ଜଣେ ଆଦର୍ଶ ଛାତ୍ର ତିଆରି କରିବାର ଗୁରୁ ଦାୟିତ୍ୱଟି ସଦାସର୍ବଦା ନ୍ୟସ୍ତ ଥାଏ ଜଣେ ଗୁରୁଙ୍କ ଉପରେ । ଗୁରୁମାନେ ହିଁ ପ୍ରକାରାନ୍ତରେ ସମାଜ ସଂସ୍କାରକ । ସମାଜର ମଙ୍ଗଳ ତଥା କଲ୍ୟାଣ ଚିନ୍ତା କରି ସେମାନଙ୍କର ଜ୍ଞାନ, ଆଦର୍ଶ, ଗୁଣ ଓ ବ୍ୟବହାର ମାଧ୍ୟମରେ ଉତ୍ତମ ଛାତ୍ର ବା ଶିଷ୍ୟ ନିର୍ମାଣ କରିଥାନ୍ତି । ଗୁରୁ ଶବ୍ଦର “ଗୁ’ ଅକ୍ଷରର ଅର୍ଥ ଗୁଣାତୀତ ଓ “ରୁ’ ଅକ୍ଷରର ଅର୍ଥ ରୂପାତୀତ । ଅର୍ଥାତ୍ ଜଣେ ଆଦର୍ଶ ଗୁରୁ ସର୍ବଦା ଅତୁଳନୀୟ । ସେ ସାକ୍ଷାତ ତି୍ରଦେବ ବା ବ୍ରହ୍ମା, ବିଷ୍ଣୁ ଓ ଶଙ୍କରଙ୍କ ସମ୍ମିଳିତ ଶକ୍ତି ଅଟନ୍ତି । ଶ୍ରୀକୃଷ୍ଣଙ୍କ ଗୁରୁ ଥିଲେ ଋଷି ସାନ୍ଦୀପନି । ଶ୍ରୀରାମଙ୍କ ଗୁରୁ ଥିଲେ ମହର୍ଷି ବଶିଷ୍ଠ ।
ବ୍ୟାସଦେବ ପିତାହେଲେ ବି ଶୁକଦେବଙ୍କ ଗୁରୁ ଓ ବିଶ୍ୱର ଗୁରୁ ଥିଲେ । ସ୍ୱାମୀ ହେଲେ ବି ଯାଜ୍ଞବଳକ୍ୟ ଥିଲେ ମୈତ୍ରେୟୀଙ୍କର ଗୁରୁ । ସେହିପରି ଅଷ୍ଟାବକ୍ର ଥିଲେ ଜନକଙ୍କର ଗୁରୁ, ଦ୍ରୋଣାଚାର୍ଯ୍ୟ ଥିଲେ ଏକଲବ୍ୟଙ୍କର ଗୁରୁ, ସକ୍ରେଟିଶ ଥିଲେ ପ୍ଲାଟୋଙ୍କର, ପ୍ଲାଟୋ ଥିଲେ ଆରିଷ୍ଟୋଟଲଙ୍କର ଓ ଆରିଷ୍ଟୋଟଲ ଥିଲେ ଆଲେକ୍ଜାଣ୍ଡାରଙ୍କର ଗୁରୁ । ସେହିପରି ବିବେକାନନ୍ଦଙ୍କ ଗୁରୁ ଥିଲେ ରାମକୃଷ୍ଣ ପରମହଂସ, ରାମକୃଷ୍ଣଙ୍କ ଗୁରୁ ଥିଲେ ଲଙ୍ଗୁଳିବାବା ବା ତୋତାପୁରୀ ବାବା, ନିଗମାନନ୍ଦଙ୍କ ଗୁରୁ ଥିଲେ ସ୍ୱାମୀ ସଚ୍ଚିଦାନନ୍ଦ ସରସ୍ୱତୀ । ଗୁରୁ, ଶିଷ୍ୟଙ୍କ ତାଲିକାରେ ଏହିପରି ଅସଂଖ୍ୟ ନାମ ଅଛି ଯେଉଁମାନେ ନିଜ ନିଜର ନିଷ୍ଠା, ସାଧନା, ଅଧ୍ୟବସାୟ ଓ ଆଦର୍ଶ ବଳରେ ଯୁଗ ଯୁଗ ପାଇଁ ଅମର ହୋଇ ରହିଯାଇଛନ୍ତି ।
