ଭଂଜନଗର – ଏଡ଼ସ୍ । ତିନି ଅକ୍ଷର ର ଏହି ନାଁ , ଗତ ତିନି ଦଶନ୍ଧି ଧରି ଚିନ୍ତା ବଢାଇଛି ଗଂଜାମ ଜିଲ୍ଲାରେ । ଗତ ଦିନରେ ଆତଙ୍କ ସୃଷ୍ଟି କରିଥିବା କରୋନା ଭାଇରସ୍ ଆସିଲା ଓ ଗଲା । ଅସାବଧାନତା ର ଶିକାର ହୋଇଥିବା ଅନେକ ଙ୍କ ଜୀବନ ଗଲା । ଯେଉଁମାନେ ସତର୍କତା ଅବଲମ୍ବନ କଲେ , ସେମାନେ କରୋନା ଠାରୁ ମୁକ୍ତିପାଇଲେ । ତଥାପି ମନରୁ ଏଯାଏଁ ଭୟ ଛାଡିନି । ହେଲେ ଗତ ୩୦ ବର୍ଷ ରୁ ଅଧିକ ସମୟଧରି ନିଜ ଉପସ୍ଥିତି ସାବ୍ୟସ୍ତ କରିଥିବା , ମାରାତ୍ମକ ଭୁତାଣୁ ଏତେ ସହଜରେ ଛାଡୁନି । ଅବଶ୍ୟ ବିଗତ ବର୍ଷ ମାନଙ୍କ ତୁଳନାରେ , ସଂକ୍ରମଣ ହାର ସ୍ଥିର ରହିଛି ସତ , କିନ୍ତୁ ଯାହା ଦେହକୁ ଥରେ ଏଡ଼ସ୍ ଭୁତାଣୁ ଆସିଛି , ମୃତ୍ୟୁ ହିଁ ଶେଷ ରାସ୍ତା ହୋଇଛି । କାହାର ମୃତ୍ୟୁ ହୋଇଛି , ତ’ କିଏ ପ୍ରତି ମୂହୁର୍ତ୍ତ ରେ ମରି ମରି ବଞ୍ଚିବାକୁ ପଡୁଛି । ଅବଶ୍ୟ ସଚେତନ ଓ ସତର୍କ ଯୋଗୁଁ , ଏବେ ମୃତ୍ୟୁ ହାର ହ୍ରାସ ପାଇଛି । ତଥାପି ଅନେକ ଏଡ଼ସ୍ ଆକ୍ରାନ୍ତ , ମାନସିକ ଦୁର୍ବଳତା ଭିତରେ ଦିନ ଅତିବାହିତ କରୁଛନ୍ତି ।
କୁହାଯାଏ ଗଂଜାମ ରେ ଏଡ଼ସ୍ ସଂକ୍ରମଣ ପଛରେ ରହିଥିବା ଅନେକ କାରଣ ମଧ୍ୟରୁ, ଦାଦନ ଶ୍ରମିକ ଏକ ପ୍ରମୁଖ କାରଣ । ତଥ୍ୟ ଅନୁଯାୟୀ ସଂକ୍ରମିତ ଦାଦନ ଶ୍ରମିକ ଏବଂ ପରବର୍ତ୍ତୀ ସମୟର ତାଙ୍କ ପରିବାରର ସ୍ତ୍ରୀ ଓ ପିଲାଛୁଆ ଙ୍କ ଦେହକୁ ଡିଆଁ ମାରିଲା ଏହି ଭୁତାଣୁ । ଭୟାବହତାର କାରଣ ବୁଝିବା ପୂର୍ବରୁ , “ଲେଡି ଗୁଡ , କହୁଣିକୁ ବୋହି ଯାଇଥିଲା” । କିଛି ଆକ୍ରାନ୍ତ ଙ୍କ ଜୀବନ ଗଲା । ବେସାହାରା ହେଲେ , ମୃତକଙ୍କ ପରିବାର । ଜିଲ୍ଲାର ଲୋକଙ୍କ ଭିତରେ ରହିଥିବା ସୁସ୍ଥ ମାନସିକତା , ସନ୍ଦେହର ସୂତାଖିଅ ରେ ଗୁଡେ଼ଇ ହେବା ଆରମ୍ଭ ହେଲା । ପ୍ରଶାସନ ଓ ବିଭିନ୍ନ ସ୍ବେଛାସେବୀ ସଂଗଠନ ପକ୍ଷରୁ ସଚେତନ କରାଗଲା । ଆଗକୁ ବଢିଲା ନାହିଁ ସଂକ୍ରମଣ । କିନ୍ତୁ ଯାହା ସଂକ୍ରମିତ ହୋଇସାରିଥିଲା , ରକ୍ତ ପରୀକ୍ଷା ପରେ ଧିରେ ଧିରେ ଆକ୍ରାନ୍ତଙ୍କ ତାଲିକା ଲମ୍ବିଲା ।
