ତିହିଡି(Jadumani Panigrahi) : ଭୋଦୁଅ ଯାଇ ଅଶିଣ ଆସିଛି । କାଶତଣ୍ଡୀ ଫୁଲର ସୌନ୍ଦର୍ଯ୍ୟ ବିଭୋର କଲେଣି ସାନରୁ ବଡ ଯାଏଁ ସମସ୍ତଙ୍କ ମନକୁ । ରଙ୍ଗବେରଙ୍ଗର ଫୁଲରେ ସଜେଇ ହେଲେଣି ପ୍ରକୃତି । ଆଉ ଦିନ କେଇଟା ପରେ ମା’ ଦୁର୍ଗା ବିଜେ କରିବେ ଏ ଧରାପୃଷ୍ଠକୁ । ବିଭିନ୍ନ ପୂଜା ମଣ୍ଡପରେ ପୂଜା ପାଇବେ ମା’ ଦୁର୍ଗା ।
ଗାଁ ଠୁଁ ସହର ଯାଏଁ ସମସ୍ତଙ୍କ ମନରେ ଉକ୍ରଣ୍ଠା ବଢି ବଢି ଚାଲିଛି । ଶାରଦୀୟ ଦୁର୍ଗା ପୂଜାର ଖୁସି ଗୋଟେ ନିଆରା । ଆଉ ଏହି ଖୁସିରେ ଖୁସି ହେବାକୁ କିଏ ବା ନ ଚାହିଁବ କାହିଁକି? ଉକ୍ରଳୀୟ ପରମ୍ପରାରେ ଶାରଦୀୟ ଦୁର୍ଗାପୂଜାର ଅଲଗା ମହତ୍ତ୍ୱ ରହିଛି । ଜାତି, ଧର୍ମ ଓ ବର୍ଣ୍ଣ ନିର୍ବିଶେଷରେ ଏହି ପର୍ବକୁ ସର୍ବତ୍ର ବେଶ ଉତ୍ସାହ ଓ ଉଦ୍ଦୀପନାର ସହିତ ପ୍ରତିବର୍ଷ ପାଳନ କରାଯାଇଥାଏ ।
ତେବେ କୋରୋନା ମହାମାରୀ ଦିନକୁଦିନ ନିଜର କାୟା ବିସ୍ତାର କରିଚାଲିଥିବା ଯୋଗୁଁ ଗଣେଶ ପୂଜା ଠାରୁ ପର୍ବପର୍ବାଣୀ ପାଳନ ଉପରେ ସରକାରୀ କଟକଣା ଜାରି କରାଯାଇଛି । ଯାହା ଫଳରେ ଆଜିଯାଏଁ ପାଳିତ ହୋଇଥିବା ପର୍ବପର୍ବାଣୀ ଗୁଡିକ ଅତ୍ୟନ୍ତ ନିରାଡମ୍ବର ଭାବେ ହୋଇଛି । ସେହିପରି ଲକଡାଉନ ଓ ସଟଡାଉନ ଲାଗୁ ହେବା ଯୋଗୁଁ ଅନେକ ପର୍ବପର୍ବାଣୀ ଓ ଉତ୍ସବ ଅନୁଷ୍ଠାନ ବି ଲୋକେ ନିଜ ନିଜ ଘରେ ପାଳନ କରିଛନ୍ତି ।
ଆଗକୁ ଦୁର୍ଗାପୂଜା ଆସୁଥିବାରୁ ଓ ଏହା ଓଡିଶାର ବିଭିନ୍ନ ସ୍ଥାନରେ ବେଶ ଆଡମ୍ବର ସହକାରେ ପାଳନ କରାଯାଉଥିବା କାରଣରୁ ସରକାର ଏହା ଉପରେ ରୋକ ଲଗାଇଛନ୍ତି । ଫଳରେ ଆଡମ୍ବର ସହକାରେ ପୂଜା ପାଳନ କରାଯାଉଥିବା ଅନେକ ସ୍ଥାନରେ ପୂଜା କମିଟି ପକ୍ଷରୁ ଏହାକୁ ବିରୋଧ କରାଯାଇ କୋର୍ଟକଚେରୀର ମଧ୍ୟ ଆଶ୍ରୟ ନିଆଯାଇଛି । ଏପରିସ୍ଥିତିରେ ଭଦ୍ରକ ସମେତ ଜିଲ୍ଲାର ବିଭିନ୍ନ ସ୍ଥାନରେ ପାଳନ କରାଯାଉଥିବା ଶାରଦୀୟ ଦୁର୍ଗାପୂଜା ସରକାରୀ ନିୟମ ମୁତାବକ ଏଥର ନିରାଡମ୍ବର ଭାବେ ପାଳନ କରାଯିବା ଧାର୍ଯ୍ୟ ।
