କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ୫ ଦଫା ଦାବୀ ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଉପଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ
ତାଳଚେର:- ତାଳଚେର ଷ୍ଟେସନକୁ ମଡେଲ୍ ଷ୍ଟେସନ୍ ଭାବେ ଘୋଷଣା କରିବା ଏବଂ ୫ ଦଫା ଦାବୀ ନେଇ ତାଳଚେର ଜିଲ୍ଲା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ଥାନୀୟ ଉପଜିଲ୍ଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି । ଦାବୀପତ୍ରରେ ଉଲ୍ଲେଖ କରାଯାଇଅଛି ଯେ, ତାଳଚେର ଷ୍ଟେସନକୁ ମୋଡେଲ୍ ଷ୍ଟେସନ୍ ଭାବେ ଘୋଷଣା କରାଯାଉ । ତାଳଚେରରୁ କୋଇଲା ପରିବହନ କରୁଥିବା ରେଳ ୱାଗନ ଗୁଡିକରେ ପରିବେଶ ସୁରକ୍ଷା ଦୃଷ୍ଟିରୁ ପାଲ ଭିଡାଯାଉ । ବନ୍ତୋଲ-ଜଗନ୍ନାଥପୁର ମୁଖ୍ୟ ରାସ୍ତାର ବନ୍ତୋଲ ରେଳ ଫାଟକ ଠାରେ ଯାତ୍ରୀବାହୀ ଟେନ୍ ଓ କୋଇଲା ବୋଝେଇ ରେଳ ୱାଗନ କୁଡିକ ସ୍ୱଳ୍ପ ସମୟ ବ୍ୟବସ୍ଥାନରେ ଯାତାୟତ କରିବା ଯୋଗୁଁ ଜନସାଧାରଣ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଏଠାରେ ଏକ ଅଣ୍ଡର ପାସ୍ ରାସ୍ତା ନିର୍ମାଣ କରାଯାଉ । ହାଟତୋଟା-ତାଳଚେର ଟାଉନ୍ ମୁଖ୍ୟ ରାସ୍ତା ଦେଇ କୋଇଲା ବୋଝେଇ ରେଳ ୱାଗନ ଯିବା ଯୋଗୁଁ ତାଳଚେର ଉପଖଣ୍ଡ ଡାକ୍ତରଖାନା, ପରିବହନ କାର୍ଯ୍ୟାଳୟ, ବସ୍ଷ୍ଟାଣ୍ଡ, ସ୍କୁଲ୍ ଓ କଲେଜ୍ ଆଦି ଯିବାରେ ଜନସାଧାରଣ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଏଠାରେ ଏକ ଅଣ୍ଡର ପାସ୍ ରାସ୍ତା ନିର୍ମାଣ ଏକାନ୍ତ ଜରୁରୀ ଅଟେ । ଘଂଟପଡା-ହାଣ୍ଡିଧୂଆ ରାସ୍ତାରେ ନିର୍ମାଣାଧିନ ଓଭରବ୍ରିଜ୍ ର କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଉ ଇତ୍ୟାଦି ଦାବୀ ଗୁଡିକ ହୃଦୟଙ୍ଗମ କରି ଯଥାଶୀଘ୍ର ପଦକ୍ଷେପ ନେବାକୁ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଅନୁରୋଧ କରାଯାଇଛି । ଆଜିର ଏହି ଦାବୀପତ୍ର ପ୍ରଦାନ ବେଳେ ଚୈତନ୍ୟ ପ୍ରଧାନ, ଅଭୟ ପାଣି, ରାଜକିଶୋର ସାହୁ, ବୃନ୍ଦାବନ ସାହୁ, ଚିନ୍ତାମଣି ମହାପାତ୍ର, କେଶବ ଭୂତିଆ, ପ୍ରଦୀପ ମହାରଣା, ପଦ୍ମ ଚରଣ ସାମଲ, ଗିରିଶ ଚନ୍ଦ୍ର ସାମଲ, ସୁକାନ୍ତ କୁମାର ଦାସ, ବିଭୁତି ଭୂଷଣ ପଟ୍ଟନାୟ, ସଂଜୀବ ନାଏକଙ୍କ ସମେତ ତାଳଚେର ଜିଲ୍ଲା କ୍ରିୟାନୁଷ୍ଠାନ କମିଟିର ସଦସ୍ୟମାନେ ଉପସ୍ଥିତ ଥିଲେ ।