ବେଆଇନ୍ ବିଦୁ୍ୟତ୍ କର୍ମଚାରୀ ନିଯୁକ୍ତି ପ୍ରକି୍ରୟାକୁ ରଦ୍ଦ କରିବା ଦାବିରେ ଅଧିକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଅଚଳ କରାଗଲା : କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଓ ବିକ୍ଷୋଭ
ବାରିପଦା, (ସବୁ୍ୟ) : ମୟୂରଭଞ୍ଜ ଜିଲ୍ଲାରେ ବେକାରୀ ସମସ୍ୟା ବେକାବୁ ହେଉଥିବାବେଳେ ଚାକିରୀ ଖଣ୍ଡିଏ ପାଇବା ପାଇଁ ଯୁବକଯୁବତୀ ମାନେ ଚାତକ ପରି ଅନାଇ ବସିଥିବାବେଳେ କିଛି ଦଲାଲଙ୍କ ପାଦୃଭାବ ତଥା ନିଯୁକ୍ତିରେ ସ୍ୱଚ୍ଛତା ଅବଲମ୍ବନ କରାଯାଉନଥିବାରୁ ଯୋଗ୍ୟ ପ୍ରାର୍ଥୀମାନେ ନିଯୁକ୍ତିରୁ ବଞ୍ଚିତ ହେଉଛନ୍ତି । ମୟୂରଭଞ୍ଜ ଜିଲ୍ଲାରେ ଟାଟା ପାୱାର(ଟିପିଏନଓଡିଏଲ) ମାଧ୍ୟମରେ ଗ୍ରେଡ୍ ୪ କର୍ମଚାରୀ ନିଯୁକ୍ତି ହିନ୍ଦୁସ୍ତାନ୍ ଇଞ୍ଜିନିୟରିଂ ନାମକ ଏକ ଏଜନ୍ସି ଦ୍ୱାରା ରବିବାର ଦିନ ଦେଉଳି ଠାରେ ସାକ୍ଷାତକାର କରି ନିଯୁକ୍ତି ଦିଆଯାଇଥିଲା । ମାତ୍ର ଏହି ନିଯୁକ୍ତିରେ ସ୍ୱଚ୍ଛତା ଅବଲମ୍ବନ କରାଯାଇନଥିବା ତଥା ଦଲାଲ ମାନଙ୍କ ଦ୍ୱାରା ପ୍ରଚୁର ଟଙ୍କା ସଂଗ୍ରହ କରାଯାଇ ଯୋଗ୍ୟ ପ୍ରାର୍ଥୀ ମାନଙ୍କୁ ଶୋଷଣ କରାଯାଇଥିବା ଅଭିଯୋଗ କରି ଓଡିଶା ରାଜ୍ୟ ବିଦୁ୍ୟତ୍ କର୍ମଚାରୀ ମହାସଂଘ ଓ ନର୍ଥ ଇଷ୍ଟ୍ରାନ୍ ଇଲେକ୍ଟ୍ରିକାଲ କଣ୍ଟ୍ରାକ୍ଟର ଏସୋସିଏସନ ପକ୍ଷରୁ ସୋମବାର ବାରିପଦା ସ୍ଥିତ ଟିପି ନର୍ଦର୍ଣ୍ଣ ଡିଷ୍ଟ୍ରିବୁ୍ୟସନ୍ ଲିମିଟେଡ୍ ଅଧିକ୍ଷଣ ଯନ୍ତ୍ରୀଙ୍କ ବାରିପଦା ବିଦୁ୍ୟତ୍ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ତୁରନ୍ତ ଉକ୍ତ ନିଯୁକ୍ତିକୁ ରଦ୍ଦ କରାଯିବା ପାଇଁ ଦାବି କରି ଅଧିକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ସମ୍ପୂର୍ଣ୍ଣ ଅଚଳ କରିଦିଆଯାଇଥିଲା ।