ଡଃ ସର୍ବପଳ୍ଲୀ ରାଧାକି୍ରଷ୍ଣନ୍ ଥିଲେ ସେହିଭଳି ଜଣେ ଆଦର୍ଶ ଗୁରୁ । ସେହି ମହାପୁରୁଷ ୧୮୮୮ ମସିହା ସେପ୍ଟେମ୍ବର ପାଞ୍ଚ ତାରିଖରେ ଏକ ହିନ୍ଦୁ ବ୍ରାହ୍ମଣ ପରିବାରରେ ଜନ୍ମଗ୍ରହଣ କରିଥିଲେ । ସେ ଜଣେ ଆଦର୍ଶ ଛାତ୍ରବତ୍ସଳ ଶିକ୍ଷକ, ଜଣେ ମହାନ୍ ଦାର୍ଶନିକ, ବିଖ୍ୟାତ ଦେଶପ୍ରେମୀ, ସ୍ୱାଧୀନ ଭାରତର ଦ୍ୱିତୀୟ ରାଷ୍ଟ୍ରପତି । ବିଭିନ୍ନ ଶିକ୍ଷାନୁଷ୍ଠାନରେ ଅଧ୍ୟାପନା କରି ଓ ବିଭିନ୍ନ ବିଶ୍ୱବିଦ୍ୟାଳୟରେ କୁଳପତି ଆସନ ଅଳଙ୍କୃତ କରି ସେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିପାରିଥିଲେ । ସେପ୍ଟେମ୍ବର ପାଞ୍ଚ ତାରିଖ ତାଙ୍କର ଜନ୍ମ ଦିବସଟିକୁ ସ୍ୱତନ୍ତ୍ର ଦିବସ ଭାବେ ପାଳନ କରିବାକୁ କେତେକ ଛାତ୍ର ଓ ବନ୍ଧୁ ଚାହିଁବାରୁ ସେ ସବୁ ଗୁରୁଙ୍କ ଉଦେ୍ଦଶ୍ୟରେ ଉତ୍ସର୍ଗୀକୃତ ଭାବରେ ଗୁରୁଦିବସ ନାମରେ ପାଳନ କରିବାକୁ ପରାମର୍ଶ ଦେଇଥିଲେ । ଗୁରୁଙ୍କ ଗୌରବ ଓ ମର୍ଯ୍ୟାଦାକୁ ସେ ଭଲ ଭାବେ ଉପଲବ୍ଧି କରିଥିଲେ ।
ତାଙ୍କ ମତରେ ଯଦି ଗୁରୁ ଓ ଗୋବିନ୍ଦ ଗୋଟିଏ ସ୍ଥାନରେ ଥିବେ ତେବେ ଗୁରୁଙ୍କୁ ପ୍ରଥମେ ପ୍ରଣାମ କରିବା ଉଚିତ । ଗାନ୍ଧିଜୀଙ୍କ ମତରେ ବଡ଼ମାନଙ୍କ କଥା ମାନିବ, ସେମାନଙ୍କ ଦୋଷ ଦୁର୍ବଳତା ଧରିବ ନାହିଁ । ସେଥିପାଇଁ ଥରେ ସ୍କୁଲ ଇନିସ୍ପେକ୍ଟରଙ୍କ ସ୍କୁଲ ପରିଦର୍ଶନ ସମୟରେ ଗାନ୍ଧିଜୀ ଳରଗ୍ଧଗ୍ଧକ୍ଷର ଶବ୍ଦଟିକୁ ଭୁଲ ଲେଖିଥିବାର ଦେଖି ଶ୍ରେଣୀ ଶିକ୍ଷକ ଜୋତା ମୁନରେ ଗାନ୍ଧିଜୀଙ୍କୁ ଠାରି ଦେଇଥିଲେ ପାଖ ପିଲାର ଖାତାରୁ ଦେଖି ବନାନ ଶୁଦ୍ଧ କରି ଲେଖିବାକୁ । ମାତ୍ର ସତ୍ୟ ଓ ଅହିଂସାର ପୂଜାରୀ ଗାନ୍ଧିଜୀ ତାହା କରି ନଥିଲେ ମଧ୍ୟ ସେହି ଶ୍ରେଣୀ ଶିକ୍ଷକଙ୍କ ପ୍ରତି ଉପଯୁକ୍ତ ଭକ୍ତି ଓ ସମ୍ମାନ ପ୍ରଦର୍ଶନରେ ତିଳେମାତ୍ର ହେଳା କରି ନଥିଲେ ।
ରାଧାକି୍ରଷ୍ଣନ ଜଣେ ଶିକ୍ଷକ ଭାବେ ନିଜର ଜୀବିକା ଆରମ୍ଭ କରିଥିଲେ । ପରେ ଶିକ୍ଷାଦାନକୁ ଏକ ନିଶାଭାବେ ଗ୍ରହଣ କରିନେଇ ଜୀବନଯାକ ଶିକ୍ଷକ ହୋଇ ରହିଗଲେ । ଶ୍ରେଣୀ ପ୍ରକୋଷ୍ଠରେ ଛାତ୍ରଛାତ୍ରୀଙ୍କୁ ସେ ପଢ଼ାଇ ଯେଉଁ ଆନନ୍ଦ ଲାଭ କରୁଥିଲେ ରାଜନେତାମାନଙ୍କୁ ମଧ୍ୟ ନୀତି, ମୂଲ୍ୟବୋଧ ଏବଂ ସଂସ୍କାର