Odisha news

ଅବଧୂତଙ୍କ ଚବିଶି ଗୁରୁ

0

ଡ଼ ପ୍ରତିଭା ମହାରଥୀ : କପିଳ ସଂହିତାରେ ବର୍ଣ୍ଣିତ ଅଛି,
“ବର୍ଷାଣାଂ ଭାରତ ଶ୍ରେଷ୍ଠୋ ଦେଶାଣାମ୍ ଉକ୍ରଳଶ୍ରୁତଃ
ଉକ୍ରଳସ୍ୟ ସମଦେଶୋ ଦେଶୋନାସ୍ତି ମହୀତଳେ ।”
ବାସ୍ତବିକ୍ ସମଗ୍ର ବିଶ୍ୱରେ ଭାରତ ଶ୍ରେଷ୍ଠ ବୋଲି ପ୍ରତିପାଦିତ ହୋଇଆସିଛି । ବିଶେଷ କରି ଏଠାରେ ପ୍ରଚଳିତ ଥିବା ସଂସ୍କୃତ ଭାଷା, ସଂସ୍କୃତି, ଧର୍ମ, ପୂଜା, ପରମ୍ପରା, ରୀତିନୀତି, ପର୍ବପର୍ବାଣୀ ସମ୍ପୂର୍ଣ୍ଣ ନିଆରା । ଏଠାରେ ଅସଂଖ୍ୟ ମୁନି ଋଷି, ସାଧୁ ସନ୍ଥମାନେ ବସବାସ କରୁଥିଲେ । ସେମାନେ ବର୍ଷବର୍ଷ ଧରି ସାଧନା କରି ଆତ୍ମା, ପରମାତ୍ମା, ଜନ୍ମ, ମୃତୁ୍ୟ, ପୁର୍ନଜନ୍ମ, ଇହକାଳ, ପରକାଳ ଆଦି ଜଟିଳ ବିଷୟଗୁଡ଼ିକ ଉପରେ ଯେଉଁ ମହାର୍ଘ ତଥ୍ୟମାନ ଉପଲବ୍ଧି କରିଯାଇଛନ୍ତି ସେଗୁଡ଼ିକ ଉପରେ ହିଁ ଭାରତବର୍ଷର ବିଶେଷତା ପର୍ଯ୍ୟବେଶିତ । ଭାରତ ଗୁରୁବାଦର ଦେଶ ।

ଗୁରୁ-ଶିଷ୍ୟ ପରମ୍ପରାର ଉଜ୍ଜ୍ୱଳ ଉଦାହରଣମାନେ ଏଯାବତ୍ ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ । ଉକ୍ରଳ ମଧ୍ୟ ଏହାକୁ ଅନୁସରଣ କରେ ।
“ଗୁରୁଙ୍କୁ ନ ମଣିବ ନର, ଗୁରୁ ହିଁ ସାକ୍ଷାତ ଈଶ୍ୱର” । ଓଡ଼ିଆ ଜାତିର ଜୀବନ ବେଦ ତଥା ଶ୍ରୀକୃଷ୍ଣଙ୍କ ବାଙ୍ମୟ ଅବତାର, ଅତିବଡ଼ି ଜଗନ୍ନାଥ ଦାସଙ୍କ ରଚିତ ‘ଶ୍ରୀମଦ୍ ଭାଗବତ’ ସାହିତ୍ୟ ଜଗତର ଏକ ଅମୂଲ୍ୟ ସମ୍ପଦ । ଲୋକଚରିତ୍ର ଗଠନ, ଭକ୍ତିଭାବର ଉଦ୍ରେକ, ନୀତି ଓ ଧର୍ମନିଷ୍ଠ ଜୀବନଯାପନ, ଗର୍ବ, ଅହଂକାର, କ୍ରୋଧ, ଲୋଭ, ମୋହ, ଈର୍ଷାଦିର ବିଲୋପ ସାଧନ କରିବାରେ ଭାଗବତ ବାଣୀର ମହତ୍ତ୍ୱ ବେଶ୍ ଉପଲବ୍ଧ ।

ଏହାର ବିଭିନ୍ନ ସ୍କନ୍ଧରେ ଲୋକବିଶ୍ୱାସ, ଲୋକଚଳଣୀ, ଲୋକସଂସ୍କୃତି ଓ ଲୋକାଚାର ସମ୍ପର୍କରେ ବର୍ଣ୍ଣନା ଅତ୍ୟନ୍ତ ପ୍ରାସଙ୍ଗିକ ଏବଂ ବିଚାରଶୀଳ ହୋଇଥିବାରୁ ଏହା ସର୍ବସାଧାରଣରେ ଗ୍ରହଣୀୟ । ଜୀବନରେ ସୁଖ, ଶାନ୍ତି, ଆନନ୍ଦ ପ୍ରାପ୍ତିର ମାର୍ଗ ସମ୍ବନ୍ଧରେ ମଧ୍ୟ ଏହାର ଏକାଦଶ ସ୍କନ୍ଧରେ ଅବଧୂତ ସମ୍ବାଦରେ ପ୍ରାଞ୍ଜଳ ଭାବରେ ବର୍ଣ୍ଣିତ ଯାହା ପ୍ରତ୍ୟେକ ଓଡ଼ିଆଙ୍କର ଜୀବନ ଓ ଜୀବିକାକୁ, ବୃତ୍ତି ଓ ପ୍ରବୃତ୍ତିକୁ, ଚିନ୍ତା ଓ ଚେତନାକୁ, ଦୃଷ୍ଟି ଓ ଦର୍ଶନକୁ ବେଶ୍ ପ୍ରଭାବିତ କରେ ।

