Odisha news

ବାରସର ସେବା ସମବାୟ ସମିତି : ତଦନ୍ତର ପ୍ରତିଶ୍ରୁତି ପରେ ଚାଷୀଙ୍କ ଗଣଧାରଣା ପ୍ରତ୍ୟାହୃତ

ତିହିଡ଼ି,୨୮ା୦୯: ତିହିଡି ବ୍ଲକ ଅଧିନ ବାରସର ସେବା ସମବାୟ ସମିତିକୁ ଗତ ୨୩ ତରିଖରେ ଚାଷୀମାନେ ତାଲା ପକାଇଥିବା ବେଳେ ୨୪ ତାରିଖ ଠାରୁ ଚାଷୀମାନେ ସମିତି ଆଗରେ ଗଣଧାରଣାରେ ବସିଥିଲେ । ତେବେ ଏହ ଗଣଧାରଣା ମଙ୍ଗଳବାର ଦିନ ପ୍ରତ୍ୟାହୃତ ହୋଇଛି । ଚାଷୀଙ୍କକ ଅଭିଯୋଗ ଉପରେ ଆସନ୍ତା ମାସେ ଭିତରେ ବିଧିବଦ୍ଧ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ମିିଳିବା ପରେ ଧାରଣା ପ୍ରତ୍ୟାହୃତ ହୋଇଛି । ପ୍ରକାଶ ଯେ, ଗତ ୨୦୧୯/୨୦ଖରିଫ ଋତୁରେ ବାରସର ସମବାୟ ସମିତିରୁ କୃଷି ଋଣ ନେଇ ଚାଷୀମାନେ ଧାନ ଚାଷ କରିଥିଲେ । ସରକାରୀ ନିୟମାନୁଯାୟୀ ଚାଷୀମାନେ ସମିତିରୁ କୃଷି ଋଣ ନେଇ ଋଣ ପୈଠ କରିିଥିଲେ । ମାତ୍ର ସମିତିର ସଂପାଦିକା ଏହି ରାଶି ବୀମା କମ୍ପାନୀକୁ ପ୍ରଦାନ କରିନଥିଲେ । ଯାହାଫଳରେ ଚାଷୀମାନେ ବୀମା ରାଶି ପାଇବାରୁ ବଞ୍ଚିତ ହୋଇଥିଲେ । ୨୦୧୯/୨୦ଆର୍ଥିକ ବର୍ଷରେ ଲଘୁଚାପ ଜନିତ ପ୍ରବଳ ବର୍ଷାରେ ବନ୍ୟା ହେବା ଯୋଗୁଁ ଧାନ ଚାଷ ସଂପୂର୍ଣ୍ଣ ନଷ୍ଟ ହୋଇ ଯାଇଥିଲା । ବୀମା କମ୍ପାନୀ ପକ୍ଷରୁ କ୍ଷେତ୍ରୀୟ ତଦନ୍ତ କରାଯାଇ ୮୫ରୁ ୮୬ ପ୍ରତିଶତ ଛାଡ କରାଯାଇଥିଲା । ମାତ୍ର ବୀମା ରାଶି ପୈଠ ହୋଇନଥିବା କାରଣରୁ ସେମାନେ କୃଷି ଋଣ ଛାଡରୁ ବଞ୍ଚିତ ହୋଇଥିଲେ ବୋଲି ଚାଷୀମାନେ ଅଭିଯୋଗ କରିଥିଲେ । । ଯେଉଁ କେତେଜଣ ଚାଷୀ କୃଷି ଋଣ ଛାଡ ପାଇଛନ୍ତି ତାହା ସେମାନଙ୍କ ଋଣ ତୁଳନାରେ କମ୍ ଅଟେ । ଏହି ଅନିୟମିତତାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନେବାକୁ ଚାଷୀମାନେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ମାତ୍ର କୌଣସି ସୁଫଳ ନ ମିଳିବାରୁ ଚାଷୀମାନେ ପ୍ରଥମେ ସମିତି କାର୍ଯ୍ୟାଳୟରେ ତାଲା ପକାଇ ଦେଇଥଲେ । ପରଦିନ ପ୍ରାକ୍ତନ ସରପଞ୍ଚ ରାଜାରାମ ମହାକୁଡ ଓ ପ୍ରାକ୍ତନ ସମିତିସଭ୍ୟ ମାନସ ରଞ୍ଜନ ନାୟକଙ୍କ ନେତୃତ୍ୱରେ ନୃସିଂହ ମହାକୁଡ, ବିପିନ ରାଉତ, ବିଚିତ୍ର ବାରିକ,ଚକ୍ରଧର ନାୟକ, କାଳନ୍ଦୀ ନାୟକ, ଉପେନ୍ଦ୍ର ବାରିକ, ଲକ୍ଷ୍ମଣ ଦାସ, ଦୀନବନ୍ଧୁ ମହାକୁଡ, ପ୍ରଦୀପ ମିଶ୍ର, ବୀରେନ୍ଦ୍ର ନାୟକ, ଅକ୍ଷୟ ନାୟକ, ରମଣ ମହାନ୍ତି, କେଦାର ମହାପାତ୍ର, କେଶବ ନାୟକ, ଦିବାକର ପରିଡା ପ୍ରମୁଖ ଚାଷୀମାନେ ଗଣଧାରଣାରେ ସାମିଲ ଥିଲେ । ମଙ୍ଗଳବାର ବାଲେଶ୍ୱର-ଭଦ୍ରକ ସମବାୟ ବ୍ୟାଙ୍କର ଜିଲ୍ଲା ସହକାରୀ ନିବନ୍ଧକ ବିକାଶ କୁମାର ନାୟକ, ସମିତି ସମୂହ ପ୍ରଶାସକ ଅଭିଳାଷ ରଣା, ତିହିଡି ଶାଖା ପରିଚାଳକ ସୁଶାନ୍ତ ପୁହାଣ ଚାଷୀଙ୍କ ନିକଟରେ ପହଞ୍ଚି ଆଲୋଚନା କରିବା ପରେ ଉପରୋକ୍ତ ପ୍ରତିଶ୍ରୁତି ଦେଇଥିଲେ । ସେହିପରି ସମିତିର ସଂପାଦିକା ଛୁଟିରେ ଥିବାରୁ ଚାରିତରଫ ସମିତିର ସଂପାଦକ ମନୋରଞ୍ଜନ ବଳଙ୍କ ହାତରେ ସମିତିର ସଂପାଦକ ଦାୟିତ୍ୱ ନ୍ୟସ୍ତ କରାଯାଇଥିଲା ।

Comments are closed.