ସମ୍ପର୍କରେ ବୁଝାଉଥିବା ବେଳେ ଠିକ୍ ସେହିପରି ଆନନ୍ଦ ଲାଭ କରୁଥିଲେ । ସେ ରାଷ୍ଟ୍ରଦୂତ, ଉପରାଷ୍ଟ୍ରପତି ଏବଂ ରାଷ୍ଟ୍ରପତି ହୋଇଛନ୍ତି । ତାଙ୍କର ଜ୍ଞାନ ଏବଂ ସେବା ନିମନ୍ତେ ରାଷ୍ଟ୍ର ତାଙ୍କୁ ଭାରତରତ୍ନ ଉପାଧିରେ ଭୂଷିତ କରିଛି । କିନ୍ତୁ ଏହିସବୁ ମର୍ଯ୍ୟାଦାଜନକ ପଦବୀ ତାଙ୍କର ଶିକ୍ଷକ ପଦବୀ ନିକଟରେ ମଳିନ ପଡ଼ିଯାଇଛି ।
ଶିକ୍ଷକ ରାଧାକି୍ରଷ୍ଣନଙ୍କ ସମ୍ମୁଖରେ ଏପରି ମହାନାୟକମାନଙ୍କ ମୁଣ୍ଡ ନଇଁ ଯାଇଛି ଯେଉଁମାନଙ୍କ ନାମ ଶୁଣିବା ମାତ୍ରେ ହୃତ୍କମ୍ପ ସୃଷ୍ଟି ହୋଇଥାଏ । ମାଓସେତୁଙ୍ଗ ଏବଂ ଯୋଶେଫ ଷ୍ଟାଲିନ୍ ପୃଥିବୀର କୌଣସି ରାଜାନେତାଙ୍କୁ ଖାତିର କରୁନଥିବା ବେଳେ ରାଧାକି୍ରଷ୍ଣନଙ୍କ ଜ୍ଞାନ ଏବଂ ବ୍ୟକ୍ତିତ୍ୱ ନିକଟରେ ନତମସ୍ତକ ହୋଇଯାଉଥିଲେ । ପୋପ ମଧ୍ୟ ରାଧାକି୍ରଷ୍ଣନଙ୍କ ଦାର୍ଶନିକ ତତ୍ତ୍ୱ ଏବଂ ପାଣ୍ଡିତ୍ୟରେ ବିମୁଗ୍ଧ ହୋଇ ତାଙ୍କୁ ସମ୍ମାନ ଜଣାଇବାକୁ କୁଣ୍ଠିତ ହେଉନଥିଲେ । ଇଂଲଣ୍ଡର ରାଣୀ ଏଲିଜାବେଥ୍ ପ୍ରୋଟକଲ୍ ଭାଙ୍ଗି ରାଧାକି୍ରଷ୍ଣନଙ୍କୁ ପାଛୋଟି ନେବାକୁ ରେଳଷ୍ଟେସନକୁ ଆସୁଥିଲେ । ଦ୍ୱିତୀୟ ଥର ପାଇଁ ଉପରାଷ୍ଟ୍ରପତି ପଦ ଗ୍ରହଣ ନକରି ମାନ୍ଦ୍ରାଜ ଫେରିଯାଇ ଅଧ୍ୟାପନାରେ ନିଜକୁ ନିୟୋଜିତ କରିବାକୁ ରାଧାକି୍ରଷ୍ଣନ ଇଚ୍ଛା କରୁଥିବା ବେଳେ ଇନ୍ଦିରାଙ୍କ ହାତରେ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହେରୁ ଖବର ପଠାଇଲେ ରାଧାକି୍ରଷ୍ଣନଙ୍କ ବିନା ଦିଲ୍ଲୀରେ ତାଙ୍କ ପକ୍ଷରେ ରହିବା ଅତି କଷ୍ଟକର ହୋଇପଡ଼ିବ ।
କିନ୍ତୁ ସେହି ଇନ୍ଦିରା ଗାନ୍ଧୀ ଯେତେବେଳେ ପ୍ରଧାନମନ୍ତ୍ରୀ ହେଲେ ଏବଂ ରାଧାକି୍ରଷ୍ଣନଙ୍କୁ ଦ୍ୱିତୀୟ ଥର ପାଇଁ ରାଷ୍ଟ୍ରପତି କରିବା ଲାଗି କେତେକ ନେତା ପ୍ରସ୍ତାବ ଦେଲେ, ସେତେବେଳେ ଇନ୍ଦିରା କହିଲେ ରାଷ୍ଟ୍ରପତି ଭବନେରେ ଜଣେ ପିତା ନୁହେଁ ରାଷ୍ଟ୍ରପତି ଚାହାଁନ୍ତି । କାରଣ ରାଧାକି୍ରଷ୍ଣନ ଯେପରି ପ୍ରତିଭା ଏବଂ ପ୍ରଜ୍ଞାର ଅଧିକାରୀ ଥିଲେ ତାହା ସମ୍ମୁଖରେ ଇନ୍ଦିରା ନିଜକୁ ନୂ୍ୟନ ଭାବିଲେ । ତାହା ହୋଇନଥିଲେ ସେ ଏପରି ମନ୍ତବ୍ୟ କଦାପି ଦେଇ ନଥାନ୍ତେ । ତାଙ୍କର ବ୍ୟକ୍ତିତ୍ୱ ଏବଂ ପାଣ୍ଡିତ୍ୟ ଷ୍ଟାଲିନଙ୍କୁ କେବେଳ ଅଭିଭୂତ କରିନଥିଲା, ତାଙ୍କ ଚକ୍ଷୁରେ ଲୁହ ଆଣି ଦେଇଥିଲା । ମସ୍କୋରେ ଭାରତର ରାଷ୍ଟ୍ରଦୂତ ଭାବେ ରାଧାକି୍ରଷ୍ଣନ୍ ଅଧିଷ୍ଠିତ ହେବା ପରେ ଷ୍ଟାଲିନ୍ଙ୍କୁ ସାକ୍ଷାତ କରିବାକୁ ଯାଇଥିଲେ । ଦ୍ୱିପାକ୍ଷିକ ସମ୍ପର୍କ ଏବଂ ଆନ୍ତର୍ଜାତୀୟ ଘଟଣାବଳୀ ଉପରେ ଉଭୟ ମତ ବିନିମୟ କରୁଥିବା ବେଳେ ହଠାତ୍ ଷ୍ଟାଲିନ୍ ଉତ୍ତେଜିତ ହୋଇ ଉଠିବାରୁ ତାଙ୍କୁ ଶାନ୍ତ କରିବାକୁ ଯାଇ ରାଧାକି୍ରଷ୍ଣନ ତାଙ୍କ ପିଠି ଥାପୁଡ଼େଇ ଦେଇଥିଲେ । ତାଙ୍କର ଏହି ବ୍ୟବହାରରେ ଷ୍ଟାଲିନ୍ ବିସ୍ମିତ ହୋଇ ତାଙ୍କୁ ଚାହିଁବାରୁ ରାଧାକି୍ରଷ୍ଣନ କହିଥିଲେ, “ମହାଶୟ ଏହି ବ୍ୟବହାର ଏହା ପୂର୍ବରୁ ମୁଁ ପୋପ ଏବଂ ମାଓସେତୁଙ୍ଗଙ୍କ ସହିତ କରିଛି ।’ ଷ୍ଟାଲିନ୍ ତାଙ୍କର ଏହି ଉତ୍ତରରେ ଖୁସି ହୋଇ କହିଥିଲେ, “ସମସ୍ତେ ମତେ ରାକ୍ଷସ ବୋଲି ଭାବନ୍ତି । ଆପଣ ହେଉଛନ୍ତି ପ୍ରଥମ ବ୍ୟକ୍ତି ଯେକି ମତେ ମଣିଷ ଭାବି ମୋ ସହିତ ଆଦରପୂର୍ଣ୍ଣ ବ୍ୟବହାର କଲେ ।’ ଏହା କହିବା ମାତ୍ରେ ଷ୍ଟାଲିନ୍ଙ୍କ ଦୁଇ ଚକ୍ଷୁରୁ ଲୁହ ନିଗିଡ଼ି ପଡ଼ିଥିଲା ।
ରାଧାକି୍ରଷ୍ଣନ ଅକ୍ସଫୋର୍ଡ଼କୁ ଯିବାବେଳେ ମହୀଶୂର ବିଶ୍ୱବିଦ୍ୟାଳୟର ଛାତ୍ରମାନେ ଏକ ହାତଟଣା ରିକ୍ସାରେ ତାଙ୍କୁ ବସାଇ ଷ୍ଟେସନ୍ ପର୍ଯ୍ୟନ୍ତ ଟାଣି ଟାଣି ନେଉଥିବା ବେଳେ ସେ ଅକ୍ସଫୋର୍ଡ଼ରେ କେଉଁ ବିଷୟରେ ଅଧ୍ୟୟନ କରିବାକୁ ଯାଉଛନ୍ତି ବୋଲି ଜଣେ ଛାତ୍ର ତାଙ୍କୁ ପ୍ରଶ୍ନ କରିବାରୁ ରାଧାକି୍ରଷ୍ଣନ କହିଥିଲେ ସେ ଇଂରେଜମାନଙ୍କୁ ପଢ଼ାଇବାକୁ ଯାଉଛନ୍ତି । ଏପରିକି ମସ୍କୋରେ ସେ ରାଷ୍ଟ୍ରଦୂତ ଥିବାବେଳେ ମଧ୍ୟ ଅକ୍ସଫୋର୍ଡ଼କୁ ପଢ଼ାଇବାକୁ ଯାଉଥିଲେ । ସେ ବନାରସ ବିଶ୍ୱବିଦ୍ୟାଳୟର କୁଳପତି ଥିବା ସମୟରେ ସ୍ୱାଧୀନତା ସଂଗ୍ରାମୀମାନେ ବିଶ୍ୱବିଦ୍ୟାଳୟରେ ଆତ୍ମଗୋପନ କରିଥିଲେ । ସେମାନଙ୍କୁ ଗିରଫ କରିବା ପାଇଁ ପୁଲିସ ବିଶ୍ୱବିଦ୍ୟାଳୟ ହତାରେ ପ୍ରବେଶ କରିବାକୁ ଭୟ କରୁଥିଲେ । କାରଣ ରାଧାକି୍ରଷ୍ଣନ ଯଦି ଚାହିଁବେ ତେବେ ବି୍ରଟିଶ ପାର୍ଲାମେଣ୍ଟରେ ଏହି ଘଟଣାକୁ କେନ୍ଦ୍ରକରି ଆଲୋଡ଼ନ ସୃଷ୍ଟି କରିଦେଇ ପାରିବେ ବୋଲି କମିଶନରଙ୍କ ଭୟ ଥିଲା । ରାଧାକି୍ରଷ୍ଣନ୍ଙ୍କ ପ୍ରଚଣ୍ଡ ଦେଶଭକ୍ତି ଓ ଉପସ୍ଥିତ ବୁଦ୍ଧି ବିଶ୍ୱରେ ଅଦ୍ୱିତୀୟ ।
ଏପରି ଜଣେ ଶିକ୍ଷକ ଥିଲେ ବୋଲି ଆଜିର ଦୁନିଆରେ ହୁଏତ ଛାତ୍ରଛାତ୍ରୀମାନେ ବିଶ୍ୱାସ କରିବେ ନାହିଁ । ସେହିପରି ଜଣେ ଆଦର୍ଶ ଗୁରୁ ଓ ଆଦର୍ଶ ଛାତ୍ର ହେଲେ ଭାରତବର୍ଷର ପୂର୍ବତନ ରାଷ୍ଟ୍ରପତି ଏ.ପି.ଜେ. ଅବଦୁଲ କଲାମ ଯାହାଙ୍କ ଜନ୍ମ ଦିବସକୁ “ଛାତ୍ର ଦିବସ’ ଭାବେ ପାଳନ କରାଯାଉଛି । ଜଣେ ଆଦର୍ଶ ଗୁରୁ ହିଁ ନିର୍ମାଣ କରି ପାରିଥିଲେ ଏଭଳି ଛାତ୍ରଟିଏ ।
ଆଦର୍ଶ ଗୁରୁ ବେଳେବେଳେ ଶିଷ୍ୟମାନଙ୍କ ଉତ୍ତର ଶୁଣି ବିସ୍ମିତ ହୋଇପଡ଼ନ୍ତି । ସେହିପରି ଏକ ଘଟଣା । “ସିକନ୍ଦର’ଙ୍କର ଗୁରୁ “ଅରସ୍ତୁ’ ଦିନେ ସିକନ୍ଦରଙ୍କ ସହ ଯାଉଥିଲେ । ବାଟରେ ଗୋଟିଏ ନଦୀ ପଡ଼ିଲା । ନଦୀଟି ପାଣିରେ ଭରପୂର ଥିଲା । ସେହି ସମୟରେ ଝଡ଼ତୋଫାନ ମାଡ଼ିଆସିଲା । ଗୁରୁଶିଶ୍ୟ ଅଡ଼ୁଆରେ ପଡ଼ିଗଲେ । ନଦୀ ପାରି ନ ହେଲେ ସେମାନେ ଆଗକୁ ଯାଇପାରିବେ ନାହିଁ । ସିକନ୍ଦର ଗୁରୁଙ୍କୁ କହିଲେ – ଗୁରୁଦେବ! ଆପଣ ମୋ ପଛେ ପଛେ ଆସନ୍ତୁ, ନଦୀ ପାର ହେବା । ଅରସ୍ତୁଙ୍କୁ ଏ କଥା ଅଡ଼ୁଆ ଅଡ଼ୁଆ ଲାଗିଲା । ତଥାପି ଶିଷ୍ୟଙ୍କ ପଛେ ପଛେ ଯିବାକୁ ବାଧ୍ୟ ହେଲେ ।
