ଵ୍ରହ୍ମପୁର , ୬/୮- ନକଲି କାଗଜପତ୍ର କରି ଜମି ଠକେଇ ଅଭିଯୋଗରେ ସଦରଥାନା ପୋଲିସ ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ ହେଲେ କୁକୁଡ଼ାଖଣ୍ଡର ସୁଦର୍ଶନ ସାମଲ(୫୧), ବିଜୟ ବିହାରର ଶୁଶାନ୍ତ କୁମାର ରାଉତ(୫୦) ଓ ଗଞ୍ଜାମର ଗୋପୀନାଥ ଶତପଥୀ(୬୩)। ମାମଲା ନମ୍ବର ୩୨୨/ ୨୨ରେ ଶନିବାର ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯାଇଛି। ପୋଲିସ ଅଭିଯୁକ୍ତ ମାନଙ୍କ ଠାରୁ ନକଲି ସେଲ ଡ଼ିଡ଼, ଲିଗଲ ହେର ସାର୍ଟିଫିକେଟ ଓ ଅନ୍ୟାନ୍ୟ କାଗଜପତ୍ର ଜବତ କରିଥିବା କହିଛି। ଘଟଣାରୁ ପ୍ରକାଶ ଯେ, ସ୍ବର୍ଗତ ଜଗନ୍ନାଥ ଦଳାଇଙ୍କ ଏକମାତ୍ର ପୁଅ ଅଜିତ କୁମାର ଦଳାଇ ଅଟନ୍ତି । ଅଭିଯୁକ୍ତ ମାନେ ଜଗନ୍ନାଥ ଦଳାଇଙ୍କ ଏକ ମାତ୍ର ଝିଅ ଲଳିତା ଦଳାଇ ଦର୍ଶାଇ ଏକ ନକଲି ଲିଗଲ ହେର ସାର୍ଟିଫିକେଟ ତହସିଲ ଅଫିସରେ ଦାଖଲ କରି ଜଗନ୍ନାଥଙ୍କ ଜମି ହଡପ କରିଥିଲେ। ଏନେଇ ଜଗନ୍ନାଥଙ୍କ ପୁଅ ଅଜିତ ଜାଣିବା ପରେ ସଦର ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଏସଂକ୍ରାନ୍ତରେ ଏକ ମାମଲା ରୁଜୁ କରି ଅନୁସନ୍ଧାନ ପରେ ଉକ୍ତଅଭିଯୁକ୍ତ ମାନଙ୍କୁ ଗିରଫ କରିଥିଲା ବୋଲି କହିଛି