ନୂଆଦିଲ୍ଲୀ : ପଞ୍ଜାବ ନିର୍ବାଚନ ପାଇଁ ଆଉ ଦିନ କେତେଟା ବାକିଥିବା ବେଳେ ପଞ୍ଜାବ ପ୍ରଦେଶ କଂଗ୍ରେସ କମିଟି ସଭାପତି ନବଜ୍ୟୋତ ସିଂ ସିଦ୍ଧୁଙ୍କ ବିରୋଧରେ ଏକ ସାଂଘାତିକ ଅଭିଯୋଗ ଆଣିଛନ୍ତି ତାଙ୍କ ଏନଆରଆଇ ଭଉଣୀ ସୁମନ ଟୁର୍ । ସୁମନ ଅଭିଯୋଗ କରିଛନ୍ତି ଯେ ତାଙ୍କ ମା’ଙ୍କୁ ସିଦ୍ଧୁ ଘରୁ ବାହାର କରିଦେବା ସହ ନୂଆଦିଲ୍ଲୀ ଷ୍ଟେସନରେ ଛାଡ଼ିଦେଇ ଆସିଥିଲେ । ତାଙ୍କ ମା’ ଷ୍ଟେସନରେ ଜଣେ ପରିତ୍ୟକ୍ତା ମହିଳା ପରି ମୃତ୍ୟୁବରଣ କରିଥିଲେ ।
ଏକ ସାମ୍ବାଦିକ ସମ୍ମିଳନୀରେ ସୁମନ କହିଛନ୍ତି ଯେ ୧୯୮୬ରେ ସେମାନଙ୍କ ବାପାଙ୍କ ମୃତ୍ୟୁପରେ ସିଦ୍ଧୁ ତାଙ୍କ ବୃଦ୍ଧା ମା’ଙ୍କୁ ଘରୁ ବାହାର କରିଦେଇଥିଲେ । ଘରେ ତାଙ୍କ ପାଇଁ କୌଣସି ସ୍ଥାନ ନାହିଁ ବୋଲି କହି ତାଙ୍କୁ ନୂଆଦିଲ୍ଲୀ ରେଳ ଷ୍ଟେସନରେ ଛାଡ଼ିଆସିଥିଲେ । ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା ।
ଆମେ ଯେତେ ବେଳେ ପିଲା ଥିଲୁ ମା’ ଆମକୁ ଏକ ସାଇକେଲରେ ବସାଇ ସ୍କୁଲକୁ ନେଇଯାଉଥିଲେ । କିନ୍ତୁ ପିତାଙ୍କ ମୃତ୍ୟୁପରେ ସିଦ୍ଧୁ ମା’ ଓ ଆମେ ଭଉଣୀମାନଙ୍କୁ ପରିତ୍ୟାଗ କରିଦେଇଥିଲେ । କିନ୍ତୁ ଆମେମାନେ କୌଣସି ସହାୟତା ମାଗିନଥିଲୁ ବୋଲି ସୁମନ କୋହଭରା କଣ୍ଠରେ କହିଛନ୍ତି ।
ଏ ସମ୍ପର୍କରେ ପ୍ରତିକ୍ରିୟା ରଖି ସିଦ୍ଧୁଙ୍କ ପତ୍ନୀ ନବଜ୍ୟୋତ କୌର କହିଛନ୍ତି ଯେ, ସିଦ୍ଧୁଙ୍କ ପିତାଙ୍କର ଦୁଇଜଣ ପତ୍ନୀ ଥିଲେ । ପ୍ରଥମ ପତ୍ନୀଙ୍କଠାରୁ ଦୁଇ ଜଣ ଝିଅ ଥିଲେ । କିନ୍ତୁ ସେ ସେମାନଙ୍କୁ ଜାଣନ୍ତି ନାହିଁ । ସୁମନଙ୍କ ଏହି ଅଭିଯୋଗ ପରେ ସିଦ୍ଧୁଙ୍କୁ ଟାର୍ଗେଟ କରିବାକୁ ବିରୋଧୀ ଦଳଙ୍କ ପାଖକୁ ଏକ ନୂଆ ଅସ୍ତ୍ର ଆସିଯାଇଛି ।