ନଦୀ ପାର ହେଲା ପରେ ଅରସ୍ତୁ ସିକନ୍ଦରଙ୍କୁ କହିଲେ – ସିକନ୍ଦର! ତୁମର କଥା ମୋତେ ଖରାପ ଲାଗିଲା । ତୁମ ପଛେ ପଛେ ଯିବା ମୋ ପାଇଁ ଅପମାନଜନକ ହେଲା । ସିକନ୍ଦର ଗୁରୁଙ୍କ ନିଷ୍କପଟ ହୃଦୟକୁ ବୁଝିପାରିଲେ । ସେ ଗୁରୁଙ୍କ ନିକଟରେ କ୍ଷମା ମାଗି କହିଲେ – ଗୁରୁଦେବ! ନଦୀ ପାର ହେବା ପ୍ରକୃତରେ ବିପଜ୍ଜନକ ଥିଲା । ଜାଣିଶୁଣି ପ୍ରଥମେ ଆପଣଙ୍କୁ ବିପଦକୁ କିପରି ଠେଲି ଦେଇଥାଆନ୍ତି? ଆପଣଙ୍କ ଭଳି ଗୁରୁ ଥିଲେ ଶହ ଶହ ସିକନ୍ଦର ସୃଷ୍ଟି କରିପାରିବେ, କିନ୍ତୁ ଜଣେ ଅରସ୍ତୁ ସୃଷ୍ଟି କରିବା ସମ୍ଭବପର ନୁହେଁ, ଆପଣଙ୍କ ଅବର୍ତ୍ତମାନରେ ।
ଶିଷ୍ୟଙ୍କଠାରୁ ଦାର୍ଶନିକ ତତ୍ତ୍ୱ ଓ ଯୁକ୍ତି ଶୁଣି ଗୁରୁ ଅରସ୍ତୁ ବିଶେଷ ଆନନ୍ଦିତ ହେଲେ । କୁଣ୍ଢେଇ ପକାଇ କହିଲେ – ସିକନ୍ଦର! ତୁମ ପ୍ରତି ଗୁରୁଙ୍କର ଆଶୀର୍ବାଦ ସବୁବେଳେ ରହିଛି । ତୁମେ ମଣିଷ ଭଳି ମଣିଷଟିଏ ହୋଇ ସାରା ବିଶ୍ୱରେ ନିଜ ନାମ ଉଜ୍ଜ୍ୱଳ କରିପାରିବ ।
ଶିଷ୍ୟ ମନର ସମସ୍ତ ଆଶଙ୍କାକୁ ଦୂରୀଭୂତ କରି ତାକୁ ଖରାପ ବାଟରୁ ଭଲ ବାଟକୁ ଆଣିବାକୁ ସମର୍ଥ ହୋଇଥାନ୍ତି ଜଣେ ଆଦର୍ଶ ଗୁରୁ । ସେହିପରି ଜଣେ ଆଦର୍ଶ ଗୁରୁ ତଥା ଦାର୍ଶନିକ ଥିଲେ “ସ୍ୱାମୀ ବିବେକାନନ୍ଦ’ । ଏକଦା ସ୍ୱାମୀ ବିବେକାନନ୍ଦ ଏକ ଧର୍ମସଭାରେ ଯୋଗ ଦେଇଥିଲେ । ଶ୍ରୋତାମାନେ ମନଧ୍ୟାନ ଦେଇ ଶୁଣୁଥିଲେ ସ୍ୱାମୀଙ୍କ ବ୍ୟାଖ୍ୟା । କେହି କେହି ମଝିରେ ମଝିରେ ପ୍ରଶ୍ନ ପଚାରୁଥିଲେ ଓ ସ୍ୱାମୀ ସେ ସବୁର ଉତ୍ତର ଅତି ପ୍ରାଞ୍ଜଳ ଭାବରେ ବୁଝାଇ ଦେଇଥିଲେ । ଶ୍ରୋତାଙ୍କ ଗହଣରେ ବସିଥିଲା “ମୋହନ’ ନାମକ ପିଲାଟିଏ । ସେ ଟିକିଏ ଦୁଷ୍ଟ ପ୍ରକୃତିର । ମୋହନ ମନେ ମନେ ଭାବିଲା, ସ୍ୱାମୀଙ୍କୁ ସେ ଏପରି ଏକ ପ୍ରଶ୍ନ ପଚାରିବ, ଯାହାର ଉତ୍ତର ସ୍ୱାମୀ ଦେଇ ନ ପାରି ଲଜ୍ଜିତ ହେବେ ।
