ତିହିଡ଼ି, ୨୭/୦୪(ଯଦୁମଣି ପାଣିଗ୍ରାହୀ): ବାସୁଦେବପୁର ଆସନ ପାଇଁ ବିଜେପି ଆଜି ବାଣୀକଲ୍ୟାଣ ମହାନ୍ତିଙ୍କୁ ପ୍ରାର୍ଥୀ ଘୋଷଣା କରିଛି । ବିଜେଡି ଓ କଂଗ୍ରେସ ପୂର୍ବରୁ ସେମାନଙ୍କର ପ୍ରାର୍ଥୀ ଘୋଷଣା କରିସାରିଥିବା ବେଳେ ବିଜେପିରୁ ଏଠାରେ କାହାକୁ ଟିକେଟ ଦିଆଯିବ ସେଥିନେଇ ଅଙ୍କ କଷା ଚାଲିଥିଲା । ହେଲେ ସେସବୁର ଅବସାନ ଘଟାଇ ବିଜେପି ଆଜି ତା’ର ପ୍ରାର୍ଥୀ ଘୋଷଣା କରିବା ପରେ ତିହିଡି ବିଜେପି କର୍ମୀଙ୍କ ମହଲରେ ଆନନ୍ଦ ପ୍ରକାଶ ପାଇଛି । ଶ୍ରୀ ମହାନ୍ତି ଜଣେ ଛାତ୍ର ଓ ଯୁବ ସଙ୍ଗଠକ ଭାବରେ ସମଗ୍ର ଅଞ୍ଚଳରେ ବେଶ ଜଣାଶୁଣା । ପୂର୍ବରୁ ସେ ବିଜୁ ଛାତ୍ର ଜନତାର ରାଜ୍ୟ ସମ୍ପାଦକ ଭାବେ ବେଶ ଦକ୍ଷତାର ସହ କାର୍ଯ୍ୟ କରିଥିଲେ । ତେବେ ବାସୁଦେବପୁରର ବିଜେଡି ବିଧାୟକ ବିଷ୍ଣୁବ୍ରତ ରାଉତରାୟଙ୍କ ସହ ମତଭେଦ ହେବାରୁ ସେ ତାଙ୍କ ବିରୋଧରେ ସମାନ୍ତରାଳ ସଙ୍ଗଠନ କରି ଆସୁଥିଲେ । ଏଥିପାଇଁ ଦଳରୁ ତାଙ୍କୁ ନିଲମ୍ବିତ ମଧ୍ୟ କରାଯାଇଥିଲା । ପରେ ସେ ବିଜେପିରେ ସାମିଲ ହୋଇ ଏଠାରୁ ଟିକେଟ ଲବିରେ ଥିଲେ । ତାଙ୍କ ପ୍ରତି ଯୁବଗୋଷ୍ଠୀର ଖୁବ ଭଲ ସମର୍ଥନ ରହିଛି । ସେ ପ୍ରାର୍ଥୀ ହୋଇଥିବାରୁ ବିଜେପି ଏଠାରେ ନିଜର ସ୍ଥିତିକୁ ମଜବୁତ କରିପାରିବା ସହିତ ଆଗାମୀ ନିର୍ବାଚନରେ ଭଲ ପ୍ରଦର୍ଶନ କରିବ ବୋଲି ଆଶା କରାଯାଉଛି । ପୂର୍ବରୁ ବିଜେଡି ବର୍ତ୍ତମାନର ବିଧାୟକ ବିଷ୍ଣୁବ୍ରତ ରାଉତରାୟଙ୍କୁ ଏଠାରେ ପୁଣିଥରେ ପ୍ରାର୍ଥୀ ଭାବେ ଘୋଷଣା କରିଥିବା ବେଳେ କଂଗ୍ରେସ ପକ୍ଷରୁ ଅଶୋକ ଦାସଙ୍କୁ ପ୍ରାର୍ଥୀ ଭାବେ ପୁଣି ଥରେ ରିପିଟ କରାଯାଇଛି । ସୂଚନାଥାଉକି ବାସୁଦେବପୁର ନିର୍ବାଚନମଣ୍ଡଳୀରେ ତିହିଡି ବ୍ଲକର ୯ ପଞ୍ଚାୟତ ସାମିଲ ରହିଛି । ଏଠାରେ ପ୍ରାର୍ଥୀଙ୍କର ହାରଜିତ ନେଇ ଏହି ୯ଟି ପଞ୍ଚାୟତ ସର୍ବଦା ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଆସିଛି ।