭେ କରିଆସୁଛି । ସେହିଭଳି ସମଗ୍ର ଏସିଆରେ ମହିଳାମାନଙ୍କ ମଧ୍ୟରେ ଫୁସଫୁସ କର୍କଟ ରୋଗର ସର୍ବାଧିକ ମାମଲା ଦେଖାଯାଇଛି । ଡାକ୍ତର ଶ୍ରୀ ଦାସ ମଜୁମ୍ଦାର କହିଛନ୍ତି ଯେ, ଦୀର୍ଘଦିନ ଧରି କର୍କଟ ରୋଗରେ ଦ୍ରୁତ ଅଭିବୃଦ୍ଧି ହେଉଥିବା ଲକ୍ଷ୍ୟ କରାଯାଇଛି ଏବଂ ଏହା ପଛରେ ତମାଖୁ ଏକ ବଡ଼ କାରଣ ଭାବେ ଉଭା ହୋଇଛି । କେବଳ ତମାଖୁ ନୁହେଁ ବିଭିନ୍ନ ପ୍ରକାର ନିଶା ବା ମାଦକ ଦ୍ରବ୍ୟ ସେବନ ଦ୍ୱାରା କର୍କଟ ରୋଗୀଙ୍କ ସଂଖ୍ୟା ବଢିଛି । ୪୦ ପ୍ରତିଶତ କର୍କଟ ତମାଖୁ ସେବନ ହେତୁ ହୋଇଥାଏ ଏବଂ ବର୍ତ୍ତମାନ ଏହି ରୋଗ ୨୦-୨୫ ବର୍ଷର ଯୁବକମାନଙ୍କ ମଧ୍ୟରେ ଅଧିକ ଦେଖାଯାଉଛି ।

ଶ୍ରୀ ଦାସ ମଜୁମ୍ଦାରଙ୍କ କହିବାନୁଯାୟୀ ତମାଖୁ ସେବନକୁ ଠିକ ସମୟରେ ନିୟନ୍ତ୍ରଣ କରାଯିବା ଦରକାର । ଯଦି ଏହା ନ ହୁଏ, ତେବେ ଆଗାମୀ ଦିନରେ ଫୁସଫୁସ କର୍କଟ ରୋଗ ଭୟଙ୍କର ଭାବେ ବୃଦ୍ଧି ପାଇବା ସମ୍ଭାବନା ରହିଛି । ୧୦ ବର୍ଷ ମଧ୍ୟରେ ଆମେ କର୍କଟ ରୋଗୀଙ୍କ ସଂଖ୍ୟା ବୃଦ୍ଧି ହୋଇଥିବା ଦେଖିବାକୁ ପାଇଛୁ । ତମାଖୁ ଏବଂ ବାୟୂପ୍ରଦୂଷଣ ସହ ଜଡ଼ିତ ରୋଗ କର୍କଟର ମୂଳ ଉତ୍ସ ବୋଲି ନିଃସନେ୍ଦହରେ କୁହାଯାଇପାରେ । ‘ଗ୍ଲୋବାଲ ବର୍ଡେନ ଅଫ ଡିଜିଜ୍ ଷ୍ଟଡ଼ି’ ଅନୁଯାୟୀ ମହିଳାମାନଙ୍କ କ୍ଷେତ୍ରରେ ଭାରତରେ ସର୍ବାଧିକ ସ୍ତନ କର୍କଟ ରୋଗ ଦେଖାଦେଉଛି । ମହିଳାମାନଙ୍କଠାରେ ସ୍ତନ କର୍କଟ ସହିତ ଗର୍ଭାଶୟ କର୍କଟ, କୋଲେନ କର୍କଟ, କୋଲନ ଏବଂ ରେକ୍ଟମ ସମସ୍ୟା ମଧ୍ୟ କିଛି କମ୍ ନୁହେଁ । ଏହାଛଡ଼ା କେତେକାଂଶରେ ଓଠ କର୍କଟ ରୋଗ ମଧ୍ୟ ଦେଖିବାକୁ ମିଳୁଛି । ଅଧ୍ୟୟନ ଅନୁଯାୟୀ ମହିଳାମାନଙ୍କଠାରେ ଜରାୟୁ, ଗ୍ରୀବା, ଗର୍ଭାଶୟ କର୍କଟ, ବୃହଦ୍ଦନ୍ତ୍ର କର୍କଟ, ମୁଖ ଗହ୍ୱର କର୍କଟ ଆଦି ଦେଖିବାକୁ ମିଳୁଥିବାବେଳେ ପୁରୁଷଙ୍କ ଶରୀରରେ କୋଲନ କର୍କଟ, ସ୍ତନ କର୍କଟ, ମୁଖ ଗହ୍ୱର କର୍କଟ ଆଦି ଦେଖିବାକୁ ମିଳିଛି । ଉଭୟ ମହିଳା ଓ ପୁରୁଷଙ୍କ କ୍ଷେତ୍ରରେ ଏବେ ବିଭିନ୍ନ ପ୍ରକାର କର୍କଟ ରୋଗ ଦେଖାଦେଉଛି । ବିଶେଷ କରି ଠିକ ସମୟରେ ଖାଦ୍ୟ ଗ୍ରହଣ ନକରିବା ଏବଂ ଉପଯୁକ୍ତ ଶାରିରୀକ ପରିଶ୍ରମ ନକରିବା ଘଟଣା କର୍କଟ ରୋଗକୁ ଅଧିକ ପ୍ରୋତ୍ସାହିତ କରିଥାଏ ।

ତେବେ ସେ ଯାହା ହେଉନା କାହିଁକି ଆମ ଶରୀରରେ ଯଦି କିଛି ବ୍ୟତିକ୍ରମ ଦେଖାଦିଏ ତେବେ ତୁରନ୍ତ ବିଶେଷଜ୍ଞ ଓ ଡାକ୍ତରମାନଙ୍କ ପରାମର୍ଶ ନିଆଯିବା ଜରୁରି । ଦୀର୍ଘଦିନ ଧରି ଘା’ ବା କ୍ଷତଚିହ୍ନ ନ ଶୁଖିବା, ଝାଡ଼ା ପରିସ୍ରାରେ କିମ୍ବା ବାନ୍ତିରେ ବାରମ୍ବାର ରକ୍ତ ପଡ଼ିବା, ଶରୀରର କୋ÷ଣସି ସ୍ଥାନରେ ଗେଟାଳିଆ ବା ଆବୁ ଦେଖାଦେବା କ୍ୟାନସର ରୋଗର ମୂଳ ଲକ୍ଷଣ ହୋଇଥାଏ । ଏଭଳି ସ୍ଥିତିରେ କାଳବିଳମ୍ବ ନକରି ଡାକ୍ତରଙ୍କ ପରାମର୍ଶ ନିଆଯିବା ଉଚିତ । ଏବେ ପାକସ୍ଥଳୀ କର୍କଟ ରୋଗୀଙ୍କ ସଂଖ୍ୟା ମଧ୍ୟ କିଛି କମ୍ ନାହିଁ । ତେଣୁ ଗ୍ୟାଷ୍ଟ୍ରିକ ସମସ୍ୟା ଉପୁଜିବା ମାତ୍ରେ ଏହାର ପ୍ରତିକାର କରାଯିବା ନିହାତି ଆବଶ୍ୟକ । ବିଶେଷ କରି କହିବାକୁ ଗଲେ ପ୍ରାଥମିକ ପର୍ଯ୍ୟାୟରେ କର୍କଟ ରୋଗ ଚିହ୍ନଟ ହୋଇପାରିଲେ ଏବଂ ତାର ଉପଯୁକ୍ତ ଚିକିତ୍ସା ହେଲେ ରୋଗୀଟି ସୁସ୍ଥ ଜୀବନଯାପନ କରୁଥିବା ନଜିର ରହିଛି । ତେଣୁ ସାମାନ୍ୟ ଲକ୍ଷଣ ଦେଖିବା ମାତ୍ରେ ବିଶେଷଜ୍ଞଙ୍କ ସହ ପରାମର୍ଶ ଜରୁରି ହୋଇଥାଏ । ଲୋକମାନେ ସଚେତନ ହେଲେ ଏହି କର୍କଟ ରୋଗର ନିରାକରଣ ସମ୍ଭବ ହୋଇପାରିବ ବୋଲି ଡାକ୍ତର ଶ୍ରୀ ଦାସ ମଜୁମ୍ଦାର କହିଛନ୍ତି ।

 

Leave A Reply