ତିହିଡି, ୨୪/୦୮(Jadumani Panigrahi) : କରୋନା ସଂକ୍ରମଣ ଦିନକୁଦିନ ବୃଦ୍ଧି ପାଉଥିବା ବେଳେ ସରକାରଙ୍କ ଠାରୁ ପୁଣି ସାଧାରଣ ଲୋକଙ୍କ ଯାଏଁ ସମସ୍ତଙ୍କ ନଜର ଏବେ ଏହାରି ଉପରେ ହିଁ କେନ୍ଦ୍ରୀଭୂତ ହୋଇଛି । କରୋନା ଲଢେଇରେ ଡାକ୍ତର, ନର୍ସ, ସ୍ୱାସ୍ଥ୍ୟ କର୍ମଚାରୀ, ପୋଲିସ୍, ଆଶା ଓ ଅଙ୍ଗନୱାଡି କର୍ମୀ ମାନେ ନିୟୋଜିତ ଥିବା ବେଳେ ବିଭିନ୍ନ ସରକାରୀ ଦପ୍ତରରେ କାର୍ଯ୍ୟରତ ଅନ୍ୟ କର୍ମଚାରୀ ଓ ଅଧିକାରୀ ମାନେ କରୋନା ବାହାନାରେ ଖସରା ମାରି ବୁଲୁଥିବା ପରିଲକ୍ଷିତ ହୋଇଛି ।
ଫଳରେ ଦୈନିକ ବିଭିନ୍ନ ଦରକାରୀ କାମରେ ଆସୁଥିବା ଲୋକେ ନିରାଶ ହୋଇ ଫେରୁଥିବା ଜଣାଯାଇଛି । ଦୈନିକ ଅଧା କର୍ମଚାରୀ ଦପ୍ତରରେ ଉପସ୍ଥିତ ରହି ଲୋକଙ୍କ କାମ କରିବାକୁ ସରକାର ନିଦେ୍ର୍ଦଶ ଦେଇଥିବା ବେଳେ କିଏ କେତେବେଳେ ଦପ୍ତରକୁ ଆସୁଛି ଓ ଯାଉଛି ତା’ର କିଛି ଠିକ୍ଠିକଣା ରହୁନି । ତିହିଡି ବ୍ଲକ ଅଫିସ, ତହସିଲ ଅଫିସ, ଡାକ୍ତରଖାନା, ଥାନା, ସବ୍ ରେଜେଷ୍ଟ୍ରି, ଓ ବ୍ଳକ ଶିକ୍ଷାଧିକାରୀଙ୍କ ଦପ୍ତର ଯାଏଁ ଲୋକେ ବିଭିନ୍ନ କାମରେ ଆସୁଥିଲେ ମଧ୍ୟ କର୍ମଚାରୀ ଓ ଅଧିକାରୀଙ୍କୁ ନପାଇ ହତାଶ ହେଉଛନ୍ତି । କରୋନା ଜନିତ ସ୍ଥାନୀୟ ସଂକ୍ରମଣ ବୃଦ୍ଧି ପାଉଥିବା କାରଣରୁ ଉପରୋକ୍ତ ସରକାରୀ ଦପ୍ତର ଗୁଡିକର ମୁଖ୍ୟ ଫାଟକକୁ ବନ୍ଦ ରଖାଯାଉଥିବା ବେଳେ ସୀମିତ ଲୋକଙ୍କୁ ଭିତରକୁ ଛଡାଯାଉଛି ।
ମାତ୍ର କର୍ମଚାର ଓ ଅଧିକାରୀ ମାନେ ଅନୁପସ୍ଥିତ ରହୁଥିବା କାରଣରୁ ଲୋକେ ଖାଲି ହାତରେ ଫେରିବା ସାର ହେଉଛି । ଯଦିଓ ତହସିଲଦାର, ଅତିରିକ୍ତ ତହସିଲଦାର, ବିଡିଓ, ମଙ୍ଗଳ ଅଧିକାରୀ, ଥାନା ବାବୁଙ୍କ ଭଳି ପଦସ୍ଥ ଅଧିକାରୀ ମାନେ କରୋନା କାର୍ଯ୍ୟରେ ବ୍ୟସ୍ତ ରହୁଛନ୍ତି ତଥାପି ସଂପୃକ୍ତ ଦପ୍ତରରେ ଅନ୍ୟାନ୍ୟ କର୍ମଚାରୀ ଓ ଅଧିକାରୀ ମାନେ ଫାଙ୍କା ରହୁଛନ୍ତି । ତେଣୁ ସେମାନେ ବି ଲୋକଙ୍କ କାମ କରି ପାରନ୍ତେ ମାତ୍ର ସେମାନେ ଖସରା ମାରି ବୁଲୁଥିବା ଅଭିଯୋଗ ହେଉଛି । ସେମାନଙ୍କ ପାଖକୁ ଆପତ୍ତି, ଅଭିଯୋଗ ଓ ଅନ୍ୟାନ୍ୟ କାମରେ ଆସୁଥିବା ଲୋକଙ୍କୁ କରୋନା କଥା କହି ଫେରାଇ ଦିଆଯାଉଛି । ସରକାରୀ କର୍ମଚାରୀ ଓ ଅଧିକାରୀ ମାନେ କରୋନା ସମୟରେ ବି ନିୟମିତ ଦରମା ପାଉଥିବା ବେଳେ ଲୋକଙ୍କ କାମ କରିବାକୁ କାହିଁକି ପଛଘୁଞ୍ଚା ଦେଉଛନ୍ତି ବୋଲି ଚର୍ଚ୍ଚା ହେଉଛି । ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି