ତିହିଡି : ତିହିଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଗତ ବର୍ଷ ନିର୍ମିତ ହୋଇଥିବା ଶୌଚାଳୟ ଆଜିଯାଏଁ ବ୍ୟବହାର ଉପଯୋଗୀ ହୋଇପାରିନି । ଏପରିସ୍ଥଳେ ପୁଣି ଏକ ଶୌଚାଳୟ ନିର୍ମାଣ ଲାଗି ଶିଳାନ୍ୟାସ କରାଯାଇଛି । ତେବେ ଏହାକୁ ବଜାରର କ୍ଷୁଦ୍ର ବ୍ୟବସାୟୀ ସଂଘ ପକ୍ଷରୁ ବିରୋଧ କରାଯାଇଛି । ସେମାନେ ଏ ସଂପର୍କରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସଚିବ, ଜିଲ୍ଲାପାଳ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ, ତହସିଲଦାର, ବିଡିଓ ପ୍ରମୁଖଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଗୋଟେ ଶୌଚାଳୟ କାମରେ ଲାଗୁ ନଥିବା ବେଳେ ଅନ୍ୟ ଏକ ଶୌଚାଳୟ ନିର୍ମାଣ କାହା ସ୍ୱାର୍ଥରେ ବୋଲି ସେମାନେ ପ୍ରଶ୍ନ ଉଠାଇଛନ୍ତି । ତେଣୁ ଶୌଚାଳୟ ନିର୍ମାଣ ନ ହେବା ଦିଗରେ ପଦକ୍ଷେପ ନେବାକୁ ସେମାନେ ଦାବି କରିଛନ୍ତି । ସେମାନେ ଦର୍ଶାଇଛନ୍ତି ଯେ, ଭଦ୍ରକ-ଚାନ୍ଦବାଲି ରାଜ୍ୟ ରାଜପଥ ପାଶ୍ୱର୍ରେ ଅସ୍ଥାୟୀ ଦୋକାନ କରି ସେମାନେ ପରିବାର ପ୍ରତିପୋଷଣ କରୁଛନ୍ତି । କିଛି ଦିନ ପୂର୍ବେ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ସୁଲଭ ଶୌଚାଳୟ ନିର୍ମାଣ କରାଯିବାକୁ ଶିଳାନ୍ୟାସ କରାଯାଇଥିଲା ।
ଏଥିସହିତ ସେମାନଙ୍କୁ ଦୋକାନ ଉଠାଇ ନେବାକୁ ପରାମର୍ଶ ଦିଆଯାଇଥିଲା । ତେବେ ସ୍ୱାସ୍ତ୍ୟକେନ୍ଦ୍ରରେ ରୋଗୀ ଓ ସେମାନଙ୍କ ତତ୍ତ୍ୱବଧାରକଙ୍କ ପାଇଁ ପ୍ରାୟ ୫ ଲକ୍ଷ ଟଙ୍କାରେ ପୂର୍ବରୁ ଏକ ଶୌଚାଳୟ ନିର୍ମିତ ହୋଇଥିଲା । ଯାହା ଏଯାଏଁ ବ୍ୟବହାର ଉପଯୋଗୀ ନହୋଇ ପରିତ୍ୟକ୍ତ ଅବସ୍ଥାରେ ପଡିରହିଛି । ଏପରିସ୍ଥଳେ ଝିଣ୍ଟିକା ମାରି ବଣି ପୋଷିବା ନ୍ୟାୟରେ ଦୋକାନୀ ମାନଙ୍କୁ ଉଠାଯାଇ ପୁନର୍ବାର ଏକ ଶୌଚାଳୟ ନିର୍ମାଣ ଲାଗି ଯୋଜନା କରାଯିବା କାହା ସ୍ୱାର୍ଥ ପାଇଁ ଉଦ୍ଦିଷ୍ଟ ବୋଲି ଲକ୍ଷ୍ମୀଧର ନାୟକ, ରଘୁନାଥ ନାୟକ, ଜ୍ୟୋତିପ୍ରକାଶ ବେହେରା, କୃଷ୍ଣଚନ୍ଦ୍ର ପୃଷ୍ଟିି, ନାରାୟଣ କୁମାର ନାଥ, କାହ୍ନୁଚରଣ ପୃଷ୍ଟି, ଗୌରାଙ୍ଗ ଦାସ, ସୁଦାମ ପାତ୍ର ପ୍ରମୁଖ ପ୍ରଶ୍ନ ଉଠାଇବା ସହ ଏହା ନିର୍ମାଣ କରାଗଲେ ରୋଗୀଙ୍କ ଅପେକ୍ଷା ବୁଲାଟିଆ ଲୋକଙ୍କ କାମରେ ଲାଗିବ ବୋଲି ଦର୍ଶାଇଛନ୍ତି ।
Comments are closed.