ଧର୍ମଶାଳା : ଧର୍ମଶାଳା ବ୍ଲକ ୫୩ ନମ୍ବର ଜାତୀୟ ରାଜପଥ କନ୍ତପଡା ଛକ ନିକଟରୁ ଆଜି ଅପରାହ୍ନରେ ବଜରଙ୍ଗଦଳ କର୍ମୀମାନେ ଏକ ଗୋମାଂସ ବୋଝେଇ କଣ୍ଟେନରକୁ ଜବତ କରି ପୁଲିସ ଜିମା ଦେଇଛନ୍ତି । ଏହି ଗୋମାଂସ ବୋଝେଇ କଂଟେନରଟି କଲିକତାରୁ ଆନ୍ଧ୍ରପ୍ରଦେଶ ଯାଉଥିବା ଜଣାପଡିଛି । କଂଟେନରରେ ପାଖାପାଖି ୨୦ଟନ୍ ଗୋମାସଂ ଥିବା ସୂଚନା ମିଳିଛି । ଆଜି କଣ୍ଟେନରଟି ବାଲେଶ୍ୱର ଦେଇ ଆସୁଥିବା ବେଳେ କୈାଣସି ସୂତ୍ରରୁ ଖବର ପାଇଁ ବଜରଙ୍ଗ ଦଳର କର୍ମୀମାନେ ତାର ପିଛା କରିଥିଲେ ।
କଂଟେନରଟି ଭଦ୍ରକ ଜିଲ୍ଲା ବନ୍ତ ଛକରୁ ୫୩ ନଂ ଜାତୀୟ ରାଜପଥ ଦେଇ ଅନ୍ୟରାସ୍ତାରେ ଅନୁଗୁଳ ଦେଇ ଆନ୍ଧ୍ରପ୍ରଦେଶ ଅଭିମୁଖେ ଯିବାକୁ ଯୋଜନା କରୁଥିଲା । ହେଲେ ଜେନାପୁର ଥାନା କନ୍ତପଡା ଛକରେ ବଜରଙ୍ଗ ଦଳ କର୍ମୀଙ୍କ ହାତରେ ଧରାପଡିଥିଲା । ସେମାନେ ଜେନାପୁର ଥାନା ଅଧିକାରୀ ସୁଶାନ୍ତ କୁମାର ଦାସଙ୍କୁ ଖବର ଦେଇଥିଲେ । ଘଟଣାସ୍ଥଳରେ ପୋଲିସ ପହଂଚି ଗାଡିଟିକୁ ଜବତ କରିବା ସହ ୩ଜଣଙ୍କୁ ଅଟକ ରଖି ପଚରା ଉଚରା ଜାରି ରଖିଛି । ଗାଡିଟି ଅଟକିବା ସମୟରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଚାପା ଉତ୍ତେଜନା ସୃଷ୍ଟି ହୋଇଥିଲା । ଉତ୍ୟକ୍ତ ଲୋକଙ୍କୁ ପୋଲିସ ବୁଝାସୁଝା କରି କଂଟେନରଟିକୁ ଚଢେଇଧରା ଫାଣ୍ଡିକୁ ପଠାଇଦେଇଛି । ଅନ୍ୟପଟେ ବଜରଙ୍ଗ ଦଳ ପକ୍ଷରୁ ଏନେଇ ଜେନାପୁର ଥାନାରେ ଏକ ଲିଖିତ ଅଭିଯୋଗ କରାଯାଇଛି ।
