Odisha news

ଶିମିଳିପାଳ ଅଭୟାରଣ୍ୟର ପାଦଦେଶରେ ଚଢଉ : ବାଘଚମଡା ଜବତ, ୫ ବେପାରୀ ଗିରଫ

0

ବାରିପଦା : ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବନଖଣ୍ଡ ପକ୍ଷରୁ ଏକ ବିଶେଷସୁତ୍ରରୁ ଖବରପାଇ ମଙ୍ଗଳବାର ଶିମିଳିପାଳ ଅଭୟାରଣ୍ୟର ପାଦଦେଶରେ ଚଢଉ କରାଯାଇ ଏକ କଲରାପତରିଆ ବାଘଚମଡା ସହ ୫ଜଣ ବେପାରୀଙ୍କୁ ଗିରଫ କରାଯିବା ସହ ୨ଟି ବାଇକ୍ ଜବତ କରାଯାଇଛି । ଘଟଣାରୁ ପ୍ରକାଶ ଯେ, ରାଇରଙ୍ଗପୁର ବନଖଣ୍ଡ ଅନ୍ତର୍ଗତ ମଣଦା ରେଞ୍ଜ ର ବିଶୋଇ ସ୍ଥିତ ଖଜୁରୀକଟାସ ଗ୍ରାମ ନିକଟରେ ଏକ କଲରାପତରିଆ ବାଘଚମଡା ବିକ୍ରି ପାଇଁ ମୂଲଚାଲ ଚାଲିଥିବାବେଳେ ବନବିଭାଗ ପକ୍ଷରୁ ଅତର୍କୀତ ଚଢଉ କରାଯାଇ ବାଘଚମଡା ସହ ୫ଜଣଙ୍କୁ ଗିରଫ କରାଯାଇଥିଲା ।

ଗିରଫ ଅଭିଯୁକ୍ତମାନେ ହେଲେ କୁଳିଅଣା ଥାନା ଅଞ୍ଚଳର ଖେଲାରାମ ହାଁସଦାଃ(୨୧), ବିଶୋଇ ଥାନା ଅଞ୍ଚଳର ବାଇନାଥ ହେମ୍ବ୍ରମ(୨୫) ଓ ସନତ୍ ମାରାଣ୍ଡି(୪୫), ଜାମଦା ଥାନା ଅଞ୍ଚଳର ତୁଶୀଲ ମୁର୍ମୁ(୪୨) ଓ ଚାନ୍ଦୁଆ ଥାନା ଅଞ୍ଚଳର ହାମ୍ବିର ଟୁଡୁ(୧୮)ଙ୍କୁ ଗିରଫ କରାଯାଇ କୋର୍ଟଚାଲାଣ କରାଯିବା ସହ ଓଡି-୧୧ବି-୨୦୭୯ ଓ ଓଡି-୧୧କିୟୁ-୭୧୬୯ ନମ୍ବର ବିଶିଷ୍ଟ ଦୁଇଟି ବାଇକ୍କୁ ଜବତ କରାଯାଇଛି ।

ବନବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଏହି ର୍ୟାକେଟ୍ କୁ ଧରିବାପାଇଁ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇ ଚଢଉ କରାଯାଇଥିଲା । ଜବତ ବାଘଚମଡାର ଲମ୍ବ ୫ଫୁଟ୍ ୬ଇଞ୍ଚ୍ ହୋଇଥିବାବେଳେ ଏହା ଦୁଇବର୍ଷ ତଳେ ଶିକାର ହୋଇଥିବା ଜଣାଯାଇଛି । ଏହି ଚଢଉ ରାଇରଙ୍ଗପୁର ବନଖଣ୍ଡ ଅଧିକାରୀ ଅରୁଣ କୁମାର ମିଶ୍ରଙ୍କ ନେତୃତ୍ୱରେ ଏସିଏଫ୍ ବୈଦନାଥ ମାଝୀ ଓ ନବୀନ ଚନ୍ଦ୍ର ନାୟକ ଏବଂ ବାଦାମପାହାଡ ରେଞ୍ଜର ରମାକାନ୍ତ ମାଝୀ ପ୍ରମୁଖଙ୍କ ସହ ବନବିଭାଗ କର୍ମଚାରୀମାନେ ଚଢଉରେ ସାମିଲ ହୋଇଥିଲେ ।

Leave A Reply