Odisha news

ସଦ୍ୟସମାପ୍ତ ୫ଟି ରାଜ୍ୟର ନିର୍ବାଚନରେ ୩ ଓଡିଆ ନେତାଙ୍କ ରଣନୀତି ଓ ତତ୍ୱାବଧାନରେ ଦଳ ନିର୍ବାଚନରେ ବିପୁଳ ସଫଳତା

0
ସଦ୍ୟସମାପ୍ତ ୫ଟି ରାଜ୍ୟର ନିର୍ବାଚନରୁ ୪ଟିରେ ଓ ଆସାମର ୮୦ଟି ମ୍ୟୁନିସିପାଲଟି ବୋର୍ଡରୁ ୭୭ଟିରେ ବିଜେପି କ୍ଷମତାସୀନ ହୋଇଛି। ଏହି ବିପୁଳ ସଫଳତାର ଶ୍ରେୟ ଅନେକାଂଶରେ ଓଡିଶାର ୩ ବରିଷ୍ଠ ନେତାଙ୍କୁ ଯାଉଛି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଓ ରାଷ୍ଟ୍ରୀୟ ପ୍ରବକ୍ତା ଡ଼. ସମ୍ବିତ ପାତ୍ର ବର୍ତ୍ତମାନ କେନ୍ଦ୍ରୀୟ ନେତୃତ୍ବର ଆସ୍ଥାଭାଜିତ ହୋଇପାରିଛନ୍ତି। ଧର୍ମେନ୍ଦ୍ରଙ୍କୁ ଦେଶର ସର୍ବବୃହତ ରାଜ୍ୟ ଉତ୍ତର ପ୍ରଦେଶର ବିଧାନସଭା ଦାୟିତ୍ବ ଦିଆଯାଇଥିବାବେଳେ ବୈଜୟନ୍ତଙ୍କୁ ଆସାମ ଓ ଦେଶର ସର୍ବବୃହତ ପୌର ନିର୍ବାଚନ ଦିଲ୍ଲୀ ପ୍ରଦେଶ ଦାୟିତ୍ବ ଦିଆଯାଇଛି। ସେହିପରି ସମ୍ବିତଙ୍କୁ ମଣିପୁର ନିର୍ବାଚନ ଦାୟିତ୍ବ ଦିଆଯାଇଛି।
ଏହି ୩ ଓଡିଆ ନେତାଙ୍କ ରଣନୀତି ଓ ତତ୍ୱାବଧାନରେ ଦଳ ନିର୍ବାଚନରେ ବିପୁଳ ସଫଳତା ପାଇଛି। ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ ବିଜେପିର ବିପୁଳ ବିଜୟ ପଛରେ କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ରାଜ୍ୟର ନିର୍ବାଚନ ପ୍ରଭାରୀ ଭାବେ ତାଙ୍କର ପ୍ରଭାବଶାଳୀ ନେତୃତ୍ବ ଓ ସଫଳ ରଣନୀତି ଦ୍ବାରା ଦଳ କ୍ରମାଗତ ଭାବେ ଦ୍ବିତୀୟ ଥର କ୍ଷମତାସୀନ ହୋଇଛି। ସେହିପରି ବରିଷ୍ଠ ବିଜେପି ନେତା ଓ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ଆସାମ ଓ ଦିଲ୍ଲୀ ପ୍ରଦେଶ ପ୍ରଭାରୀ ଶ୍ରୀଯୁକ୍ତ ବୈଜୟନ୍ତ ପଣ୍ଡାଙ୍କ ସଫଳ ଋଣନୀତି ଓ ଗୋଟି ଚାଳନା ଯୋଗୁଁ ଆସାମରେ ହୋଇଥିବା ୮୦ଟି ମ୍ୟୁନିସିପାଲଟି ବୋର୍ଡ ନିର୍ବାଚନରେ ବିଜେପି ୭୭ ମ୍ୟୁନିସିପାଲଟି ବୋର୍ଡ ଗଠନ କରିଛି। ବୈଜୟନ୍ତଙ୍କ ତତ୍ତ୍ବାବଧାନରେ ଆସାମ ବିଧାନସଭା ନିର୍ବାଚନରେ ଦଳର ବିପୁଳ ବିଜୟ ଓ ସରକାର ଗଠନ ପରେ ଏହି ପୌର ପରିଷଦ ନିର୍ବାଚନ ଥିଲା ବୈଜୟନ୍ତଙ୍କ ପାଇଁ ଏକ ବଡ ଆହ୍ବାନ। ବୈଜୟନ୍ତଙ୍କ ଉପରେ କେନ୍ଦ୍ରୀୟ ନେତୃବୃନ୍ଦ ଯେଉଁ ଆସ୍ଥା ପ୍ରକଟ କରିଥିଲେ ଏହି ନିର୍ବାଚନରେ ସେ ଏହାକୁ ପ୍ରମାଣିତ କରିଛନ୍ତି ।
ବୈଜୟନ୍ତଙ୍କ ଦକ୍ଷ ନେତୃତ୍ବ, ଆସାମ ପ୍ରଦେଶର ଲଢୁଆ କାର୍ଯ୍ୟକର୍ତ୍ତା ଓ ପ୍ରଦେଶ ପଦାଧିକାରୀଙ୍କ କଠିନ ପରିଶ୍ରମ ବଳରେ ବିଧାନ ସଭା ନିର୍ବାଚନରେ ବିପୁଳ ସଫଳତା ମିଳିବା ସହ ୨୪ଟି ଜିଲ୍ଲାରେ ୯୭୭ ୱାର୍ଡରେ ୮୦ଟି ମ୍ୟୁନିସିପାଲଟି ବୋର୍ଡ ନିର୍ବାଚନରେ ବିଜେପି ୭୭ ମ୍ୟୁନିସିପାଲଟି ବୋର୍ଡ ଗଠନ କରିବା ଏକ ବଡ ଚ୍ୟାଲେଞ୍ଜ ଥିଲା କାରଣ ସହରାଞ୍ଚଳର ମତଦାତା ସାଧାରଣତଃ ଅଧିକ ସଚେତନ ଓ ଶିକ୍ଷିତ, ଆସାମ ପ୍ରଦେଶ ସୀମାବର୍ତ୍ତୀ ଜିଲ୍ଲାଗୁଡିକରେ ଅନ୍ୟ ରାଜ୍ୟର ପ୍ରଭାବ ରହିଥାଏ କିନ୍ତୁ ବୈଜୟନ୍ତଙ୍କ ପ୍ରାର୍ଥୀ ଚୟନ, ଋଣନୀତି ଓ ସଠିକ ଆଭିମୁଖ୍ୟ ଯୋଗୁଁ ଏହି ସଫଳତା ମିଳିଥିବା ରାଜନୈତିକ ସମୀକ୍ଷକମାନେ ମତ ଦେଇଛନ୍ତି। ଅନୁରୂପଭାବେ ଉତ୍ତରପୂର୍ବ ରାଜ୍ୟ ମଣିପୁରରେ ଓଡିଆ ପୁଅ ଡ. ସମ୍ବିତ ପାତ୍ରଙ୍କୁ ବଡଧରଣର ସଫଳତା ମିଳିଛି। ମଣିପୁର ଭଳି ରାଜ୍ୟରେ ବିଜେପି ପ୍ରଥମ ଥର ପାଇଁ ପୂର୍ଣ୍ଣ ବହୁମତ ହାସଲ କରି ସରକାର ଗଠନ କରିବ। ଗତ ନିର୍ବାଚନରେ ବୈଜୟନ୍ତ ମଧ୍ୟ ମଣିପୁରର ଦାୟିତ୍ବରେ ଥିଲେ ଏବଂ ଦଳ ପାଇଁ ଅନେକ ସଫଳତା ଆଣିପାରିଥିଲେ। ଆଗାମୀ ଦିନରେ ଦେଶର ସର୍ବବୃହତ ପୌର ନିର୍ବାଚନ ଦିଲ୍ଲୀରେ ହେବାକୁ ଥିବାବେଳେ ଆସାମ ସଫଳତାର ପୁନରାବୃତ୍ତି ପାଇଁ ବର୍ତ୍ତମାନ ବୈଜୟନ୍ତଙ୍କ ରଣନୀତି ପ୍ରସ୍ତୁତ କରୁଛନ୍ତି ଓ ଦଳୀୟ ନେତୃବୃନ୍ଦ ଓ ପଦାଧିକାରୀ ମାନଙ୍କ ସହ ନିୟମିତ ବୈଠକ କରୁଛନ୍ତି।
Leave A Reply