ଅଭିଯୋଗ ହୋଇଥିଲା ଯେ, ଗୋଟିଏ ଦିନରେ ଏକ ନିର୍ଦ୍ଧିଷ୍ଟ ମାତ୍ର ଖବର କାଗଜରେ ବିଜ୍ଞାପନ ଦିଆଯାଇ ସାକ୍ଷାତକାର କରି ବିଦୁ୍ୟତ୍ କର୍ମଚାରୀ ନିଯୁକ୍ତି ଦିଆଯାଇଥିଲା, ମାତ୍ର ଏହା ସମ୍ପୂର୍ଣ୍ଣ ବେଆଇନ୍ ଅଟେ । ଏଠାରେ ସୂଚନାଯୋଗ୍ୟ ଯେ, ରବିବାର ସକାଳୁ ଦେଉଳି ଠାରେ ଏକ ଘରେ ନିଯୁକ୍ତି ଲାଗି ସାକ୍ଷାତକାର ଚାଲିଥିଲା । ମାତ୍ର ସାକ୍ଷାତକାର ପାଇଁ ବିଜ୍ଞାପନ ବାହାରିଥିବା ଏକ ଖବର କାଗଜରେ ସାକ୍ଷାତକାର ସ୍ଥାନ ଓ ଠିକଣା ବା ସମୟ ଦିଆଯାଇନଥିଲା ।
ଏପରିକି ପୂର୍ବରୁ ମଧ୍ୟ କୌଣସି ନୀତିଗତ ସୂଚନା ଦିଆଯାଇନଥିଲା ବୋଲି ଅଭିଯୋଗ ହୋଇଛି । କିନ୍ତୁ ସାକ୍ଷାତକାରର କୌଣସି ଠିକଣା ଦିଆଯାଇନଥିବାବେଳେ ରବିବାର ଦେଉଳି ଠାରେ ବହୁ ଦୂରଦୂରାନ୍ତରୁ ସାକ୍ଷାତକାର ପାଇଁ ପ୍ରାର୍ଥୀମାନଙ୍କ ପ୍ରବଳ ଭିଡ ଲାଗି ରହିଥିଲା । ମାତ୍ର ଏହି ସ୍ଥାନରେ କିଛି ସୂଚନା ନପାଇ ସାକ୍ଷାତକାର ପାଇଁ କିପରି ଭିଡ ଜମିଲା ବୋଲି ସାଧାରାଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏହି ପରିପ୍ରେକ୍ଷୀରେ ଆଜି ଏହି ଦୁଇ ସଂଗଠନ ପକ୍ଷରୁ ଅଧୀକ୍ଷଣ ଯନ୍ତ୍ରୀ ହରିଶ ପଣ୍ଡାଙ୍କୁ ଘେରାଉ କରାଯାଇ ଏହି ବେଆଇନ୍ କାର୍ଯ୍ୟ ତୁରନ୍ତ ରଦ୍ଦ କରିବା ଓ ଏହାର ବିଧିବଧ ତଦନ୍ତ କରିବା ପାଇଁ ଦାବି କରାଯାଇଥିଲା । ଏହି ନିଯୁକ୍ତିକୁ ନେଇ ଯୋଗ୍ୟ ପ୍ରାର୍ଥୀମାନଙ୍କ ମଧ୍ୟରେ ଉତ୍ତେଜନା ଲାଗି ରହିଛି । ଅପରପକ୍ଷରେ ଏହି ଘଟଣାରେ ଅନିୟମିତା ହୋଇଥିଲେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଅଧୀକ୍ଷଣ ଯନ୍ତ୍ରୀ ଇଂ ପଣ୍ଡା ସଫେଇ ଦେଇଥିଲେ । ଏହି ଆନେ୍ଦାଳନର ନେତୃତ୍ୱ ଓଡିଶା ରାଜ୍ୟ ବିଦୁ୍ୟତ୍ କର୍ମଚାରୀ ମହାସଂଘର ସର୍କଲ ସେକ୍ରେଟେରୀ ହିତେଶ କୁମାର ରାଉତ ଓ ଡିଭିଜନାଲ ସେକ୍ରେଟେରୀ ବିଜେନ୍ଦ୍ର କୁମାର ଗିରି ଏବଂ ନର୍ଥ ଇଷ୍ଟ୍ରାନ୍ ଇଲେକ୍ଟ୍ରିକାଲ କଣ୍ଟ୍ରାକ୍ଟର ଏସୋସିଏସନର ଗିରିଜା ଶଙ୍କର ଦାସ, ଦେବାଶିଷ ମହପାତ୍ର ଓ ଦିନେଶ ଅଗ୍ରୱାଲ ପ୍ରମୁଖଙ୍କ ସହ ସଂଘର ବହୁ ସଦସ୍ୟ ଉପସ୍ଥିତ ଥିଲେ ।
Comments are closed.