ତେବେ ଗାଁ ଗହଳିରେ ବି ଶାରଦୀୟ ଦୁର୍ଗାପୂଜା ବିଭିନ୍ନ ସ୍ଥାନରେ ପାଳନ କରାଯାଇଥାଏ । ପ୍ରତି ପରିବାରରେ ନୂଆ ଲୁଗାପଟା ସାଙ୍ଗକୁ ପିଠାପଣା ଓ ନୂତନ ଦ୍ରବ୍ୟର କ୍ରୟ ଲାଗି ଆଶା ରଖା ଯାଇଥାଏ । ବନ୍ଧୁବାନ୍ଧବ ଓ ଝିଅଝିଆଣିଙ୍କ ଆଗମନ ଗାଁ ପରିବେଶକୁ ଉତ୍ସବ ମୁଖରିତ କରିଥାଏ । ମାତ୍ର କୋରୋନା କଟକଣା ଏଥର ଏହା ଉପରେ ଦାଉ ସାଜିବାକୁ ବସିଛି ।
ପୂଜା ପାଳନ ନେଇ ସରକାର ନିର୍ଦ୍ଦିଷ୍ଟ ଗାଇଡଲାଇନ ଜାରି କରିଥିବାରୁ ପୂଜା ପାଳନ ନେଇ ଲୋକଙ୍କ ମନରେ ଯେଉଁ ହସଖୁସି ଭରି ଯାଇଥାନ୍ତା ତାହା ଆଉ ଏଥର ଦେଖିବାକୁ ମିଳିବନି । ଗାଁ ଗହଳିରେ ଥିବା ଅନେକ ପୂଜା କମିଟିର କର୍ମକର୍ତ୍ତା ମଧ୍ୟ ଏଥିନେଇ ଅସନ୍ତୋଷ ପ୍ରକାଶ କରୁଥିଲେ ମଧ୍ୟ ସରକାରୀ ନିୟମକୁ ମାନି ପୂଜା କରିବେ ବୋଲି କହିଛନ୍ତି । ସରକାରୀ ନିୟମ ଅନୁସାରେ ଏଥରର ପୂଜା ସଂପୂର୍ଣ୍ଣ ନିରାଡମ୍ବର ଭାବେ ପାଳନ କରାଯିବ ।
ସାଜସଜ୍ଜା ଠାରୁ ଆରମ୍ଭ କରି ଲାଇଟ୍ ଓ ଡାକବାଜି ଯନ୍ତ୍ରର ବ୍ୟବହାର ଉପରେ କଟକଣା କରାଯାଇଛି । ସେହିପରି ପୂଜା ମଣ୍ଡପ ନିକଟରେ କୌଣସି ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇପାରିବ ନାହିଁ । ପୂଜା ମଣ୍ଡପ ନିକଟରେ ପୁରୋହିତଙ୍କ ସମେତ ଅଳ୍ପ କେତେଜଣ କମିଟି କର୍ମକର୍ତ୍ତା ଉପସ୍ଥିତ ରହିପାରିବେ । ମଣ୍ଡପ ବାହାରେ ସାମାଜିକ ଦୂରତା, ମାସ୍କ ପରିଧାନ ଓ ସାନିଟାଇଜିଂକୁ କଡାକଡି ପାଳନ କରାଯିବ । ସେହିପରି ପୂଜା ମଣ୍ଡପ ନିକଟରେ ଏକକାଳୀନ ବହୁଲୋକଙ୍କ ସମାଗମ ହୋଇପାରିବ ନାହିଁ ।
ମୋଟ ଉପରେ ସମସ୍ତ ପ୍ରକାର ଆଡମ୍ବର ଠାରୁ ଦୂରେଇ ରହି କେବଳ ବିଧିରକ୍ଷା ପୂର୍ବକ ଏଥର ଶାରଦୀୟ ଦୁର୍ଗାପୂଜା କରାଯିବାକୁ ସରକାରୀ ନିଷ୍ପତ୍ତି କରାଯାଇଛି । ଫଳରେ ପୂର୍ବରୁ ପାଳିତ ହୋଇଥିବା ଅନ୍ୟ ପର୍ବପର୍ବାଣୀ ପରି ଦୁର୍ଗାପୂଜା ବି କୋରୋନା କଟକଣା ପାଇଁ ଫିକାପଡିବା ନିଶ୍ଚିତ । କେବଳ ସେତିକି ନୁହେଁ କୋରୋନା କଟକଣା ନ ଉଠିବା ଯାଏଁ ଆଗକୁ ବି ଆସୁଥିବା ପର୍ବପର୍ବାଣୀ ଗୁଡିକ ମଧ୍ୟ ଅନୁରୂପ ଭାବେ ଏମିତି ଫିକା ପଡିବା ନେଇ ସଂଶୟ ସୃଷ୍ଟି ହୋଇଛି ।