ସୌଭାଗ୍ୟବତୀ ଗିରି , ପଟ୍ଟାମୁଣ୍ଡାଇ ,କେନ୍ଦ୍ରାପଡା : ଭାରତବର୍ଷ ଏକ ପବିତ୍ର ଦେଶ l ଏଠି ଦେଖିବାକୁ ମିଳେ ସର୍ବଧର୍ମ ସମନ୍ୱୟ l “ବସୁଧୈବ କୁଟୁମ୍ବକମ୍” ର ବାର୍ତ୍ତା ଦିଏ ଆମ ଭାରତବର୍ଷ l ଏଠି ହିନ୍ଦୁ,ମୁସଲିମ୍,ଜୈନ,ଶିଖ୍ ଆମେ ସମସ୍ତେ ଭାଇଭାଇ l ଧର୍ମ କେବଳ ମନୁଷ୍ୟକୁ ସତମାର୍ଗ ଦେଖାଇବାର ଏକ ମାଧ୍ୟମ ମାତ୍ର l ବିଭିନ୍ନ ଧର୍ମରେ ବିଭିନ୍ନ ପର୍ବପର୍ବାଣୀ ପାଳନ କରାଯାଉଥିବା ବେଳେ ଇଦୁଲଫିତର୍ ଇସଲାମ୍ ଧର୍ମର ସବୁଠୁ ବଡ ପର୍ବ l
ଇସଲାମିକ୍ କ୍ୟାଲେଣ୍ଡର୍ ର ମାସ ହିସାବରେ ରମଜାନ୍ ମାସ ଏକ ପବିତ୍ର ମାସ l ଏହି ମାସରେ ସମସ୍ତଙ୍କ ଜୀବନଶୈଳୀ ଅତି ସୁବ୍ୟବସ୍ଥିତ ହୋଇଯାଏ l ଏହି ମାସ ସାରା ମୁସଲିମ୍ ଭାଇଭଉଣୀ ମାନେ ସୂର୍ଯ୍ୟୋଦୟ ଠାରୁ ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ ଉପବାସ ରଖନ୍ତି l ପ୍ରତିଦିନ ମସଜିଦ୍ ଯାଇ ପବିତ୍ର କୋରାନ୍ ପଢନ୍ତି l ଯେଉଁ ପବିତ୍ର ଗ୍ରନ୍ଥ କେବଳ ମୁସଲମାନ୍ ମାନଙ୍କ ପାଇଁ ନୁହେଁ ବରଂ ସାରା ମାନବଜାତିର ମଙ୍ଗଳ ପାଇଁ ଉଦ୍ଦିଷ୍ଟ l ସେମାନଙ୍କର ଏଇ ବ୍ୟବସ୍ଥିତ ଜୀବନଶୈଳୀ ସେମାନଙ୍କୁ ପୂଣ୍ୟପ୍ରାପ୍ତି ର ମାର୍ଗ ଦେଖାଏ l
ପ୍ରତିଦିନ ମସଜିଦ୍ ଯାଉଥିବାରୁ ହିଂସା,ବିଦ୍ୱେଷ ଭଳି ଗୁଣ ନଷ୍ଟ ହୋଇ ଐଶ୍ୱରିକ ଗୁଣର ଆବିର୍ଭାବ ହୁଏ l ଏହା ସେମାନଙ୍କୁ ପାପରୁ ପୂଣ୍ୟ ଆଡକୁ ବାଟ କଢାଇ ନିଏ l ସାଂସାରିକ ଜୀବନ ଠାରୁ ଈଶ୍ୱରପ୍ରାପ୍ତି ଯଥେଷ୍ଟ ଭଲ ବୋଲି ସମସ୍ତେ ଅନୁଭବ କରନ୍ତି l ମାସ ଯାକ ଉପବାସ ରହିବା ଦ୍ୱାରା ଦୁ:ଖୀଦରିଦ୍ରଙ୍କ ଦରଦକୁ ଜାଣିପାରନ୍ତି l ଦୁ:ଖୀଙ୍କ ଦୁ:ଖ ବୁଝିବାର କ୍ଷମତା ସେମାନଙ୍କ ଭିତରେ ଆସିଯାଏ l ମାନବିକତାର ମୂଲ୍ୟବୋଧକୁ ସେମାନେ ହୃଦୟଙ୍ଗମ କରନ୍ତି l ଏହି ମାସରେ କରାଯାଇଥିବା ଭକ୍ତି ଓ ପ୍ରାର୍ଥନାରୁ ଯେଉଁ ଆତ୍ମସନ୍ତୋଷ ମିଳେ ତାକୁ ଗୋଟିଏ ଶବ୍ଦରେ କହିଲେ ତାହା ଇଦୁଲଫିତର l