ଏହା ଭାବି ମୋହନ ଠିଆ ହୋଇପଡ଼ିଲା । ଅହଂକାର ଭାବ ଦେଖାଇ କହିଲା, ମୁଁ ଆପଣଙ୍କୁ ଯେଉଁ ପ୍ରଶ୍ନ ପଚାରିବି, ଆପଣ ଠିକ୍ ଠିକ୍ ଉତ୍ତର ଦେଇ ପାରିବେତ? ନହେଲେ ଭାବିବି ଏ ଦୁନିଆରେ ସତ୍ ଉପଦେଶ ଦେବାପରି ମହାନ୍ ବ୍ୟକ୍ତି କେହି ନାହିଁ । ସ୍ୱାମୀ ସାମାନ୍ୟ ହସିଦେଇ ପ୍ରଶ୍ନଟି ପଚାରିବା ପାଇଁ ମୋହନକୁ କହିଲେ । ମୋହନ ପ୍ରଶ୍ନକଲା, ଶ୍ରୀକୃଷ୍ଣ ଖୁବ୍ ସୁନ୍ଦର ବଂଶୀ ବଜାଇ ପାରୁଥିଲେ । ଏପରିକି ତାଙ୍କ ବଂଶୀସ୍ୱନ ଶୁଣି ଗାଈ ଗୋଠରେ ଥାଇ ମଧ୍ୟ ତୃଣ ଛାଡ଼ି ଶ୍ରୀକୃଷ୍ଣଙ୍କ ଚାରିଆଡ଼େ ବେଢ଼ି ଯାଉଥିଲେ । ସତରେ କ’ଣ ଶ୍ରୀକୃଷ୍ଣଙ୍କ ବଂଶୀ ସ୍ୱନ ଏତେ ମଧୁର ଥିଲା? ସେ ବଂଶୀବାଦନ କରିବା କିଏ ଦେଖିଛି ନା ତାଙ୍କ ବଂଶୀସ୍ୱନ କିଏ ଶୁଣିଚି ଯେ ଜାଣିବ? ମୋହନ ପ୍ରଶ୍ନ ଶୁଣି ସମସ୍ତ ଶ୍ରୋତା ସ୍ୱାମୀଙ୍କୁ ଚାହିଁ ରହିଲେ । ସ୍ୱାମୀ କହିଲେ, ମୋହନ ତୁମ ସ୍ଥାନରେ ବସିରହ । ମୁଁ ତୁମ ପ୍ରଶ୍ନର ଉତ୍ତର ଖୋଜିବାକୁ ଚେଷ୍ଟା କରିବି ।
କିଛି ସମୟ ପରେ ସ୍ୱାମୀ ଏକ ସୁନ୍ଦର ଗଳ୍ପ କହିବା ଆରମ୍ଭ କଲେ । ମୋହନ ଭାବିଲା, “ସ୍ୱାମୀ ବୋଧହୁଏ ତା’ ପ୍ରଶ୍ନର ଉତ୍ତର ନ ଦେଇ ଭୁଲାଇ ଦେବାକୁ ଚେଷ୍ଟାକରି ଗପ କହିବା ଆରମ୍ଭ କଲେ । ତଥାପି ସମସ୍ତଙ୍କ ପରି ସେ ମଧ୍ୟ ଗପଟିକୁ ଶୁଣିଲା । ଧୀରେ ଧୀରେ ଗପଟି ବେଶ୍ ଶୁଣିବା ପାଇଁ ଭଲ ଲାଗିଲା । ହଠାତ୍ ସ୍ୱାମୀ ଗପଟି କହୁ କହୁ ଚାଲିବାକୁ ଆରମ୍ଭ କଲେ । ସମସ୍ତ ଶ୍ରୋତା ମଧ୍ୟ ଚାଲିଲେ ତାଙ୍କ ପଛେ ପଛେ । ମୋହନ ମଧ୍ୟ ସେମାନଙ୍କ ମଧ୍ୟରେ ଥାଏ । କିଛି ସମୟ ପରେ ସ୍ୱାମୀ ପୁଣି ସ୍ଥାନ ପରିବର୍ତ୍ତନ କଲେ । ଗପଟି ଶୁଣିବାକୁ ଏତେ ମଜା ଲାଗୁଥାଏ ଯେ ସମସ୍ତ ଶ୍ରୋତା ସ୍ୱାମୀଙ୍କ ପଛେ ପଛେ ଚାଲିଥାଆନ୍ତି । ମୋହନ ମଧ୍ୟ । ସେ ଇତି ମଧ୍ୟରେ ତା ପ୍ରଶ୍ନ କଥା ଭୁଲି ଯାଇଥିଲା । ଶେଷରେ ସ୍ୱାମୀ ଗପଟିକୁ ଶେଷ କଲେ । ମୋହନକୁ ଗପଟି ଏତେ ଭଲ ଲାଗିଥାଏ ଯେ, ସ୍ୱାମୀଙ୍କୁ ଅନୁରୋଧ କଲା ଆଉ ଏକ ଗପ ଶୁଣାଇବାକୁ ।
