ଉଦୟଗିରି : ଦର୍ପର୍ଣ ତହସିଲ ଓ ବାଲିଚନ୍ଦ୍ରପୁର ଥାନା ପକ୍ଷରୁ ମିଳିତ ଚଢାଉ କରାଯାଇ ଛଅ ବେଆଇନ ବାଲିବୋଝାଇ ଟ୍ରାକ୍ଟର ଜବତ କରାଯାଇଛି । ଏହି ତହସିଲ ଅନ୍ତର୍ଗତ ତାଳୁଆ ବାଲିକୁଦା ଘାଟ ନିକଟରୁ ମାଫିଆ ମାନେ ବିନା ଲିଜରେ ଦୈନିକ ଶହ ଶହ ଟ୍ରିପ ବାଲି ଚାଲାଣ କରୁଥିଲେ । ଏନେଇ ବହୁ ବାର ଅଭିଯୋଗ ପରେ ମଧ୍ୟ ପ୍ରଶାସନର ନିଦ ଭାଙ୍ଗିନଥିଲା ।
ତେବେ ଆଜି ଦର୍ପଣ ତହସିଲଦାର ବରେଣ୍ୟେନ୍ଦୁ ମହାନ୍ତି ଓ ବାଲିଚନ୍ଦ୍ରପୁର ପୋଲିସ ପକ୍ଷରୁ ମିଳିତ ଭାବେ ଚଢାଉ କରାଯାଇ ବେଆଇନ ବାଲି ବୋଝାଇ କରୁଥିବା ଛଅ ଟ୍ରାକ୍ଟର ଜବତ କରାଯାଇଥିଲା ।
ଜବତ ଟ୍ରାକ୍ଟର ଗୁଡିକୁ ବାଲିଚନ୍ଦ୍ରପୁର ଥାନାରେ ରଖାଯାଇଛି । ଆଜି ଚଢାଉପରେ ମାଫିଆ ମାନଙ୍କ ମଧ୍ୟରେ ଛନକା ପଶିଛି । ଚଢାଉ ସମୟରେ ସେଠାରୁ ମାଫିଆ ମାନେ ଛତ୍ରଭଙ୍ଗ ଦେଇ ଚାଲିଯାଇଥିଲେ ।ତେବେ ଦୀର୍ଘ ଦିନ ଧରି ଚାଲୁଥିବା ଏହି ବେଆଇନ କାରବାରେ ସାମୟିକ ରୋକ ଲଗାଇଛି ପ୍ରଶାସନ । ଆଗକୁ ଚଢାଉ ଜାରି ରହିବ ବୋଲି ତହସିଲଦାର ସୂଚନା ଦେଇଛନ୍ତି ।