‘ୟାସ୍’ : ୨୬ ତାରିଖ ମଧ୍ୟାହ୍ନ ବେଳକୁ ପାରାଦୀପ ଏବଂ ବାଲେଶ୍ବର ଦେଇ ଓଡ଼ିଶା ଏବଂ ପଶ୍ଚିମବଙ୍ଗ ଉପକୂଳ ଅତିକ୍ରମଣ କରିବା ସମ୍ଭାବନା
ନୂଆଦିଲ୍ଲୀ: ‘ଅତି ଭୟାନକ ସାମୁଦ୍ରିକ ବାତ୍ୟା’ ଭାବେ ‘ୟାସ୍’ ମେ ୨୬ ତାରିଖ ମଧ୍ୟାହ୍ନ ବେଳକୁ ପାରାଦୀପ ଏବଂ ସାଗର ଦ୍ବୀପ ମଧ୍ୟବର୍ତ୍ତୀ ବାଲେଶ୍ବର ଦେଇ ଓଡ଼ିଶା ଏବଂ ପଶ୍ଚିମବଙ୍ଗ ଉପକୂଳ ଅତିକ୍ରମଣ କରିବାର ଯଥେଷ୍ଟ ସମ୍ଭାବନା ଥିବା କଥା ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି।
ବାଲେଶ୍ବର ଉପକୂଳରେ ‘ୟାସ୍’ ସ୍ଥଳଭାଗରେ ପ୍ରବେଶ କରିବାର ସମ୍ଭାବନା ଥିବାରୁ ଚାନ୍ଦିପୁରରେ ପ୍ରବଳ ବର୍ଷା ହେଉଛି। ମେରାଇନ୍ ପୋଲିସ୍ ଫୋର୍ସ ସହାୟତାରେ ବାଲେଶ୍ବର ଜିଲ୍ଲା ପ୍ରଶାସନ ଲୋକମାନଙ୍କୁ ଚାନ୍ଦିପୁର ବାତ୍ୟା ଆଶ୍ରୟସ୍ଥଳକୁ ସ୍ଥାନନ୍ତର କରୁଛି। ଆଜି ଅପରାହ୍ଣ ସୁଦ୍ଧା ଲୋକମାନଙ୍କୁ ସ୍ଥାନାନ୍ତରଣ କରିବା କାର୍ଯ୍ୟ ଶେଷ ହେବ। କୋଭିଡ୍ ସଂକ୍ରମଣ ଏଡ଼ାଇବା ଲାଗି ଫେସ୍ମାସ୍କ୍ ଏବଂ ହ୍ୟାଣ୍ଡ୍ ସାନିଟାଇଜର୍ ବ୍ୟବସ୍ଥା କରାଯାଉଥିବା କଥା ବାଲେଶ୍ବର ବିଡିଓ ନରେନ୍ଦ୍ର ଖମାରି କହିଛନ୍ତି। ଏହା ବ୍ୟତିରେକେ, ରାଜଧାନୀ ଭୁବନେଶ୍ବର ସମେତ ରାଜ୍ୟର ଅନ୍ୟାନ୍ୟ ଅଞ୍ଚଳରେ ମଧ୍ୟ ତୁହାକୁ ତୁହା ପବନ ବହିବା ସହ ଝିପିଝିପି ବର୍ଷା ପଡୁଥିବାର ସୂଚନା ମିଳିଛି।
ପଶ୍ଚିମବଙ୍ଗର ଦିଘାରେ ମଧ୍ୟ ଅତି ପ୍ରବଳ ବର୍ଷା ହେଉଛି। ବାତ୍ୟା ମୁକାବିଲା ପାଇ ପଶ୍ଚିମବଙ୍ଗରେ ଆଉ ୧୦ଟି ‘ଏନ୍ଡିଆର୍ଏଫ୍’ ଟିମ୍ଙ୍କୁ ମୁତୟନ କରାଯାଇଛି। ରାଜ୍ୟରେ ସମୁଦାୟ ୪୫ଟି ‘ଏନ୍ଡିଆର୍ଏଫ୍’ ଟିମ୍ ମୁତୟନ ହୋଇଥିବା କଥା ଡିଜି ‘ଏନ୍ଡିଆର୍ଏଫ୍’ ଏସ୍ ଏନ୍ ପ୍ରଧାନ କହିଛନ୍ତି।
ଭାରତୀୟ ପାଣିପାଗ ବିଭାଗ ସୂଚନା ଅନୁସାରେ, ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ସୃଷ୍ଟି ଭୀଷଣ ସାମୁଦ୍ରିକ ବାତ୍ୟା ‘ୟାସ୍’ ଗତ ୬ ଘଣ୍ଟା ମଧ୍ୟରେ ଘଣ୍ଟାପ୍ରତି ୯ କିଲୋମିଟର ବେଗରେ ଉତ୍ତର-ଉତ୍ତରପଶ୍ଚିମ ପ୍ରାନ୍ତକୁ ଗତି କରି ପାରାଦୀପର ଦକ୍ଷିଣ-ଦକ୍ଷିଣପୂର୍ବକୁ ପ୍ରାୟ ୩୬୦ କିଲୋମିଟର, ବାଲେଶ୍ବରର ଦକ୍ଷିଣ-ଦକ୍ଷିଣପୂର୍ବକୁ ପ୍ରାୟ ୪୬୦ କିଲୋମିଟର ଓ ଦିଘାର ଦକ୍ଷିଣ-ଦକ୍ଷିଣପୂର୍ବକୁ ପ୍ରାୟ ୩୫୦ କିଲୋମିଟର ଓ ବାଂଲାଦେଶର ଖେପୁପଡ଼ାର ଦକ୍ଷିଣ-ଦକ୍ଷିଣପଶ୍ଚିମକୁ ପ୍ରାୟ ୪୮୦ କିଲୋମିଟର ଦୂର ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗର ଉପରେ କେନ୍ଦ୍ରୀଭୂତ ହୋଇଛି।
ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଏହା ଅତି ଭୟାନକ ସାମୁଦ୍ରିକ ତୋଫାନ ପାଲଟି ଉତ୍ତର-ଉତ୍ତରପଶ୍ଚିମ ପ୍ରାନ୍ତକୁ ଗତିକରିବାର ଯଥେଷ୍ଟ ସମ୍ଭାବନା ରହିଛି। କ୍ରମଶଃ ଏହା ଆହୁରି ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ଗତିଶୀଳ ହୋଇ ମେ ୨୬ ତାରିଖ ପ୍ରତ୍ୟୁଷରେ ବଙ୍ଗ ଓ ଓଡ଼ିଶା ଉପକୂଳ ଅନ୍ତର୍ଗତ ଉତ୍ତରପଶ୍ଚିମ ବଙ୍ଗୋପସାଗରରେ ପହଞ୍ଚିବ। ପରେ ପରେ ଏହା ଅତି ଭୟାନକ ସାମୁଦ୍ରିକ ବାତ୍ୟା ଭାବେ ମେ ୨୬ ତାରିଖ ମଧ୍ୟାହ୍ନ ବେଳକୁ ପାରାଦୀପ ଏବଂ ସାଗର ଦ୍ବୀପ ମଧ୍ୟବର୍ତ୍ତୀ ବାଲେଶ୍ବର ଦେଇ ଓଡ଼ିଶା ଏବଂ ପଶ୍ଚିମବଙ୍ଗ ଉପକୂଳ ଅତିକ୍ରମଣ କରିବାର ଯଥେଷ୍ଟ ସମ୍ଭାବନା ରହିଛି।
Comments are closed.