ତିହିଡି,୧୫/୦୧(ଯଦୁମଣି ପାଣିଗ୍ରାହୀ): ସଂପ୍ରତି ସମବାୟ ସମିତି ଗୁଡିକ ଚାଷୀଙ୍କ ଠାରୁ ଧାନ କିଣିବା ନେଇ ସମସ୍ୟାରେ ପଡିଛନ୍ତି । ମିଲର ଓ ସମିତି ମଧ୍ୟରେ ଧାନ କ୍ରୟ ନେଇ ରହିଥିବା ଅଡୁଆ ଏଯାବତ ତୁଟି ପାରୁ ନଥିବାରୁ ସମିତି ଗୁଡିକ ଚାଷୀଙ୍କ ଠାରୁ ଧାନ କିଣି ପାରୁନାହାନ୍ତି । ମିଲର ମାନେ ୧୦ କେଜି ଧାନ କଟନି ଛଟନି କରିବାକୁ ଅଡି ବସି ଥିବା ବେଳେ ସେଥିରେ ସମିତି ଓ ଏଥିରେ ଧାନ ଦେବାକୁ ପଞ୍ଜିକୃତ ଚାଷୀ ମାନେ ରାଜି ହେଉନାହାନ୍ତି । ଯାହା ଫଳରେ ଚାଷୀଙ୍କ ଠାରୁ ଧାନ କ୍ରୟ କରାଯାଇ ପାରୁନି । ଏଭଳି ସମସ୍ୟା ଦେଖାଦେଇଛି ଏହି ବ୍ଲକ ଅନ୍ତର୍ଗତ ବାମନବିନ୍ଧା ସମିତିରେ । ଏଠାରେ ୬ ତାରିଖରେ ଧାନ ଦେବାକୁ ଟୋକନ ବାହାରି ଥିବା ବେଳେ ଚାଷୀ ମାନେ ଧାନ ଆଣି ମଣ୍ଡିରେ ଜମା କରି ରଖିଛନ୍ତି । ହେଲେ ଏଯାବତ ସେମାନଙ୍କ ଠାରୁ ଧାନ କିଣାଯାଉନି । ଯାହାକୁ ନେଇ ସେମାନେ ତିବ୍ର ଅସନ୍ତୋଷ ପ୍ରକାଶ କରିବା ସହିତ ମିଲର ମାନଙ୍କ ମନମୁଖୀ କାର୍ଯ୍ୟକୁୁ ବିରୋଧ କରିଛନ୍ତି । ଆଗାମୀ ଶୁକ୍ରବାର ସୁଦ୍ଧା ସେମାନଙ୍କ ଠାରୁ ଧାନ କ୍ରୟ କରା ନ ଗଲେ ସେମାନେ ବାଧ୍ୟ ହୋଇ ରାସ୍ତାରୋକ କରିବେ ବୋଲି ଚେତାବନୀ ଦେଇଛନ୍ତି । ଆଜି ଏହି ମର୍ମରେ ସମିତି ଅନ୍ତର୍ଭୁକ୍ତ ଶତାଧିକ ଚାଷୀ ଯଥା- ରାଜେନ୍ଦ୍ର ଦାସ, ସଂ୍ରଗ୍ରାମ ମହାନ୍ତି, ସନ୍ଧ୍ୟାରାଣୀ ଦାସ, ଜଗନ୍ନାଥ ନାୟକ, କମଳାକାନ୍ତ ସେଠୀ, ଶରତ ଦାସ, କାର୍ତ୍ତିକ ଦାସ, ଅକ୍ଷୟ ସେଠୀ, ପୀତବାସ ବାରିକ, ତପସ୍ୱିନୀ ବେହେରା, କୃଷ୍ଣଚନ୍ଦ୍ର ମହାନ୍ତି, ମାନସ ମହାନ୍ତି, ଶରତ ପାଢୀ, ବିଷ୍ଣୁ ପରିଡା, ବିପିନ ସାହୁ, ଦେବେନ୍ଦ୍ର ବେହେରା ପ୍ରମୁଖ ଏକ ବୈଠକରେ ମିଳିତ ହୋଇ ଏଭଳି ନିଷ୍ପତ୍ତି ନେଇଥିବା ଜଣାଯାଇଛି ।