ପୃଥିବୀର ସର୍ବଶ୍ରେଷ୍ଠ ସ୍ନାଇପର୍ସଙ୍କ ମଧ୍ୟରେ ପରଗଣିତ ଓ ଓ୍ଵାଲି ନାମରେ ପରିଚିତ ଏହି ସ୍ନାଇପର୍ ଜଣକ ୟୁକ୍ରେନ ପହଞ୍ଚିଛନ୍ତି : ଓ୍ଵାଲି ଗୋଟିଏ ଦିନରେ ୪୦ ଶତ୍ରୁଙ୍କୁ ମାରିପାରିବାର କ୍ଷମତା ରଖନ୍ତି।
କିବ୍: ପୃଥିବୀର ସର୍ବଶ୍ରେଷ୍ଠ ସ୍ନାଇପର୍ସଙ୍କ ମଧ୍ୟରେ ପରଗଣିତ ଓ ଓ୍ଵାଲି ନାମରେ ପରିଚିତ ଏହି ସ୍ନାଇପର୍ ଜଣକ ୟୁକ୍ରେନ ପହଞ୍ଚି ଯାଇଛନ୍ତି। ଓ୍ଵାଲି ଗୋଟିଏ ଦିନରେ ୪୦ ଶତ୍ରୁଙ୍କୁ ମାରିପାରିବାର କ୍ଷମତା ରଖନ୍ତି।
ଓ୍ଵାଲି ଜଣେ ଫ୍ରେଞ୍ଚ-କାନାଡିଆନ୍ କମ୍ପ୍ୟୁଟର୍ ସାଇଣ୍ଟିଷ୍ଟ। ସେ ୨ ଥର ଆଫଗାନିସ୍ତାନ ଯୁଦ୍ଧରେ ସ୍ପେଶାଲ ଅପରେସନରେ ସାମିଲ ହୋଇଥିଲେ। ୨୦୦୯ରୁ ୨୦୧୧ ମଧ୍ୟରେ ସେ ନିଜ ବନ୍ଧୁକ ଦ୍ଵାରା ଅନେକ ଶତ୍ରୁଙ୍କୁ ହତ୍ୟା କରିଥିଲେ। ଏହାପରେ ତାଙ୍କୁ ଓ୍ଵାଲି ଉପାଧି ଦିଆଯାଇଥିଲା।
ଏକ ଇଣ୍ଟରଭ୍ୟୁରେ ଓ୍ଵାଲି କହିଛନ୍ତି, ତାଙ୍କୁ ୟୁକ୍ରେନ ଆସି ଭଲ ଲାଗୁଛି। ସେ ଏପରି ଅନୁଭବ କରୁଛନ୍ତି ଯେପରି ୟୁକ୍ରେନର ଲୋକଙ୍କ ସହ ତାଙ୍କର ପୁରୁଣା ବନ୍ଧୁତା ଅଛି। ସେ ୟୁକ୍ରେନର ଲୋକଙ୍କ ସାହାଯ୍ୟ କରିବାକୁ ଚାହୁଁଛନ୍ତି। ଏକ ସପ୍ତାହ ପୂର୍ବରୁ ସେ ଏକ କମ୍ପ୍ୟୁଟର ପ୍ରୋଗ୍ରାମରେ ବ୍ୟସ୍ତ ଥିଲେ। କିନ୍ତୁ ଏବେ ଯୁଦ୍ଧ କ୍ଷେତ୍ରରେ ବନ୍ଧୁକ ଧରି ଓହ୍ଲାଇଛନ୍ତି। ସେ କହିଛନ୍ତି, ତାଙ୍କ ପତ୍ନୀଙ୍କୁ ଏହା ପସନ୍ଦ ନଥିଲା ଯେ ସେ ୟୁକ୍ରେନ ଯୁଦ୍ଧରେ ଭାଗ ନିଅନ୍ତୁ। କିନ୍ତୁ ସେ କଠୋର ନିର୍ଣ୍ଣୟ ନେଇଛନ୍ତି ଓ ୟୁକ୍ରେନ ଚାଲି ଆସିଛନ୍ତି।
ମିଡିଆ ରିପୋର୍ଟ ଅନୁସାରେ, ପୃଥିବୀରେ ଅନେକ ପ୍ରସିଦ୍ଧ ସ୍ନାଇପର ଅଛନ୍ତି। କିନ୍ତୁ ସେମାନେ ସାର୍ବଜନିକ ରୂପେ ସାମନାରେ ଆସିବାକୁ ପସନ୍ଦ କରନ୍ତି ନାହିଁ। କିନ୍ତୁ ଓ୍ଵାଲି ଜଣେ ଭିନ୍ନ ବ୍ୟକ୍ତିତ୍ଵ, ସେ ଟେଲିଭିଜନର କାର୍ଯ୍ୟକ୍ରମରେ ବି ଭାଗ ନେଇଥାନ୍ତି। କାନାଡାର ଲୋକମାନେ ତାଙ୍କୁ ଭଲ ଭାବରେ ଜାଣିଛନ୍ତି।
ଓ୍ଵାଲି କାନଡାର ଜଏଣ୍ଟ ଟାସ୍କ ଫୋର୍ସ(ଜେଟିଏଫ୍-୨) ୟୁନିଟର ସୈନିକ ଅଟନ୍ତି। ଏହି ୟୁନିଟର ସ୍ନାଇପର୍ସଙ୍କ ନାମରେ ସବୁଠାରୁ ଦୂରରେ ଥିବା ଶତ୍ରୁକୁ ମାରିବାର ରେକର୍ଡ ଅଛି। ସୂଚନା ଅନୁସାରେ ଜେଟିଏଫ୍-୨ର ସ୍ନାଇପର୍ସଙ୍କ ନାମରେ ୩,୫୪୦ ମିଟର ଦୂରରେ ଥିବା ଶତ୍ରୁଙ୍କୁ ମାରିବାର ରେକର୍ଡ ଅଛି। ୟୁକ୍ରେନର ରାଷ୍ଟ୍ରପତି ଜେଲଂସ୍କି ବିଦେଶୀ ସୈନିକମାନଙ୍କୁ ଯୁଦ୍ଧ ଲଢିବାକୁ ପ୍ରସ୍ତାବ ଦେବାପରେ ଓ୍ଵାଲି ଯୁଦ୍ଧରେ ଯୋଗ ଦେଇଛନ୍ତି।
ସ୍ନାଇପର୍ସମାନଙ୍କୁ ବି ବିଭିନ୍ନ ପ୍ରକାରରେ ବିଭକ୍ତ କରାଯାଇଥାଏ। ଗୋଟିଏ ଦିନରେ ୫ରୁ ୬ ଶତ୍ରୁମାନଙ୍କୁ ମାରି ପାରୁଥିବା ସ୍ନାଇପରଙ୍କୁ ଉତ୍ତମ ସ୍ନାଇପର ଭାବେ ଗଣନା କରାଯାଇଥାଏ, ୭ରୁ ୧୦ ଶତ୍ରୁଙ୍କୁ ମାରି ପାରୁଥିବା ସ୍ନାଇପର୍ସଙ୍କୁ ଅତି ଉତ୍ତମ ସ୍ନାଇପର ମନାଯାଏ। କିନ୍ତୁ ଓ୍ଵାଲି ଗୋଟିଏ ଦିନରେ ୪୦ ଲୋକଙ୍କୁ ମାରିବାର କ୍ଷମତା ରଖନ୍ତି।