Odisha news

ବିଷ ବଳୟରେ ତିହିଡି : ଛାତ୍ର ଯୁବକ ବିପଥଗାମୀ, ଜିଲ୍ଲା ଅବକାରୀ ବିଭାଗ କୁମ୍ଭକର୍ଣ୍ଣ ନିଦ୍ରାରେ

ତିହିଡ଼ି,୨୬/୧୦: ସମଗ୍ର ବ୍ଳକ ଅଞ୍ଚଳରେ ବିଷାକ୍ତ ଚୋରା ମଦ, ଅଫିମ, ଗଞ୍ଜେଇ ସାଙ୍ଗକୁ ବ୍ରାଉନସୁଗାର ଭଳି ଉକ୍ରଟ ମାଦକ ଦ୍ରବ୍ୟ ସହଜଲବ୍ଧ ହୋଇଥିବାରୁ ନିଶାସେବନକାରୀ ଯୁବ-ଛାତ୍ର ମାନେ ବିପଥଗାମୀ ହୋଇ ନାନା ଅନୈତିକ କାର୍ଯ୍ୟରେ ଲିପ୍ତ ରହି ପରିବେଶ କଳୁଷିତ କରୁଥିବା ବେଳେ ଅବକାରୀ ବିଭାଗ କୁମ୍ଭକର୍ଣ୍ଣ ନିଦ୍ରାରେ ଥିବାରୁ ଦିନକୁଦିନ ନିଶା କବଳରେ ଅଧିକରୁ ଅଧିକ ଛାତ୍ର-ଯୁବକ ପଡୁଥିବାର ଦେଖାଯାଇଛି । ଅନୁସନ୍ଧାରୁ ଜଣାପଡିଛି ଯେ, ତିହିଡି ବଜାରରେ ଥିବା ଗୋଟିଏ ଦେଶୀ ଓ ଗୋଟିଏ ବିଦେଶୀ ମଦ ଦୋକାନ ଥିବା ବେଳେ ଉକ୍ତ ବ୍ଲକର ଗୁଆମାଳ ଠାରେ ଏକ ବିଦେଶୀ ମଦ ଦୋକାନ ରହିଛି । ମାତ୍ର ଆଶ୍ଚର୍ଯ୍ୟର ବିଷୟ ଏହି ବ୍ଲକରେ ଅନୁ୍ୟନ ୨ଶହରୁ ଅଧିକ ସ୍ଥାନରେ ଦେଶୀ ଓ ବିଦେଶୀ ମଦ, ଅଫିମ, ଗଞ୍ଜେଇ ସହଜରେ ମିଳୁଥିବା ବେଳେ ୨/୩ଟି ସ୍ଥାନରେ ବ୍ରାଉନ ସୁଗାର ମିଳୁଛି । ଚୋରା ବିଷାକ୍ତ ମଦ ଗାଁ ମାନଙ୍କରେ ମିଳୁଥିବାରୁ ଅତୀତରେ ମଦ ମୃତୁ୍ୟ ଭଳି ଦୁଃଖଦ ଘଟଣା ଘଟିଛି ଏବଂ ଆଗାମୀ ଦିନରେ ମଧ୍ୟ ତିହିଡିରେ ମଦ ମୃତୁ୍ୟ ଘଟିବା ସମ୍ଭାବନା ଦେଖା ଦେଇଛି । ସୂଚନା ଥାଉକି ତିହିଡିରେ ଥିବା ଦେଶୀ ଓ ବିଦେଶୀ ଦୋକାନରୁ ଦୈନିକ ସୂର୍ଯ୍ୟ ଉଦୟ ପୂର୍ବରୁ ବୋଲେରୋ, ଅଟୋ ଓ ବାଇକ ଯୋଗେ ମଦ ଯାଇ ଗାଁ ଗାଁରେ ବିକ୍ରୀ ହେଉଛି । ଜଣେ ଜଣେ ବିକ୍ରେତା ଏକାଧିକ ବାର ଧର ପଡି ମକଦ୍ଦମାରେ ପଡିଥିଲେ ବି ମଦରୁ ପ୍ରଚୁର ଲାଭ ହେଉଥିବାରୁ ସେହି ବେପାରକୁ ଛାଡି ପାରୁ ନାହାନ୍ତି । ଏଣେ ମଦୁଆ ମାନେ ମଦ ପିଇବାକୁ ପଇସା ଅଭାବ ପଡିଲେ ଚୋରୀ, ଛିନତାଇ ଭଳି ଅନୈତିକ କାର୍ଯ୍ୟରେ ଲିପ୍ତ ରହୁଛନ୍ତି । ଚୋରା ମଦ ଭଳି ଅଫିମ, ଗଞ୍ଜେଇ ସାଙ୍ଗକୁ ବ୍ରାଉନ ସୁଗାର ଯାହାକୁ ଯେତେ । ତିହିଡିରେ ଏକମାତ୍ର ଲାଇସେନ୍ସ ପ୍ରାପ୍ତ ଗଞ୍ଜେଇ ଦୋକାନ ଥିବା ବେଳେ ପ୍ରତି ଛକ ବଜାର ଓ ଗାଁ ଗହଳିରେ ଥିବା ଦୋକାନ ମାନଙ୍କରେ ଅଫିମ, ଗଞ୍ଜେଇ ମିଳୁଥିବା ଜଣାପଡିଛି । ମାତ୍ର ବ୍ରାଉନ ସୁଗାର ୨/୩ଟି ଜାଗାରେ ବିକ୍ରୀ ହେଉଥିଲେ ବି ୨/୪ ଦିନ ଅନ୍ତରରେ ବିକ୍ରୟ ସ୍ଥାନ ପରିବର୍ତ୍ତନ କରି କୌଶଳରେ ବିକ୍ରୟ ଚାଲିଛି । ଅବକାରୀ ବିଭାଗ ସବୁ ଜାଣି କୁମ୍ଭକର୍ଣ୍ଣ ନିଦ୍ରାରେ ରହୁଥିବାରୁ ତିହିଡି ବାସୀ ତ୍ରାହି ତ୍ରାହି ଡାକିଲେଣି ।

Comments are closed.