ତିହିଡି,୧୪/୦୧(ଯଦୁମଣି ପାଣିଗ୍ରାହୀ): ରାଜ୍ୟର ଅନ୍ୟତମ ପର୍ଯ୍ୟଟନ କ୍ଷେତ୍ରର ମାନ୍ୟତା ଲାଭ କରିଥିବା ତିହିଡି ବ୍ଲକ ଶ୍ୟାମସୁନ୍ଦରପୁର ପଞ୍ଚାୟତ ଅଧିନ ଈଶ୍ୱରପୁର ସ୍ଥିତ ମା’ଦପାନାୟକାଣୀ ପୀଠରେ ଗୁରୁବାର ଦିନ ମକର ମେଳା ନିରାଡମ୍ବର ଭାବେ ପାଳିତ ହୋଇଛି । କୋଭିଡ କଟକଣା ଯୋଗୁଁ ଦୋକାନ ବଜାର ବସି ପାରି ନଥିବା ବେଳେ ଶ୍ରଦ୍ଧାଳୁଙ୍କ ପୀଠରେ ସମାଗମ ହୋଇଥିଲା । ଗୁରୁବାର ସକାଳେ ମା’ଙ୍କ ପୀଠରେ ଯଥାବିଧି ପୂଜାର୍ଚ୍ଚନା କରାଯିବା ସହିତ ଭକ୍ତମାନେ ଧାଡିରେ ଯାଇ ମା’ଙ୍କୁ ଦର୍ଶନ କରିଥିଲେ ।
ପ୍ରକାଶ ଯେ, ସମଗ୍ର ଅଞ୍ଚଳରେ ଆରାଧ୍ୟ ଦେବୀ ଭାବେ ପୂଜା ପାଇ ଆସୁଥିବା ମା’ ଦପାନାୟକାଣୀ ପୀଠରେ ପ୍ରତିବର୍ଷ ମକର ମେଳା ଅନୁଷ୍ଠିତ ହୋଇଥାଏ । ଏହି ମେଳା ୩ ଦିନ ଧରି ଅନୁଷ୍ଠିତ ହେଉଥିବା ବେଳେ ତିହିଡି, ଧାମନଗର ଓ ଭଦ୍ରକ ବ୍ଲକର ସହସ୍ରାଧିକ ଲୋକ ଏଠାରେ ସମବେତ ହୋଇଥାନ୍ତି । ସେହିପରି ବିଭିନ୍ନ ସ୍ଥାନରୁ ବ୍ୟବସାୟୀ ମାନେ ଏଠାକୁ ଆସି ଦୋକାନ ଲଗାଇଥାନ୍ତି ।
ଏଠାରେ ବିଶେଷତ୍ୱ ହେଉଛି ବିନା ଚୂଲିରେ କେବଳ ଘଷି ଉପରେ ହାଣ୍ଡି ବସାଯାଇ ମା’ଙ୍କ ଭୋଗ ପ୍ରସ୍ତୁତ କରାଯାଇଥାଏ । ସେହିପରି ଭକ୍ତମାନେ ଏଠାରେ ନିଜ ମନସ୍କାମନା ପୂର୍ଣ୍ଣ ଲାଗି ମା’ଙ୍କୁ ମାଟି ଘୋଡା ଓ କୁକୁଡା ଅର୍ପଣ କରିଥାନ୍ତି । ମା’ଙ୍କ ମନ୍ଦିର ପାଶ୍ୱର୍ ଦେଇ ପ୍ରବାହିତ ୩ଟି ନଦୀର ସଙ୍ଗମସ୍ଥଳକୁ ତ୍ରିବେଣୀ ସଙ୍ଗମ କୁହାଯାଏ । ସେଠାରେ ଆଜି ସକାଳେ ଭକ୍ତମାନେ ବୁଡ ପକାଇ ମା’ଙ୍କୁ ଦର୍ଶନ କରିଥାନ୍ତି । ଏହି ମକର ମେଳାରେ କୌଣସି ଦୋକାନୀ ଦୋଗାନ ଲଗାଇ ନଥିବା ବେଳେ ଡାକବାଜି ଯନ୍ତ୍ରର ବ୍ୟବହାର ବି ହୋଇନଥିବା ଜଣାଯାଇଛି ।
