ବାରିପଦା : ମୟୂରଭଞ୍ଜ ଅନ୍ୟାନ୍ୟ ପଛୁଆ ବର୍ଗ (ଓବିସି) ମଞ୍ଚ ତରଫରୁ ଓଡିଶାର ମୁଖ୍ୟମନ୍ତ୍ରୀଙ୍କ ଉଦେ୍ଦଶ୍ୟରେ ମୟୂରଭଞ୍ଜର ଜିଲ୍ଲାପାଳଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନକରି ରାଜ୍ୟରେ ଜାତିଭିତ୍ତିକ ଜନଗଣନା ଆରମ୍ଭ କରିବା ପାଇଁ ଦୃଢ ଦାବୀ କରିଛି । ଏହାସହିତ ମଣ୍ଡଳ କମିଶନଙ୍କ ସୁପାରୀଶ ମୁତାବକ ଚାକିରୀ ଓ ଶିକ୍ଷା କ୍ଷେତ୍ରରେ ଶତକଡା ୨୭ଭାଗ ସଂରକ୍ଷଣ ଓବିସିଙ୍କୁ ପ୍ରଦାନ ପାଇଁ ଦାବୀ କରିଛନ୍ତି । ଓବିସି ମଧ୍ୟରେ ଥିବା କ୍ରିମି ଲେୟାର (ସ୍ୱଚ୍ଛଳ ବର୍ଗ)ଙ୍କୁ ସଂରକ୍ଷଣ ସୁବିଧାରୁ ବାଦଦେବା ନୀତିର ଉଚ୍ଛେଦ କରିବାକୁ ଓ ରାଜନୀତି କ୍ଷେତ୍ରରେ ଏମାନଙ୍କୁ ନିଜର ସଂଖ୍ୟାନୁପାତରେ ସଂରକ୍ଷଣ ପ୍ରଦାନ ପାଇଁ ସାମ୍ବିଧାନିକ ବ୍ୟବସ୍ଥା କରିବାକୁ କେନ୍ଦ୍ର ସହିତ ଆଲୋଚନା କରିବାକୁ ମଧ୍ୟ ଦାବୀ କରାଯାଇଛି । ପ୍ରକାଶ ଥାଉ କି ଓଡିଶାର ମୁଖ୍ୟମନ୍ତ୍ରୀ ପ୍ରଥମେ ଜାତିଭିତ୍ତିକ ଜନଗଣନା କରିବା ପାଇଁ କେନ୍ଦ୍ର ନିକଟରେ ଦାବି କରିଥିଲେ । ଏବେ ବିହାର ସରକାର ତାଙ୍କ ରାଜ୍ୟରେ ଜାତିଭିତ୍ତିକ ଜନଗଣନା କରିବା କାର୍ଯ୍ୟକ୍ରମ ଆରମ୍ଭ କରିଦେଇଛନ୍ତି । ଏହି ପରିପ୍ରେକ୍ଷୀରେ ଓଡିଶା ସରକାର ମଧ୍ୟ ଜାତିଭିତ୍ତିକ ଜନଗଣନା ଆରମ୍ଭ କରନ୍ତୁ ବୋଲି ମଞ୍ଚ ତରଫରୁ କୁହାଯାଇଛି । ମଞ୍ଚର ଜିଲ୍ଲାସଭାପତି ଆଡ୍ଭୋକେଟ୍ ଅବନୀ କୁମାର ମହାନ୍ତଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ତାଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳଙ୍କୁ ଦାବୀ ପତ୍ର ଦିଆଯିବା ସହ ସମସ୍ତ ଜିଲ୍ଲାରେ ଏହି ପ୍ରକାର ଦାବୀ ପତ୍ର ମଧ୍ୟ ପ୍ରଦାନ କରାଯାଇଛି । ଓବିସି ଆନେ୍ଦାଳନକୁ ଓଡିଶାରେ ତୀବ୍ର କରିବା ପାଇଁ ଆଗାମୀ ଫେବୃୟାରୀ ୫ତାରିଖ ଦିନ ଭୁବନେଶ୍ୱର ଠାରେ ମଞ୍ଚର ରାଜ୍ୟ ସମ୍ମିଳନୀ ଅନୁଷ୍ଠିତ ହେବ ବୋଲି ସୂଚନା ଦିଆଯାଇଛି । ଅନ୍ୟ ଯେଉଁମାନେ ପ୍ରତିନିଧି ଦଳରେ ଥିଲେ ସେମାନେ ହେଲେ ମଞ୍ଚର ରାଜ୍ୟ ଉପସଭାପତି ଅଧ୍ୟାପକ ଗୋପବନ୍ଧୁ, ଜିଲ୍ଲା ଉପଦେଷ୍ଟା ନନ୍ଦ କୁମାର ମହାପାତ୍ର ଓ ବସନ୍ତ କୁମାର ମହାନ୍ତ, ସାଙ୍ଗଠନିକ ସମ୍ପାଦକ ରବିନ୍ଦ୍ର ଦଣ୍ଡପାଟ, ସୁକୁମାର ରଞ୍ଜନ ପ୍ରଧାନ, ରବୀନ୍ଦ୍ର ଗିରି, ଭବାନୀ ସାହୁ, କାଶୀନାଥ ମାହାନା, ସଦାନନ୍ଦ ଭଞ୍ଜ ଓ ଲିଙ୍ଗରାଜ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।