କେବଳ ଯୋଗ ଦିବସରେ ନୁହେଁ ନିୟମିତ ଯୋଗ କରିବା ପାଇଁ ଆହ୍ୱାନ ଦେଲେ ରାଜ୍ୟ ସଭାପତି
ଆଜି ଭାରତର ଯୋଗାଭ୍ୟାସକୁ ସମଗ୍ର ବିଶ୍ୱ ଆପଣାଇଛି
ବୈଦିକ ଯୁଗର ପରମ୍ପରା ଅନୁସାରେ ଯୋଗ ହିଁ ସମସ୍ତ ରୋଗର ନିବାରକ ହୋଇପାରିବ ବୋଲି ବେଦ ଓ ଉପନିଷେଦରେ ବର୍ଣ୍ଣିତ ହୋଇଛି
କୋଭିଡ ମହାମାରୀ ସମୟରେ ଯୋଗାଭ୍ୟାସ ଦ୍ୱାରା କରୋନା ଆକ୍ରାନ୍ତମାନେ ଶୀଘ୍ର ସୁସ୍ଥ ହେଉଛନ୍ତି
ଭୁବନେଶ୍ୱର,ତା.୨୧/୦୬: ଆଜି ୭ମ ଆନ୍ତର୍ଜାତୀୟ ଯୋଗ ଦିବସ । ଏହି ଅବସରରେ ଗାଁ ଠୁ ସହର ସବୁ ସ୍ଥାନରେ ଯୋଗ ଦିବସ ପାଳନ କରାଯାଇଛି । ବିଜେପି ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ଭୁବନେଶ୍ୱରସ୍ଥିତ ମୂଳା ପଡିଆଠାରେ ଯୋଗ କରିବା ସହ ସମଗ୍ର ଓଡିଶାବାସୀଙ୍କୁ ଯୋଗ ମାଧ୍ୟମରେ ନିରୋଗ ରହିବା ପାଇଁ ବାର୍ତା ଦେଇଛନ୍ତି । ସୁସ୍ଥ ରହିବା ପାଇଁ ସହଜ ଓ ସରଳ ଉପାୟ ହେଉଛି ଯୋଗ । କେବଳ ଯୋଗ ଦିବସରେ ନୁହେଁ ନିୟମିତ ଯୋଗ କରିବା ପାଇଁ ଆହ୍ୱାନ ଦେଇଛନ୍ତି ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ।
ଶ୍ରୀ ମହାନ୍ତି କହିଛନ୍ତି ଯେ, ଯୋଗ ଏକ ଶାରୀରିକ, ମାନସିକ ଏବଂ ଆଧ୍ୟାତ୍ମିକ ଅଭ୍ୟାସ । ୬୦୦୦ ବର୍ଷ ପୂର୍ବେ ଭାରତରେ ଯୋଗର ଉତ୍ପତି ହୋଇଥିଲା । ବୈଦିକ ଯୁଗର ପରମ୍ପରା ଅନୁସାରେ ଯୋଗ ହିଁ ସମସ୍ତ ରୋଗର ନିବାରକ ହୋଇପାରିବ ବୋଲି ବେଦ ଓ ଉପନିଷେଦରେ ବର୍ଣ୍ଣିତ ହୋଇଛି । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରୟାସକ୍ରମେ ଆନ୍ତର୍ଜାତୀୟ ସ୍ତରରେ ଯୋଗ ଦିବସକୁ ପାଳନ କରିବା ପାଇଁ ମିଳିତ ଜାତିସଂଘ ଅଧିବେସନ ଦ୍ୱାରା ଡିସେମ୍ବର ୧୧,୨୦୧୪ରେ ସଂକଳ୍ପ ହୋଇଥିଲା । ଆଜି ଭାରତର ଯୋଗାଭ୍ୟାସକୁ ସମଗ୍ର ବିଶ୍ୱ ଆପଣାଇଛି ।
କୋଭିଡ ମହାମାରୀ ସମୟରେ ଯୋଗାଭ୍ୟାସ ଦ୍ୱାରା କରୋନା ଆକ୍ରାନ୍ତମାନେ ଶୀଘ୍ର ସୁସ୍ଥ ହେଉଛନ୍ତି । ଆୟୁଷ ମନ୍ତ୍ରାଳୟ ପ୍ରତିଦିନ ଯୋଗ କରିବା ପାଇଁ ମାର୍ଗଦର୍ଶିକା ଜାରି କରିଛି । ଯୋଗ କରିବା ଦ୍ୱାରା ଆମର ଶାରୀରିକ ଏବଂ ମାନସିକସ୍ତରରେ ସକରାତ୍ମକ ବାତାବରଣ ସୃଷ୍ଟି ହେବା ସହ ଆମ ଶୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ । ପ୍ରତିଦିନ ନିୟମିତ ରୂପରେ ଯୋଗାଭ୍ୟାସ କଲେ ମନୁଷ୍ୟ ଶରୀରରେ ଦେଖାଯାଉଥିବା ବହୁବିଧ ରୋଗ ନିୟନ୍ତ୍ରଣ ହୋଇଥାଏ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।
ଏହି ଯୋଗ ଦିବସରେ ଦୁଇ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡଙ୍ଗୀ, ବିଜେପିର ସମସ୍ତ ବିଧାୟକଗଣ, ରାଜ୍ୟ ସାଧାରଣ ସଂପାଦକ (ସଙ୍ଗଠନ) ମାନସ ମହାନ୍ତି, ରାଜ୍ୟ ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ, ଗୋଲକ ମହାପାତ୍ର, ରବି ନାୟକ, ଡ. ଲେଖାଶ୍ରୀ ସାମନ୍ତସିଂହାରଙ୍କ ସମେତ ରାଜ୍ୟର ସମସ୍ତ ନେତୃବୃନ୍ଦ ଓ କାର୍ଯ୍ୟକର୍ତାମାନେ କୋଭିଡ କଟକଣାକୁ ପାଳନ କରି ନିଜ ନିଜ ଅଂଚଳରେ ଯୋଗ ଦିବସକୁ ପାଳନ କରିଛନ୍ତି । ବିଜେପିର ବରିଷ୍ଠ ନେତା ତଥା ସାଂସଦ ଜୁଏଲ ଓରାମ, ବସନ୍ତ ପଣ୍ଡା, ସୁରେଶ ପୂଜାରୀ, ବରିଷ୍ଠ ନେତା କେ.ଭି ସିଂହଦେଓ, ମନମୋହନ ସାମଲ, ସୁରମା ପାଢୀ ପ୍ରମୁଖ ଯୋଗ ଦିବସ ପାଳନ କରିଛନ୍ତି । ରାଜ୍ୟ କାର୍ଯ୍ୟାଳୟ ସମେତ ରାଜ୍ୟର ୩୬ଟି ସାଙ୍ଗଠନିକ ଜିଲ୍ଲା ଓ ୧୦୦୪ ମଣ୍ଡଳ ଏବଂ ୩୦୦୦ରୁ ଉଦ୍ଧ୍ୱର୍ ସ୍ଥାନରେ ବିଜେପି ପକ୍ଷରୁ ଯୋଗ ଦିବସକୁ ପାଳନ କରାଯାଇଛି ।
Comments are closed.