ଉଦୟଗିରି : ବାଲିଚନ୍ଦ୍ରପୁର ଥାନା ଅନ୍ତର୍ଗତ ଚାରିନଙ୍ଗଳ ବୋମା ମାଡ ଘଟଣାରେ ବାଲିଚନ୍ଦ୍ରପୁର ପୋଲିସ ଦୁଇ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତ ମାନେ ହେଲେ ଏହି ଥାନା ଅନ୍ତର୍ଗତ ଚାରିନଙ୍ଗଳ ଗ୍ରାମର ସଜନ ଖାନ(୨୪) ଓ କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ହଳଦିଆ ଗ୍ରାମର ସେକ ଅବରାର(୨୦) ।
ସେକ ଅବରାର ଏହି ଘଟଣାର ମୁଖ୍ୟ ସୁତ୍ରଧର । ସେ ସ୍ଥାନୀୟ ସଜନ ଓ ଅନ୍ୟ କେତେକ ସ୍ଥାନୀୟ ଅଞ୍ଚଳର ଯୁବକ ଙ୍କୁ ହାତ କରି ଏହି ଘଟଣା ଘଟାଇଛି ବୋଲି ପୋଲିସ ସୂଚନା ଦେଇଛି । ତେବେ ଅନ୍ୟ ଅଭିଯୁକ୍ତ ମାନଙ୍କୁ ଖୁବ ଶିଘ୍ର ଗିରଫ କରାଯିବ ବୋଲି ଥାନାଧିକାରୀ ସୁକାନ୍ତ ପାତ୍ର ସୂଚନା ଦେଇଛନ୍ତି ।
ସୂଚନା ଯୋଗ୍ୟ ଯେ ନଳୀପୁର ଗ୍ରାମର ସେକ୍ ଇସମାଇଲଙ୍କୁ ଗତ ୨୦ ତାରିଖ ରାତ୍ରୀରେ ଅଭିଯୁକ୍ତ ମାନେ ଫୋନ ଯୋଗେ ଧମକ ଦେବା ସହ ୧୦ ଲକ୍ଷ ଟଙ୍କା ଦାଦା ବଟି ଦାବି କରିଥିଲା । ସୋମବାର ସୁଦ୍ଧା ଟଙ୍କା ନମିଳିଲେ ତୁମ ପୁଅ ଇବ୍ରାହିମର ଅବସ୍ଥା ଖରାପ ହେବ ବୋଲି ଚେତାବନୀ ଦେଇ ଘର ଉପରକୁ ଦୁଇଟି ବୋମା ଫିଙ୍ଗି ଫେରାର ହୋଇଯାଇଥିଲେ । ଏନେଇ ରବିବାର ଇସମାଇଲ ବାଲିଚନ୍ଦ୍ରପୁର ଥାନାରେ ଲିଖିତ ଅଭି ଯୋଗ କରିଥିଲେ ।
ତାଙ୍କ ଅଭିଯୋଗକୁ ଭିତ୍ତି କରି ଥାନା ପକ୍ଷରୁ ଏକ ମାମଲା ରୁଜୁ କରାଯାଇ ଘଟଣାର ତଦନ୍ତ ଚାଲିଥିଲା । ତେବେ ଅଭିଯୁକ୍ତ ମାନେ ୫୩ ନଂ ଜାତୀୟ ରାଜପଥର କଟିକଟା ଛକ ନିକଟରେ ମେଳିହୋଇଥିବା କୌଣସି ସୁତ୍ରରୁ ଖବର ପାଇ ଥାନାଧିକାରୀ ସୁକାନ୍ତ ପାତ୍ର ଚଢାଉ କରି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛନ୍ତି । ଅଣୟ ଅଭିଯୁକ୍ତ ମାନଙ୍କୁ ଖୁବ ଶିଘ୍ର ଗିରଫ କରାଯିବ ବୋଲି ଥାନାଧିକାରୀ ଶ୍ରୀ ପାତ୍ର ସୂଚନା ଦେଇଛନ୍ତି ।