ତିହିଡ଼ି, ୧୪/୦୮(ଯଦୁମଣି ପାଣିଗ୍ରାହୀ) : ତିହିଡି ପଞ୍ଚାୟତ ସମିତିର ୬ଷ୍ଠ ବୈଠକ ବୁଧବାର ଦିନ ତିହିଡି ପଞ୍ଚାୟତ ସମିତି ପରିସରରେ ଥିବା ନୀଳମଣି ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ପଞ୍ଚାୟତ ସମିତି ଅଧ୍ୟକ୍ଷା ଅବନ୍ତୀ ଦାସ ଅଧ୍ୟକ୍ଷତା କରିଥିଲେ । ରାଜ୍ୟରେ ନୂଆ ସରକାର ଗଠନ ପରେ ଏହା ପ୍ରଥମ ବୈଠକ ହୋଇଥିବା ବେଳେ ନୂତନ ସାଂସଦ ଅଭିମନୁ୍ୟ ସେଠୀ, ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ ଓ ବାସୁଦେବପୁର ବିଧାୟକ ଅଶୋକ ଦାସ ଯୋଗ ଦେଇଥିବା ବେଳେ ଧାମନଗର ବିଧାୟକ ସୂର୍ଯ୍ୟବଂଶୀ ସୂରଜ ସରକାରୀ କାର୍ଯ୍ୟବ୍ୟସ୍ତତା ଯୋଗୁଁ ଅନୁପସ୍ଥିତ ଥିଲେ । ବୈଠକରେ ମୁଖ୍ୟତଃ ନିମ୍ନମାନର ଛତୁଆ ଯୋଗାଣ ଓ ବ୍ଲକର ବିଭିନ୍ନ ପଞ୍ଚାୟତରେ ଗ୍ରାମ୍ୟ ଉନ୍ନୟନ ବିଭାଗ ରାସ୍ତାର ଦୂରବସ୍ଥା ନେଇ ଉଦବେଗ ପ୍ରକାଶ ପାଇଥିଲା । ଏହି ମର୍ମରେ ବାରୋ ସରପଞ୍ଚଉଦ୍ଧବ ନାୟକ ହାତରେ ଛତୁଆ ପ୍ୟାକେଟ ଧରି ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ । ଏଣିକି ବ୍ଲକ ସ୍ତରୀୟ କମିଟି ଜରିଆରେ ଛତୁଆର ଗୁଣମାନ ସହ ଓଜନର ତଦାରଖ କରିବାକୁ ନିର୍ବାଚିତ ଜନ ପ୍ରତିନିଧି ମାନେ ବିଡିଓଙ୍କୁ ନିଦେ୍ର୍ଦଶ ଦେଇଥିଲେ । ସେହିପରି ବୈଠକରେ ଅନୁପସ୍ଥିତ ରହୁଥିବା ବିଭିନ୍ନ ବିଭାଗର ଅଧିକାରୀଙ୍କ ଉପରେ କାରଣ ଦର୍ଶାଅ ନୋଟିସ ଜାରି କରିବାକୁ ସାଂସଦ ଶ୍ରୀ ସେଠୀ ବିଡିଓଙ୍କୁ ନିଦେ୍ର୍ଦଶ ଦେଇଥିଲେ । ଅନ୍ୟପକ୍ଷେ ନିୟମିତ ଭାବେ ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ କରାଇବାକୁ ବିଧାୟକ ଶ୍ରୀ ଦାସ ବିଡିଓଙ୍କୁ ପରାମର୍ଶ ଦେଇଥିଲେ । ସେହିପରି ବ୍ଲକର ମୋଟ ୩୦୪ ଅଙ୍ଗନୱାଡି କେନ୍ଦ୍ର ଗୃହ ମଧ୍ୟରୁ ୨୦୭ଟି ଗୃହ ନିର୍ମାଣ ସରିଥିବା ବେଳେ ଅବଶିଷ୍ଟ ୯୭ଟି ଗୃହ ମଧ୍ୟରୁ ୬୧ଟି ଗୃହ ନିର୍ମାଣ ଲାଗି ଜାଗା ସମସ୍ୟା ରହିଥିବା କାରଣରୁ ତହସିଲଦାର ଏଥିନେଇ ପଦକ୍ଷେପ ନେବାକୁ ବିଧାୟକ ଶ୍ରୀ ରାୟ ପରାମର୍ଶ ଦେଇଥିଲେ । ଅନ୍ୟ ସମସ୍ୟା ଗୁଡିକ ମଧ୍ୟରେ ନୂତନ ଭାବେ ଗଠିତ ହୋଇଥିବା ପଞ୍ଚାୟତର ନିଜସ୍ୱ ଅଫିସ ଗୃହ ନଥିବା ନେଇ ଫତେପୁର ସରପଞ୍ଚ ପ୍ରଦୀପ କୁମାର ବଳ ଓ ମଙ୍ଗଳପୁର ସରପଞ୍ଚ ପୁଷ୍ପାଞ୍ଜଳି ଲେଙ୍କା ଅସନ୍ତୋଷ ପ୍ରକାଶ କରିଥିଲେ । ସାହାପୁରରେ ଏମ୍ଜିଏନଆରଇଜିଏ କାମରେ ଅନିୟମିତତାର ତଦନ୍ତ କରିବାକୁ ପୂର୍ବ ବୈଠକରେ ଏଠାକାର ସମିତିସଭ୍ୟ ପ୍ରକାଶ ମାଝୀ ଅଭିଯୋଗ କରିଥିଲେ ବି ତାହା ହୋଇନଥିବା ନେଇ ସେ ଅସନ୍ତୋଷ ବ୍ୟକ୍ତ କରିଥିଲେ । ସେହିପରି ବ୍ଲକରେ ଶିକ୍ଷା ଓ ଖାଉଟି ସାମଗ୍ରୀ ବଣ୍ଟନ ନେଇ ବୈଠକରେ ଆଲୋଚନା ହୋଇଥିଲା । ଅନ୍ୟମାନଙ୍କ ମଧ୍ୟରେ ବିଡିଓ ଜ୍ୟୋର୍ତିମୟ କର, ଏବିଡିଓ ମାନସ ଜେନା, ତହସିଲଦାର ଜୟଦ୍ରଥ ଆଚାର୍ଯ୍ୟ, ବ୍ଲକ ଉପାଧ୍ୟକ୍ଷା ସୁଭଦ୍ରା ଶତପଥି, ସାମାଜିକ ସୁରକ୍ଷା ଅଧିକାରୀ ନିହାର ରଞ୍ଜନ ରାଉତ, ସିଡିପିଓ ସଙ୍ଗୀତା ସିଂ,ସହକାରୀ ଯନ୍ତ୍ରୀ ସୁକାନ୍ତ ମିଶ୍ର ଓ ଟେକ୍ଚାନ୍ଦ କାଲୋ, ମେଡିକାଲ ଅଫିସର ଡା. ଶୁଭକାନ୍ତ ଓଝା, ବିଇଓ ଦାୟିତ୍ୱରେ ଥିବା ଶୁଭସ୍ମିତା ତ୍ରିପାଠୀ ପ୍ରମୁଖଙ୍କ ସମେତ ବିଭିନ୍ନ ପଞ୍ଚାୟତର ସରପଞ୍ଚ, ସମିତିସଭ୍ୟ, ଜିଲ୍ଲା ପରିଷଦ ସଭ୍ୟ ତଥା ବିଭିନ୍ନ ବିଭାଗର ଅଧିକାରୀ ମାନେ ଉପସ୍ଥିତ ଥିଲେ ।