Odisha news

ସମଗ୍ର ଦେଶରେ ଲକ୍‌ଡାଉନ୍‌ ଚାଲିଥିବାବେଳେ ମାଲକାନଗିରି ସୀମାନ୍ତ ଛତିଶଗଡ଼ରେ କିନ୍ତୁ ମାଓବାଦୀଙ୍କ ଗତିବିଧି ବଢ଼ିଛି:ଏନ୍‌କାଉଣ୍ଟର ୨ ଦୁର୍ଦାନ୍ତ ନକ୍ସଲ ନିହତ

0

ମାଲକାନଗିରି: ଏବେ ସମଗ୍ର ଦେଶରେ ଲକ୍‌ଡାଉନ୍‌ ଚାଲିଥିବାବେଳେ ମାଲକାନଗିରି ସୀମାନ୍ତ ଛତିଶଗଡ଼ରେ କିନ୍ତୁ ମାଓବାଦୀଙ୍କ ଗତିବିଧି ବଢ଼ିଛି। ହେଲେ ମାଓବାଦୀଙ୍କ ଗତିବିଧି ଉପରେ ବରାବର ନଜର ରଖିଛି ଗୁଇନ୍ଦା ବିଭାଗ। ସେପଟେ ପୁଲିସ ମଧ୍ୟ ସତର୍କତା ଅବଲମ୍ବନ କରୁଥିବା ଦେଖିବାକୁ ମିଳିଛି। ସୀମାନ୍ତ ଛତିଶଗଡ଼ର ଦନ୍ତେଵାଡ଼ା ଜିଲ୍ଲା ଗିଦମ ଥାନା ଅନ୍ତର୍ଗତ ଗୁମଲନାର ଓ ଝିରକାପାରା ଜଙ୍ଗଲରେ ୨୦ରୁ ୩୦ ମାଓବାଦୀ କ୍ୟାମ୍ପ କରି ରହିଥିବା ନେଇ ଗୁଇନ୍ଦା ସୂଚନା ପାଇଥିଲା ପୁଲିସ। ସୂଚନା ପାଇବା ମାତ୍ରେ ଡିଆରଜି, ଜିଲ୍ଲା ପୁଲିସ ତୁରନ୍ତ ସେହି ଅଞ୍ଚଳକୁ କମ୍ବିଂ ପାଇଁ ବାହାରି ପଡ଼ିଥିଲେ। ପ୍ରାୟ ୫୦ରୁ ଊର୍ଦ୍ଧ୍ବ ଯବାନ ଜଙ୍ଗଲରେ ପଶିବା କ୍ଷଣି ଅତର୍କିତ ଗୁଳି ଚଳାଇଥିଲେ ମାଓବାଦୀ। ଯବାନମାନେ ମଧ୍ୟ ପାଲଟା ଗୁଳି ଚାଳନା କରିଥିଲେ। ପ୍ରାୟ ଅଧଘଣ୍ଟା ଧରି ପୁଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଯବାନଙ୍କ ପକ୍ଷରୁ ଆକ୍ରମଣ ତୀବ୍ର ହେବାରୁ ଘଞ୍ଚ ଜଙ୍ଗଲ ମଧ୍ୟକୁ ଖସି ଚାଲି ଯାଇଥିଲେ ମାଓବାଦୀ। ଏହାପରେ ସର୍ଚ୍ଚ ଅପରେସନ ବେଳେ ଦୁଇଜଣ ମାଓବାଦୀଙ୍କ ଶବ ଜବତ କରିଛନ୍ତି ଯବାନ। ଏହା ସହ ବନ୍ଧୁକ ଏବଂ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର ଜବତ କରାଯାଇଥିବା ଜଣାପଡ଼ିଛି।

ମୃତ ମାଓବାଦୀଙ୍କ ପରିଚୟ ମିଳିଛି। ଏମାନେ ହେଲେ ପ୍ଲାଟୁନ ନମ୍ବର ୧୬ର ଡେପୁଟି କମାଣ୍ଡର ରିସୁ ଇସ୍ତା ଏବଂ ଇନ୍ଦ୍ରାବତୀ ଏରିଆ କମିଟିର ସଦସ୍ୟ ମାଟାରିସୁ। ଇସ୍ତା ନାମରେ ସରକାର ୮ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିବା ବେଳେ ମାଟା ନାମରେ ୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲେ। ଏନକାଉଣ୍ଟର ବେଳେ କିଛି ଦୁର୍ଦ୍ଦାନ୍ତ ମାଓବାଦୀ ଖସିଯାଇଥିବା ଜଣାପଡ଼ିଛି। ଏହି ଏନକାଉଣ୍ଟରେ ଛତିଶଗଡ଼ ପୁଲିସକୁ ବଡ଼ ସଫଳତା ମିଳିଥିବା ବେଳେ ଏହି ଦୁଇ ଦୁର୍ଦ୍ଦାନ୍ତ ମାଓବାଦୀଙ୍କ ମୃତ୍ୟୁ ପରେ ସଂଗଠନର ବହୁ କ୍ଷତି ହୋଇଥିବା କୁହାଯାଇଛି।

Nalco
Leave A Reply