ସ୍ୱାମୀ କହିଲେ, ମୋହନ ଏହିପରି ଗପ ଶୁଣିବାକୁ ହେଲେ ମୋ ସାଙ୍ଗରେ ବହୁତ ଦୂର ଯିବାକୁ ହେବ । ମୋହନ କହିଲା, ହେ ସ୍ୱାମୀ! ଏପରି ମଜା ଗପ ଶୁଣିବା ପାଇଁ ଆପଣ ଯେଉଁଆଡ଼େ ଯିବେ ମୁଁ ଆପଣଙ୍କ ସାଙ୍ଗରେ ଯିବାକୁ ପ୍ରସ୍ତୁତ ଅଛି । ସ୍ୱାମୀ ଏଥର ଶ୍ରୋତାଙ୍କୁ ଚାହିଁ କହିଲେ, ଶ୍ରୋତାମଣ୍ଡଳି – ମୋହନ ତା’ର ପ୍ରଶ୍ନର ଉତ୍ତର ପାଇସାରିଛି । ମୋହନ କିଛି ବୁଝିପାରିଲା ନାହିଁ । ଭାବିଲା ଉତ୍ତର ନ ଦେଇ ଏପରି କ’ଣ କହୁଛନ୍ତି ସ୍ୱାମୀ । ଶ୍ରୋତାଗଣ ମଧ୍ୟ ଅବାକ୍ ।
ସ୍ୱାମୀ ଏଥର ବୁଝାଇଦେଲେ । କହିଲେ, ମୋହନ ମୋଠାରୁ ଗପ ଶୁଣିବାକୁ ଏତେ ଉତ୍ସାହ ପ୍ରକାଶ କରୁଛି ଯେ ମୁଁ ଯେତେ ଦୂରକୁ ଗଲେ ମଧ୍ୟ ମୋ ସହ ଯିବାକୁ କହୁଛି । ଠିକ୍ ସେହିପରି ଶ୍ରୀକୃଷ୍ଣଙ୍କ ବଂଶୀସ୍ୱନ ମୋ ଗପଠାରୁ କାହିଁ କେତେଗୁଣ ମଧୁର ଥିଲା, ଯାହା ଫଳରେ ମନୁଷ୍ୟ କାହିଁକି ଗାଈ ମଧ୍ୟ ଆକୃଷ୍ଟ ହେଉଥିଲେ । ଏହା ମଧ୍ୟ ସମସ୍ତେ ଅନୁମାନ କରିପାରୁଥିବେ । ମିଠାକୁ ପିମ୍ପୁଡ଼ି ଘେରି ରହିଲା ପରି ମଧୁର ଭାଷା ଓ ମଧୁର ବ୍ୟବହାର ଅନ୍ୟମାନଙ୍କୁ ନିଜ ଆଡ଼କୁ ମଧ୍ୟ ଆକୃଷ୍ଟ କରିଥାଏ, ଠିକ୍ ଯେପରି ଶ୍ରୀକୃଷ୍ଣଙ୍କ ବଂଶୀର ମଧୁର ମୂର୍ଚ୍ଛନା ।
ମୋହନ ଏଥର ବୁଝିପାରିଲା । ସ୍ୱାମୀଙ୍କୁ ପ୍ରଣାମ କରି କହିଲା, ମୁଁ ଏଥର ମଧୁର ବ୍ୟବହାର ଜରିଆରେ ଲୋକଙ୍କ ମନକୁ ଜୟ କରିବି, ଯେପରି ସମସ୍ତେ ମୋତେ ଆଦର କରି ମୋ ଆଡ଼କୁ ଆକର୍ଷିତ ହେବେ । ସ୍ୱାମୀଙ୍କ ମୁହଁରେ ସ୍ମିତହସଟିଏ ଖେଳିଗଲା । ସେ ମୋହନକୁ ଆଶୀର୍ବାଦ କଲେ । ବାସ୍ତବିକ୍ ଗୁରୁ ଚାହିଁଲେ ଅସମ୍ଭବକୁ ସମ୍ଭବ କରିଦେଇ ପାରନ୍ତି ।
ଆଜି ସାରା ପୃଥିବୀରେ ଶିକ୍ଷା ବ୍ୟବସ୍ଥା ବିଶୃଙ୍ଖଳିତ ହୋଇପଡ଼ିଛି । ଏହାକୁ ସଜାଡ଼ିବାକୁ ହେଲେ ପ୍ରଥମେ ଶିକ୍ଷାବ୍ୟବସ୍ଥାକୁ ରାଜନୀତିମୁକ୍ତ କରାଯିବା ଉଚିତ । ଉଭୟ ଶିକ୍ଷକ ସମାଜ ଓ ଛାତ୍ରସମାଜଙ୍କର ସହଯୋଗରେ ଜାତିର ପିତା ଗାନ୍ଧିଜୀଙ୍କର ଇପ୍ସିତ ରାମରାଜ୍ୟ ଶୀଘ୍ର ପ୍ରତିଷ୍ଠିତ ହେଉ, ଏହାହିଁ ଗୁରୁଦିବସରେ ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା ।