ବେତନଟୀ : ବୈଶିଙ୍ଗା ଥାନା ଅଧିନ କଳମା ଛକ ଉପକଣ୍ଠ ମା ପଶ୍ଚିମା ମନ୍ଦିର ନିକଟରେ ୨୦୨୧ ମସିହା ଡିସେମ୍ବର ମାସ ୨୫ ତାରିଖରେ ହିନ୍ଦୁ ମୁସଲମାନ ମଧ୍ୟରେ ଗଣ୍ଡଗୋଳରୁ ଜଙ୍ଖରାଇ ଗ୍ରାମର ଶେଖ ଜିଲାନିଙ୍କର ମୃତ୍ୟୁ ଘଟିଥିବାବେଳେ ଏହାକୁ କେନ୍ଦ୍ର କରି ୨୬ ତାରିଖ ରାତି ସମୟରେ ତପନ କୁମାର ନାଥଙ୍କର ଗୋବିନ୍ଦରାୟପୁର ଗ୍ରାମରେ ଥିବା ଆଲୋକ ମେଡିକାଲ ଷ୍ଟୋର ନାମକ ଔଷଧ ଦୋକାନରୁ ମାରଣାସ୍ତ୍ର ଧରି ସଂଘବଦ୍ଧ ଲୁଟପାଟ କରିବା ତଥା ନିଆଁ ଲଗାଇଦେବା ଘଟଣାରେ ଜଡିତ ଜଣକୁ ଗିରଫକରି ବୁଧବାର କୋର୍ଟ ଚାଲାଣ କରିଛି ବୈଶିଙ୍ଗା ପୁଲିସ l ଗିରଫ ଅଭିଯୁକ୍ତ ଜଣକ ହେଉଛି ବାଲେଶ୍ଵର ସଦରଥାନା ଅଧୀନ ଚଷାଖଣ୍ଡ ଗ୍ରାମର ଶେଖ ଯେଇରୁଦ୍ଦିନର ପୁଅ ଶେଖ ସେଉଜୁ ଓରଫ ସେଉଜୁଦ୍ଦିନ l ସୂଚନା ମୁତାବକ କୌଣସି ଘଟଣାକୁ ନେଇ କଳମାସ୍ଥିତ ମା ପଶ୍ଚିମା ମନ୍ଦିର ନିକଟରେ ହିନ୍ଦୁ ମୁସଲମାନ ମଧ୍ୟରେ କୌଣସି କଥାକୁ ନେଇ ଗଣ୍ଡଗୋଳ ହୋଇଥିଲା l ତେବେ ଉଭୟ ପକ୍ଷଙ୍କ ମଧ୍ୟରେ ମାରପିଟ ଯୋଗୁଁ ଶେଖ ଜିଲାନିଙ୍କର ମୃତ୍ୟୁ ଘଟିଥିଲା l ଏହାକୁ କେନ୍ଦ୍ର କରି ସମ୍ପୃକ୍ତ ଅଞ୍ଚଳରେ ଉତ୍ତେଜନା ଦେଖାଦେବାରୁ ଦଙ୍ଗା ଆଶଙ୍କାରେ ଉଭୟ ଜିଲ୍ଲାର ପୁଲିସ ସେଠାରେ କ୍ୟାମ୍ପକରି ରହିଥିଲେ l ତେବେ ଶେଖ ଜିଲାନିଙ୍କ ମୃତ୍ୟୁକୁ କେନ୍ଦ୍ରକରି କଳମା ଗ୍ରାମର ଲକ୍ଷ୍ମୀଧର ନାଥଙ୍କ ପୁଅ ତପନ କୁମାର ନାଥଙ୍କର ଗୋବିନ୍ଦରାୟପୁର ଗ୍ରାମରେ ଥିବା ଆଲୋକ ମେଡିକାଲ ଷ୍ଟୋରକୁ ଖଣ୍ଡା, ଲୁହାଛଡ ଭଳି ମାରଣାସ୍ତ୍ର ଧରି ଲୁଟପାଟ କରି ନିଆଁ ଲଗାଇ ଦେଇଥିଲେ l ଏନେଇ ତପନଙ୍କ ଏତଲାମୂଳେ ବୈଶିଙ୍ଗା ପୁଲିସ ୩୭୨ ନମ୍ବରରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ ମାନଙ୍କୁ ଗିରଫକରି କୋର୍ଟ ଚାଲାଣ କରିଥିଲା l ତେବେ ଏହି ମାମଲାର ଅନ୍ୟତମ ଅଭିଯୁକ୍ତ ଚଷାଖଣ୍ଡ ଗ୍ରାମର ଶେଖ ସେଉଜୁ ଓରଫ ସେଉଜୁଦ୍ଦିନକୁ ଗିରଫକରି ବୁଧବାର ବେତନଟୀ ଜେଏମଏଫସି କୋର୍ଟରେ ହାଜର କରିଥିଲେ l ଜାମୀନ ନାମଞ୍ଜୁର ପରେ ବାରିପଦା ସ୍ଥିତ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିବା ଜଣାଯାଇଛି l