ବାରିପଦା : ମୟୂରଭଞ୍ଜ ଜିଲ୍ଲା ସହକାରୀ ରେଶମ ନିଦେ୍ର୍ଦଶକଙ୍କ କାର୍ଯ୍ୟାଳୟରେ ବ୍ୟାପକ ଦୁର୍ନୀତି ଓ ଜାଲିଆତି ହେଉଥିବା ନେଇ ଅଭିଯୋଗ ହୋଇଆସୁଥିଲା ଏବଂ ବିଭିନ୍ନ ଦୁର୍ନୀତିରେ ଉକ୍ତ କାର୍ଯ୍ୟାଳୟର ଏକ କୋର୍ କମିଟିର ସହାୟତାରେ ଦୁର୍ନୀତି ହେଉଥିବାନେଇ ସାଧାରଣରେ ଅଭିଯୋଗ ହୋଇଛି । ଭିଜିଲାନ୍ସ ବିଭାଗ ଏହି ଲାଞ୍ଚୁଆ ଅଧିକାରୀ ମାନଙ୍କୁ ଧରିବା ପାଇଁ ସ୍କାନରରେ ରଖିଥିଲା । ଶନିବାର ସନ୍ଧ୍ୟାରେ ଏକ ବିଭାଗୀୟ କାର୍ଯ୍ୟର ରିପୋର୍ଟ ପ୍ରଦାନ କରିବା ପାଇଁ ଦେଢ଼ଲକ୍ଷ ଟଙ୍କା ଲାଞ୍ଚ ନେଉଥିବାବେଳେ ସହକାରୀ ରେଶମ ନିଦେ୍ର୍ଦଶକ କାର୍ଯ୍ୟାଳୟର କ୍ଷେତ୍ର ସହାୟକ ବିଭୂତି କୁମାର ମଲ୍ଲିକ ଭିଜିଲାନ୍ସ ଜାଲରେ ଧରାପଡିଛନ୍ତି । ଘଟଣାରୁ ପ୍ରକାଶ ଯେ, ମୟୂରଭଞ୍ଜ ଜିଲ୍ଲାର ବିଶୋଇ, ବହଳଦା, କୁସୁମୀ ଆଦି ବ୍ଲକରେ ଟସର ଚାଷ ପାଇଁ ଅସନ ଓ ଅର୍ଜୁନ ବୃକ୍ଷରୋପଣ କାର୍ଯ୍ୟ ହୋଇଥିଲା । ତେବେ ଉକ୍ତ ବୃକ୍ଷରୋପଣର ସରଜମିନ ସ୍ଥିତି ନେଇ ଫିଜିବିଲିଟି ରିପୋର୍ଟ ପ୍ରଦାନ କରିବା ପାଇଁ ଯଶିପୁର ଅଞ୍ଚଳର ଶିରିଷ ଚନ୍ଦ୍ର ମହାନ୍ତଙ୍କୁ ବାରିପଦା ସ୍ଥିତ ସହକାରୀ ରେଶମ ନିଦେ୍ର୍ଦଶକ କାର୍ଯ୍ୟାଳୟର ଚାନ୍ଦୁଆ ଡିଭିଜନ କ୍ଷେତ୍ର ସହାୟକ ବିଭୂତି କୁମାର ମଲ୍ଲିକ ଲାଞ୍ଚ ମାଗିଥିଲେ । ରିପୋର୍ଟ ଦେବା ଲାଗି ଦେଢ଼ଲକ୍ଷ ଟଙ୍କା ଲାଞ୍ଚ ମାଗିଥିବାବେଳେ ଶିରିଷ ନିରୁପାୟ ହୋଇ ଭିଜିଲାନ୍ସ ବିଭାଗର ଦ୍ୱାରସ୍ଥ ହୋଇଥିଲେ । ଭିଜିଲାନ୍ସ ବିଭାଗକୁ ଅଭିଯୋଗ ହସ୍ତଗତ ହେବା ପରେ କ୍ଷେତ୍ର ସହାୟକ ବିଭୂତି କୁମାର ମଲ୍ଲିକ ଲାଞ୍ଚ ନେଉଥିବା ବେଳେ ଧରିବା ପାଇଁ ଯୋଜନା ଅନୁଯାୟୀ ଭିଜିଲାନ୍ସ ଟିମ ପ୍ରସ୍ତୁତ ରହିଥିଲେ । ରିପୋର୍ଟ ପ୍ରଦାନ ପାଇଁ କ୍ଷେତ୍ର ସହାୟକ ବିଭୂତି କୁମାର ମଲ୍ଲିକ କାର୍ଯ୍ୟାଳୟ ପରିସରରେ ଦେଢ଼ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ପଡିଥିଲେ । ରାସାୟନିକ ମିଶ୍ରିତ ଲାଞ୍ଚ ଟଙ୍କା ଭିଜିଲାନ୍ସ ଜବତ କରିବା ସହ ବାରିପଦାର ଷ୍ଟେସନବଜାର ସ୍ଥିତ କାର୍ୟ୍ୟାଳୟ, ଓ ଦାମଦୋରପୁର ଠାରେ ରହୁଥିବା ଭଡାଘରେ ଭିଜିଲାନ୍ସ ପକ୍ଷରୁ ଚଢଉ କରାଯାଇ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରାଯାଇଛି । ଏନେଇ ଭିଜିଲାନ୍ସ ବିଭାଗରେ ୩୪/୨୩ ମାମଲା ରୁଜୁ କରାଯାଇ ଲାଞ୍ଚୁଆ ଅଧିକାରୀଙ୍କୁ ଗିରଫ କରାଯାଇଛି । ଏହି ଚଢଉ ଭିଜିଲାନ୍ସ ଏଡିସନାଲ ଏସପି ହରେକୃଷ୍ଣ ମାଝୀଙ୍କ ନେତୃତ୍ୱରେ ଭିଜିଲାନ୍ସ ଅଧିକାରୀ ମାନେ ଚଢଉରେ ସାମିଲ ହୋଇଥିଲେ । ଏହି ଘଟଣାରେ ସମ୍ପୃକ୍ତ ଥିବା ତଥା ଦୁର୍ନୀତିଖୋର ଅଧିକାରୀମାନଙ୍କୁ ଭିଜିଲାନ୍ସ ଧରିବା ପାଇଁ ବିଭିନ୍ନ ଘଟଣାର ଖୋଲତାଡ କରୁଥିବା ଜଣାଯାଇଛି ।