ମାସ ସାରା ରଖାଯାଇଥିବା ଉପବାସ ବ୍ରତ ଏହିଦିନ ଭଙ୍ଗାଯାଏ l ଏହିଦିନ ଆଉ ଉପବାସ ରଖାଯାଏ ନାହିଁ l ଇଦ୍ ର ଜହ୍ନ ଦେଖାଯିବା ପରଦିନ ଇଦୁଲଫିତର୍ ପାଳନ କରାଯାଏ l ଏହିଦିନ ରମଜାନ୍ ମାସ ଶେଷ ହୋଇ ଇସଲାମିକ୍ ମାସ ଶୱାଲ୍ ଆରମ୍ଭ ହୁଏ l ଇଦୁଲଫିତର୍ ଦିନ ମୁସଲମାନ୍ ଭାଇମାନେ ଏକତ୍ର ହୋଇ ସାମୂହିକ ନମାଜ୍ ପାଠ କରନ୍ତି l ଏହି ଦିନ ଇଦ୍ ର ପ୍ରାର୍ଥନା ପୂର୍ବରୁ ପ୍ରଥମେ ଦୁ:ଖୀଗରିବ ମାନଙ୍କୁ ସ୍ୱଇଚ୍ଛାରେ କିଛି କିଛି ଦାନ କରାଯାଏ l
ଇଦ୍ ର ପ୍ରାର୍ଥନା ପରେ ସମସ୍ତେ ନିଜ ନିଜ ବନ୍ଧୁମାନଙ୍କ ସହିତ ମିଶିବା ସହିତ ଉପହାର ଦିଆନିଆ ମଧ୍ୟ ହୁଅନ୍ତି l ବିଭିନ୍ନ ସୁସ୍ୱାଦୁ ଖାଦ୍ୟ ଅନ୍ୟକୁ ଖୁଆଇବା ସହିତ ନିଜେ ମଧ୍ୟ ଖାଆନ୍ତି l ବିଶ୍ୱର ଅଲଗା ଅଲଗା ଦେଶରେ ଅଲଗା ଅଲଗା ଦିନରେ ଇଦ୍ ପାଳନ କରାଯାଏ l ବିଭିନ୍ନ ଦେଶ ର ତାରତମ୍ୟ ହିସାବରେ ଇଦ୍ ଗୋଟେ ଦିନରୁ ନେଇ ତିନି ଦିନ ପର୍ଯ୍ୟନ୍ତ ପାଳନ କରାଯାଏ l ଏହି ପବିତ୍ର ପର୍ବ ଇଦୁଲଫିତର ହେଉଛି ସାହାଯ୍ୟ -ସହଯୋଗର ପର୍ବ,ଖାଇବା ଓ ଖୁଆଇବା ର ପର୍ବ,ଶାନ୍ତି ଓ ସମନ୍ୱୟର ପର୍ବ,ସେବା ଓ ସଦଭାବନାର ପର୍ବ l ସର୍ବୋପରି ଏହା ଏକତା,ମୈତ୍ରୀ,ଭାଇଚାରା,ହସଖୁସି ଓ ଆନନ୍ଦ ଉଲ୍ଲାସର ପର୍ବ l
ଏଥର ଲକଡାଉନ୍ ଭିତରେ ଏହି ପର୍ବ ପଡିଥିବାରୁ ମୁସଲିମ୍ ଭାଇମାନେ ସରକାରଙ୍କ କରୋନା ସୁରକ୍ଷାମନ୍ତ୍ର ପ୍ରତି ବିଶେଷ ଦୃଷ୍ଟି ଦିଅନ୍ତୁ l ଅତି ସରଳତାର ସହିତ ପର୍ବପାଳନ କରନ୍ତୁ l ପର୍ବପାଳନ ସହିତ ନିଜ ସୁରକ୍ଷା ପ୍ରତି ବି ଧ୍ୟାନ ଦିଅନ୍ତୁ l ଘରେ ରହି ନମାଜ୍ ପଢନ୍ତୁ ଓ ସେଇ ସର୍ବବ୍ୟାପୀ ଆଲ୍ଲାଙ୍କୁ ଡାକନ୍ତୁ l ବାହାରକୁ ଆସୁଥିବା ଭାଇମାନେ ଯଥାସମ୍ଭବ ସାମାଜିକ ଦୂରତା ରକ୍ଷା କରନ୍ତୁ l ଏହି ପର୍ବ ପ୍ରତିଟି ପରିବାରରେ ହସଉଲ୍ଲାସ ଭରିଦେଉ l ସାରା ବିଶ୍ୱରେ ଏକତା,ଶାନ୍ତି,ମୈତ୍ରୀର ପ୍ରତିଷ୍ଠା ହେଉ l ସମସ୍ତେ ସୁଖୀ ରୁହନ୍ତୁ l ସମସ୍ତେ ସୁରକ୍ଷିତ ରୁହନ୍ତୁ l ସବୁ ମୁସଲମାନ୍ ଭାଇଭଉଣୀ ମାନଙ୍କୁ ଇଦୁଲଫିତର୍ ର ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ l