ତିହିଡି, ୦୭/୧୦(ଯଦୁମଣି ପାଣିଗ୍ରାହୀ): ତିହିଡ଼ି ବ୍ଲକ ଶିକ୍ଷା ବିଭାଗ ଆନୁକୂଲ୍ୟରେ ସ୍ଥାନୀୟ ଚନ୍ଦ୍ରଶେଖର ରତ୍ନାକାର ସହଯୋଗ ଉଚ୍ଚ ବିଦ୍ୟାଳୟ ପରିସରରେ ନିପୁଣ ଓଡ଼ିଶା ମିଶନ ୨୦୨୪ କାର୍ଯ୍ୟକ୍ରମର ବ୍ଲକସ୍ତରୀୟ ଶୁଭ ଉନ୍ମୋଚନ ହୋଇଯାଇଛି । ଭାରପ୍ରାପ୍ତ ବ୍ଲକ ଶିକ୍ଷାଧିକାରିଣୀ ଶୁଭସ୍ମିତା ତ୍ରିପାଠୀଙ୍କ ପୌରାହିତ୍ୟରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମକୁ ବ୍ଲକ ଅଧ୍ୟକ୍ଷା ଅବନ୍ତୀ ଦାସ ଉଦ୍ଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ନିପୁଣ ଓଡ଼ିଶା ମିଶନ ୨୦୨୪ର ଲୋଗୋ, ଲିଫଲେଟ୍ ଓ ସଙ୍ଗୀତର ଶୁଭ ଉନ୍ମୋଚନ ମଧ୍ୟ କରା ଯାଇଥିଲା । ମୁଖ୍ୟ ବକ୍ତାଭାବେ ବିଡିଓ ଜ୍ୟୋର୍ତିମୟ କର ଯୋଗଦେଇ ଉଦ୍ବୋଧନ ଦେଇଥିବା ବେଳେ ଅନ୍ୟ ଅତିଥିମାନଙ୍କ ମଧ୍ୟରେ ଆୟୋଜକ ହାଇସ୍କୁଲର ପ୍ରଧାନ ଶିକ୍ଷକ ସମରେନ୍ଦ୍ର ମିଶ୍ର, ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ଦାମୋଦର ଜେନା, ରତ୍ନାକର ସାହୁ ଓ ଲକ୍ଷ୍ମୀପ୍ରିୟା ମାଝୀ, ଆଗରପଡା ସିଟି ସ୍କୁଲର ଶିକ୍ଷୟତ୍ରୀ ରେଖା ମିଶ୍ର, ସମାଜସେବୀ ସଚ୍ଚିକାନ୍ତ ନାୟକ ଓ ଶିକ୍ଷାବିତ୍ ସୋମନାଥ ପାଢୀ ପ୍ରମୁଖ ମଞ୍ଚାସୀନ ହୋଇ ନିପୁଣ ଓଡ଼ିଶା ମିଶନ ସମ୍ପର୍କରେ ଅଭିଭାଷଣ ରଖିଥିଲେ । ସମ୍ବଳ ଅଧିକାରୀ ସରୋଜ କୁମାର ଓଝା ଓ ସରୋଜ କୁମାର ଦାସ ପାୱାର ପଏଣ୍ଟ ମାଧ୍ୟମରେ ମିଶନର ଉଦେ୍ଦଶ୍ୟ ଓ ଲକ୍ଷ୍ୟ ସମ୍ବନ୍ଧରେ ଉପସ୍ଥାପନ କରିଥିଲେ । ପ୍ରାଥମିକ ଶିକ୍ଷାକୁ ଅଗ୍ରାଧିକାର ଦେଇ ବିଦ୍ୟାଳୟ ମାନଙ୍କରେ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନର ବିଭିନ୍ନ ସୃଜନାତ୍ମକ ଶିକ୍ଷଣ ଶୈଳୀ ଦ୍ୱାରା ଶିକ୍ଷାଦାନ କରିବାକୁ ଗୁରୁତ୍ୱ ଦିଆଯିବା ସହିତ ଆଗାମୀ ୨୦୨୬-୨୭ ଶିକ୍ଷାବର୍ଷ ସୁଦ୍ଧା ସବୁପିଲା ତୃତୀୟ ଶ୍ରେଣୀ ସମାପ୍ତି ବେଳକୁ ପଢ଼ିବା, ଲେଖିବା ଓ ସଂଖ୍ୟାଜ୍ଞାନର ଆବଶ୍ୟକ ଶିକ୍ଷଣ ଦକ୍ଷତା ହାସଲ କରିବା ମିଶନର ମୁଖ୍ୟ ଉଦେ୍ଦଶ୍ୟକୁ ଆଜିର ଉନ୍ମୋଚନ ଅବସରରେ ଗୁରୁତ୍ୱ ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ଦ୍ୱାରା ପିଲାଙ୍କର ମୌଳିକ ସାକ୍ଷରତା, ଭାଷାଜ୍ଞାନ ଓ ସଂଖ୍ୟାଜ୍ଞାନ ପରିପ୍ରକାଶ ପାଇବ । ସେମାନେ ଯୋଗ, ବିୟୋଗ, ଗୁଣନ ଓ ହରଣ ଠିକ ଭାବେ କରିପାରିବେ । ପ୍ରାଥମିକ ସ୍ତରରେ ଛାତ୍ର ଛାତ୍ରୀମାନଙ୍କ ମୂଳଦୁଆ ସୁଦୃଢ଼ ହେଲେ ସେମାନଙ୍କ ମଧ୍ୟରେ ସାକ୍ଷରତା, ଭାଷା ଓ ଗଣିତ କ୍ଷେତ୍ରରେ ସର୍ବନିମ୍ନ ଦକ୍ଷତା ଗୁଡ଼ିକ ସୁନିଶ୍ଚିତ ହେବା ସହିତ ସେମାନଙ୍କର ଚିନ୍ତନ, ସମସ୍ୟା ସମାଧାନ ନିର୍ଣ୍ଣୟ କରିବାର କୌଶଳ ଓ ଦକ୍ଷତା ବୃଦ୍ଧି ପାଇବାରେ ସହାୟକ ହୋଇପାରିବ ଓ ଏହି କାର୍ଯ୍ୟକ୍ରମରେ ଶିକ୍ଷକଙ୍କ ଦକ୍ଷତା ବୃଦ୍ଧି, ମାତୃ ସମ୍ମିଳନୀ, ଶୋଭାଯାତ୍ରା, ସଚେତନତା ଓ ଅନ୍ୟାନ୍ୟ କୌଶଳ ଆଦି ସାମିଲ କରାଇ ନିପୁଣ ଓଡ଼ିଶା ମିଶନକୁ ସଫଳ କରାଇବାକୁ ମତବ୍ୟକ୍ତ କରିଥିଲେ । କାର୍ଯ୍ୟକ୍ରମରେ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ କେଶବ ଚନ୍ଦ୍ର ସାହୁ ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲା ବେଳେ ଦେବବ୍ରତ ଶତପଥୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ବ୍ଲକର ସମସ୍ତ ଆଞ୍ଚଳିକ ସାଧନ କେନ୍ଦ୍ରର ସଂଯୋଜକ ସମେତ ବିଭିନ୍ନ ସ୍କୁଲର ଶିକ୍ଷକ ଉପସ୍ଥିତ ଥିଲେ ।