ସଂକ୍ରମଣ ର ଭୟାବହତା , ଜୀବନକୁ କେମିତି ଭାବେ କଲବଲ କରିଛି , ତାହାର ଘଟଣାକ୍ରମ କୁ ଆମ ଆଗରେ କହିଥିଲେ , କିଛି ସଂକ୍ରମିତ ଏବଂ ତାଙ୍କ ସମ୍ପର୍କୀୟ । ଏଡ଼ସ୍ ଭୁତାଣୁର ଜାଲରେ ବିଭିନ୍ନ ବର୍ଗର ପୁରୁଷ , ମହିଳା ଏବଂ ତାଙ୍କର ସନ୍ତାନ ମାନେ ସଂକ୍ରମିତ ଥିବାର ତଥ୍ୟ କହୁଛି । କିନ୍ତୁ କିଛି କିନ୍ନର ମଧ୍ୟ ଏଥିରେ ଆକ୍ରାନ୍ତ ହେବା , ଘଟଣାର ସମ୍ବେଦନଶୀଳ କୁ ଅଧିକ ବଢାଇ ଦେଇଛି । ଏଡ଼ସ୍ ସଂକ୍ରମଣ କୁ ରୋକିବା , ସେମାନଙ୍କ ମାନସିକତାରେ ପରିବର୍ତ୍ତନ ଆଣିବା ଏବଂ ସରକାରଙ୍କ ପକ୍ଷରୁ ମାଗଣା ଔଷଧ ଯୋଗାଇଦେବା ପାଇଁ ଗଂଜାମ ଜିଲ୍ଲାର ବ୍ରହ୍ମପୁର ଏବଂ ଭଂଜନଗର ଠାରେ ରହିଛି ଏଆରଟି ସେଣ୍ଟର । ସେହି ଅନୁସାରେ ଭଂଜନଗର ଏଆରଟି ସେଣ୍ଟର ର ତଥ୍ୟ ଅନୁସାରେ , ଚଳିତବର୍ଷ ସେପ୍ଟେମ୍ବର ମାସ ସୁଧା ଭଂଜନଗର ଏଆରଟି ସେଣ୍ଟର୍ ରେ ଚିହ୍ନଟ ହୋଇଛନ୍ତି ୧୬୧୯ ଜଣ ଆକ୍ରାନ୍ତ ।
ବେଲଗୁଣ୍ଠା ବ୍ଳକରେ ସର୍ବାଧିକ ୩୯୭ ଜଣ ଚିହ୍ନଟ ହୋଇଥିବା ବେଳେ , ସାନଖେମୁଣ୍ଡି ବ୍ଳକରୁ ସର୍ବନିମ୍ନ ଜଣେ ଆକ୍ରାନ୍ତ ପଞ୍ଜିକୃତ ହୋଇଛନ୍ତି । ଏହାସହ ଆସିକା ବ୍ଳକରେ ୯୭ , ଭଂଜନଗର – ୩୧୭ , ବୁଗୁଡ଼ା -୧୨୭ , ଛତ୍ରପୁର -୩ , ଧରାକୋଟ – ୩୯ , ହିଞ୍ଜିଳି -୨ , ଜଗନ୍ନାଥପ୍ରସାଦ -୧୮୮ , ଖଲିକୋଟ -୧ , କବିସୂର୍ଯ୍ୟନଗର – ୪ , ପୋଲସରା – ୧୫, ପୁରୁଷୋତ୍ତମପୁର -୩ , ଶେରଗଡ଼ – ୧୯ , ସୋରଡା – ୧୭୭ ଏବଂ ରଙ୍ଗେଇଲୁଣ୍ଡା ବ୍ଳକରେ ୩ ଜଣ ଆକ୍ରାନ୍ତ ଙ୍କ ପଞ୍ଜିକୃତ ହୋଇଛି । ଏହା ବ୍ୟତୀତ ଭଂଜନଗର ଏଆରଟି ସେଣ୍ଟର ରେ କନ୍ଧମାଳ ଜିଲ୍ଲାର ୧୯୩ ଜଣ , କଟକ ରୁ ୩ , ନୟାଗଡ଼ ରୁ ୬ ଜଣ ଏବଂ ଝାରସୁଗୁଡ଼ା, ଖୋର୍ଦ୍ଧା, ଗଜପତି ଓ କଳାହାଣ୍ଡି ଜିଲ୍ଲାର ରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ପଞ୍ଜିକୃତ ହୋଇଛି । ଆଉ ଏହ ତଥ୍ୟ କହୁଛି , ଆକ୍ରାନ୍ତ ଙ୍କ ମଧ୍ୟରେ , ପୁରୁଷ – ୭୮୭ , ମହିଳା – ୭୪୦ , ଶିଶୁ – ୯୨ , ଗର୍ଭବତୀ – ୧୪୯ , କିନ୍ନର – ୨୪ , ମହିଳା ଯୈାନକର୍ମୀ – ୩୨ ଏବଂ ଜେଲ୍ ରେ ବନ୍ଦୀ ଥିବା ୧୨ ଜଣ ଏଡ଼ସ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସମସ୍ତ ସଂକ୍ରମିତ ଚିହ୍ନଟ ଙ୍କ ଭିତରେ ୫୫୯ ଜଣ ଦାଦନ ଶ୍ରମିକ ରହିଛନ୍ତି । ଏବଂ ଏହି ମାରାତ୍ମକ ଭୁତାଣୁ ୨୨୭ ଜଣଙ୍କ ଜୀବନ ନେଇଛି ।