Odisha news

କଳାକାର ଭତ୍ତାରୁ ବଞ୍ଚିତ ପଦ୍ମନାଭ ଦୁର୍ଦ୍ଦିନରେ : ହସି ହସାଇବାରେ ବିତାଇଛନ୍ତି ୪୫ ବର୍ଷ

ତିହିଡ଼ି,୨୦ା୦୬.ସାରା ଜୀବନ ଅନ୍ୟକୁ ହସାଇ ଆନନ୍ଦ ଲାଭ କରିଥିବା ହାସ୍ୟାଭିନେତା ପଦ୍ମନାଭ ଜେନା ଏବେ ଦୁର୍ଦ୍ଦିନରେ କାଳ କାଟୁଛନ୍ତି । ବାରମ୍ବାର ଆବେଦନ କରିବା ପରେ ବି ତାଙ୍କୁ କଳାକାର ଭତ୍ତା ମିଳି ପାରୁନାହିଁ । କରୋନା କାଳରେ ସମସ୍ତେ ଜୀବନ ଜୀବିକାକୁ ନେଇ ଚିନ୍ତିତ ହୋଇ ପଡିଥିବା ବେଳେ ସେଥିରୁ ବାଦ ପଡିନାହାନ୍ତି ଏହି ହାସ୍ୟାଭିନେତା । ପିଲାଦିନେ ବହୁ ଦୁଃଖକଷ୍ଟକୁ ସାମ୍ନା କରି ଯାତ୍ରା ଜଗତରେ ଚର୍ଚ୍ଚିତ ଚେହେରା ପାଲଟିଥିବା ପଦ୍ମନାଭଙ୍କ ଜୀବନରେ ଯେମିତି ସେହି ଦୁôଃଖ ଲେଉଟି ଆସିଛି । ତିହିଡି ବ୍ଲକ ଭାଟପଡା ପଞ୍ଚାୟତ ଅଧିନ ମିର୍ଜାପୁର ଗାଁର ବାସିନ୍ଦା ପଦ୍ମନାଭ ଜନ୍ମ ହେବାର ୬ ମାସ ପରେ ମାଆଙ୍କୁ ହରାଇଲେ । ୬ ବର୍ଷର ହୋଇଥିବା ବେଳେ ବାପା ଆଖି ବୁଜିଲେ । ବାପା ମାଆ ଛେଉଣ୍ଡ ପଦ୍ମନାଭଙ୍କ ଆଶ୍ରୟସ୍ଥଳ ପାଲଟିଥିଲା ମୂଷାଙ୍ଗ ଗ୍ରାମସ୍ଥିତ ମାମୁଁ ଘର ।

୪ର୍ଥ ଶ୍ରେଣୀରୁ ତାଙ୍କର ପାଠ ପଢାରେ ଡୋରି ବନ୍ଧା ଯାଇଥିଲା । କାମଧନ୍ଦା କରି ତାଙ୍କୁ ପେଟ ପୋଷିବାକୁ ପଡିଥିଲା । ପିଲାଟି ଦିନରୁ ନାଚଗୀତ ଓ ଅଭିନୟ ପ୍ରତି ରୁଚି ରଖିଥିବା ପଦ୍ମନାଭ ଯାତ୍ରା ଦଳରେ ସାମିଲ ହୋଇଥିଲେ । ଦୀର୍ଘ ୪୫ ବର୍ଷ ଧରି ନିଜର ଅଭିନୟ କଳା ମାଧ୍ୟମରେ ସେ ଅନ୍ୟଙ୍କୁ ହସ ବାଣ୍ଟି ଆସିଛନ୍ତି । ୧୨ ବର୍ଷ ବୟସ ବେଳେ ନବ ସାହୁଙ୍କ ଯାତ୍ରା ଦଳରେ ଯୋଗ ଦେଇଥିବା ପଦ୍ମନାଭ ପ୍ରଥମେ ଗୀତ ଗାଇବା ସହ ନୃତ୍ୟ ନାଟିକାରେ ଅଭିନୟ କରିଥିଲେ । ପରେ ଶ୍ରୀକୃଷ୍ଣ ଅପେରାରେ ପ୍ରଥମେ ହାସ୍ୟ ଅଭିନୟ କରିଥିଲେ । ପରବର୍ତ୍ତୀ ସମୟରେ ଓଡିଶା ଅପେରା ସମେତ ଧରିତ୍ରୀ, ବୀଣାପାଣି କଳାକୁଞ୍ଜ, ତ୍ରିନାଥ, କଳିଙ୍ଗ ଆଦି ପ୍ରତିଷ୍ଠିତ ଯାତ୍ରା ଦଳରେ ହାସ୍ୟ ଅଭିନୟ କରି ବେଶ ଲୋକ ପ୍ରିୟ ହୋଇଥିଲେ । ପ୍ରାୟ ୧୫୦ରୁ ଉଦ୍ଧ୍ୱର୍ ନାଟକରେ ଅଭିନୟ କରିଥିବା ପଦ୍ମନାଭ ଏବେ ଦୁଃଖ କଷ୍ଟରେ ଜୀବନ ବିତାଉଛନ୍ତି । ଶାରୀରିକ ଅସୁସ୍ଥତା ଯୋଗୁଁ ଆବଶ୍ୟକ ପଡୁଥିବା ଓøଷଧ କିଣିବାକୁ ସେ ସକ୍ଷମ ହୋଇ ପାରୁନାହାନ୍ତି । ଘରେ ପତ୍ନୀ ଓ ପୁଅବୋହୂଙ୍କ ସହ ରହୁଥିବା ଏହି କଳାକାର ଜଣଙ୍କୁ ଭତ୍ତା ମିଳିପାରିଲେ ସେ ଯଥେଷ୍ଟ ଉପକୃତ ହୋଇପାରନ୍ତେ । ଆଉ ଜୀବନ ସାରା ହସି ହସାଇ ଆସିଥିବା ପଦ୍ମନାଭଙ୍କ ମୁଖରେ ଶେଷ ଜୀବନରେ ହସ ଫୁଟିପାରନ୍ତା ।

Comments are closed.