ଉଦୟଗିରି , ଅଷ୍ଟାଦଶ ଶତାବ୍ଦୀର ମହାନ ସନ୍ଥସାଧକ ଅରକ୍ଷିତ ଦାସଙ୍କ ସମାଧିପୀଠ ତଥା ଏକ ପରିବେଶ ପର୍ଯ୍ୟଟନସ୍ଥଳୀ ଭାବେ ସମଗ୍ର ଓଡିଶାରେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଥିବା ଯାଜପୁର ଜିଲ୍ଲା ବଡଚଣା ବ୍ଲକ ର ପ୍ରସିଦ୍ଧପର୍ଯ୍ୟଟନ ସ୍ଥଳୀ ଓଳାଶୁଣୀରେ ପର୍ଯ୍ୟଟକଙ୍କ ଭିଡ ଦେଖିବାକୁ ମିଳିଛି । ପାହାଡର ପ୍ରାକୃତିକ ଶୋଭା ସାଙ୍ଗକୁ ସନ୍ଥ ଅରକ୍ଷିତ ଦାସଙ୍କ ସମାଧି ମନ୍ଦିର ଦର୍ଶନ ପାଇଁ ନୂତନ ବର୍ଷରେ ଏଠାରେ ପଚାଶ ହଜାରରୁ ଉଦ୍ଧ୍ୱର୍ ପର୍ଯ୍ୟଟକଙ୍କ ଭିଡ ଦେଖିବାକୁ ମିଳିଛି । ଏହି ପୀଠରେ ଆମିଶ ନିରାମିଶ ର କୌଣସି ବାଛ ବିଚାର ନଥିବାରୁ ଏଠାରେ ପର୍ଯ୍ୟଟକ ମାନେ ଆମିଷ ଭୋଜି ପାଇଁ ବେଶ ଭିଡ ଜମାଇଥାନ୍ତି । ତେବେ ପ୍ରତ୍ୟେକ ବର୍ଷ ନଭେମ୍ବର ମାସର ପ୍ରଥମ ସପ୍ତାହଠାରୁ ଫେବୃଆରି ଶେଷ ପର୍ଯ୍ୟନ୍ତ ଏଠାରେ ପର୍ଯ୍ୟଟକଙ୍କ ଭିଡ ଦେଖିବାକୁ ମିଳିଥାଏ । ଏହାଛଡା ମାଘ ଏକାଦଶୀ ତିଥିରେ ସନ୍ଥଅରକ୍ଷିତ ଦାସଙ୍କ ମହାପ୍ରୟାଣ ଦିବସ ଅବସରରେ ଅନୁଷ୍ଠିତ ହେଉଥିବା ପ୍ରସିଦ୍ଧ ଓଳାଶୁଣୀ ମେଳା ରାଜ୍ୟ ଓ ରାଜ୍ୟ ବାହାରୁ ଲକ୍ଷ ଲକ୍ଷ ସଂଖ୍ୟାରେ ଭକ୍ତ,ଶ୍ରଦ୍ଧାଳୁ ଓ ପର୍ଯ୍ୟଟକମାନଙ୍କର ସମାଗମ ହୋଇଥାଏ । ପ୍ରତ୍ୟେକ ବର୍ଷ ଲକ୍ଷ ଲକ୍ଷ ପର୍ଯ୍ୟଟକ ଏହିପୀଠକୁ ଆସୁଥିବା ବେଳେ ପର୍ଯ୍ୟଟନ ବିଭାଗ ପକ୍ଷରୁ ସେମିତି କିଛି ଆଖି ଦୃଶିଆ ପଦକ୍ଷେପ ନିଆ ଯାଉନଥିବା ଅଭିଯୋଗ ହେଉଛି । ଏହି ପୀଠରେ ପାନୀୟ ଜଳ ମୁଖ୍ୟ ସମସ୍ୟା ଭାବେ ଉଭା ହୋଇଥିବା ବେଳେ ଆଜି ଯାଏ ଏହାର ସମାଧାନ ହୋଇପାରୁନାହିଁ । ପ୍ରତ୍ୟେକ ବର୍ଷ ଓଳାଶୁଣୀ ମେଳା ନିମନ୍ତେ ଅନୁଷ୍ଠିତ ହେଉଥିବା ପ୍ରଶାସନିକ ବୈଠକରେ କେବଳ ଏବିଷୟରେ ଆଲୋଚନା ହୁଏ ଏବଂ ପ୍ରଶାସନ ଏହାର ସମାଧାନ ପାଇଁ ପ୍ରତିଶୃତି ଦେଇଥାଏ ମାତ୍ର ପ୍ରତିଶୃତି ହିଁ ଦୀର୍ଘ ବର୍ଷ ହେବ ପ୍ରତିଶୃତିରେ ରହିଯାଇଛି । ସେହିପରି ୨୦୧୪ ଜୁନ ମାସରେ ଓଳାଶୁଣୀର ପୂର୍ବ ପାଶ୍ୱର୍ରେ ତକ୍ରାଳୀନ ପର୍ଯ୍ୟଟନ ମନ୍ତ୍ରୀଙ୍କ ଦ୍ୱାରା ଉଦ୍ଘାଟିତ ହୋଇଥିବା ପର୍ଯ୍ୟଟକ ସୁବିଧା କେନ୍ଦ୍ର ସେହିଦିନ ଠାରୁ ଅଜି ଯାଏ ତାଲା ଝୁଲୁଛି ଏବେ ଏହା ଭୁତକୋଠିରେ ପରିଣତ ହେଲାଣି । ଆଜି ଯାଏ ଏଥିରେ ବିଦ୍ୟୁତ ସଂଯୋଗ କିମ୍ବା ପାନୀୟ ଜଳର କୌଣସି ବ୍ୟବସ୍ଥା କରାଯାଇନାହିଁ ଯାହା ନିଜର ମୂଳ ଲକ୍ଷ ଠାରୁ ବହୁ ଦୂରକୁ ଚାଲିଯାଉଛି । ସେହିପରି ପାହାଡର ପଶ୍ଚିମ ପାାଶ୍ୱର୍ରେ ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗ ତରଫରୁ ନିର୍ମାଣ କରାଯାଇଥିବା ମନୋରମ ପରିବେଶ ପର୍ଯ୍ୟଟନ କେନ୍ଦ୍ର ଏବେ ନଷ୍ଟ ହେବାକୁ ବସିଥିବା ବେଳେ ବିଭାଗୀୟ କର୍ତ୍ତୁପକ୍ଷଙ୍କ କୁମ୍ଭକର୍ଣ୍ଣ ନିଦ୍ରା ଭାଙ୍ଗୁନାହିଁ । ଆଗକୁ ପ୍ରସିଦ୍ଧ ମେଳା ରହିଥିବା ବେଳେ ପାହାଡର ଉଭୟ ପାଶ୍ୱର୍ର ରାସ୍ତା ମରାମତି, ଆଲୋକିକରଣ ଆଦି କାର୍ଯ୍ୟ ଏବେବି ବାକି ରହିଛି । ମେଳାପୂର୍ବରୁ ପ୍ରଶାସନ ପକ୍ଷରୁ ପର୍ଯ୍ୟଟକଙ୍କ ସୁବିଧା ନିମନ୍ତେ ରହିଥିବା ଭିତ୍ତି ଭୁମୀ ସଜାଡିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।