ଏକଦା ଯଦୁରାଜା ଜଙ୍ଗଲ ମଧ୍ୟ ଦେଇ କୌଣସି ସ୍ଥାନକୁ ଯାତ୍ରା କରୁଥିଲା ବେଳେ ଏକ ଅବଧୂତଙ୍କୁ ଭେଟିଲେ ଯିଏକି ଖୁବ୍ ଆନନ୍ଦିତ, ପ୍ରସନ୍ନ ଜଣା ପଡ଼ୁଥିଲେ । ଯଦୁରାଜା ତାଙ୍କୁ ପଚାରିଲେ ଆପଣଙ୍କର ତ ରହିବା ପାଇଁ ଗୃହ, ପିନ୍ଧିବା ପାଇଁ ବସ୍ତ୍ର, ଭୋଜନ ପାଇଁ ଖାଦ୍ୟ ମଧ୍ୟ ନାହିଁ । ତଥାପି ଆପଣ ଏତେ ଖୁସିରେ, ଆନନ୍ଦରେ ରହିପାରୁଛନ୍ତି କିପରି? ଅଥଚ ମୋର ସବୁ ଥିଲେ ମଧ୍ୟ ମୁଁ କାହିଁକି ସୁଖ, ଶାନ୍ତି, ସନ୍ତୋଷ ପାଉନାହିଁ? ଅବଧୂତଙ୍କ ପ୍ରଶାନ୍ତ, ସ୍ଥିର, ପ୍ରସନ୍ନ, ତେଜୋଦୀପ୍ତ ମୁଖମଣ୍ଡଳକୁ ଦେଖି ପୁନଶ୍ଚ ପ୍ରଶ୍ନ କରୁଛନ୍ତି, “ଏହି ସଂସାରରୂପକ କୂପରେ ସବୁ ଲୋକ ମୋହ ମାୟା ଆସକ୍ତିରେ ବୁଡ଼ି କଷ୍ଟରେ କାଳାତିପାତ କରୁଥିବା ବେଳେ ଆପଣ କିପରି ନିର୍ଲିପ୍ତ, ନିର୍ବିକାର, ନିରାସକ୍ତ ଜୀବନଯାନ କରିପାରୁଛନ୍ତି??” ଯଦୁରାଜାଙ୍କ ମନର ସନେ୍ଦହ, ସଂଶୟ ଦୂର କରିବା ପାଇଁ ଅବଧୂତ କହିଲେ, ମୁଁ ସୁଖ, ଶାନ୍ତି, ଆନନ୍ଦରେ ରହିବାର ସୂତ୍ର ମୋର ଚାରିକଡ଼ରେ ଥିବା ପରିବେଶର ଚବିଶ ଗୁରୁଙ୍କଠାରୁ ପ୍ରାପ୍ତ ହୋଇଛି ।

ବାସ୍ତବିକ୍ ପ୍ରକୃତିର ପ୍ରତ୍ୟେକ ବସ୍ତୁ ଓ ପଦାର୍ଥରେ, ଜୀବଜନ୍ତୁ, କୀଟପତଙ୍ଗ, ବୃକ୍ଷଲତାରେ ପରମାତ୍ମା କିଛି ନା କିଛି ବିଶେଷତା ରୂପକ ରତ୍ନ ଭରି ରଖିଛନ୍ତି । ଅନୁସନ୍ଧିତ୍ସୁ, ଜୀଜ୍ଞାସୁ ବ୍ୟକ୍ତିକୁ ତାହା ପ୍ରାପ୍ତି ହୋଇଥାଏ । ମୁଁ ସେହିପରି ଏହି ପ୍ରକୃତିରୁ ଚବିଶ ଜଣଙ୍କୁ ଗୁରୁ କରିଛି ।

ମୋର ସେହି ଚବିଶ ଗୁରୁ ହେଲେ, ଯାହା ଭାଗବତରେ ବର୍ଣ୍ଣିତ –
ପୃଥିବୀ, ପବନ, ଅନଳ । ଉଦେ୍ଧ୍ୱର୍ ଯେ ଆକାଶ ମଣ୍ଡଳ ।ା
ରବି, ଶଶାଙ୍କ, ଆପ, ସିନ୍ଧୁ । ଭ୍ରମର ସର୍ବ ପୁଷ୍ପବନ୍ଧୁ ।ା
କପୋତ ପକ୍ଷୀ ଗୁରୁ ମୋର । ପତଙ୍ଗ, ସର୍ପ, ଅଜଗର ।ା
ମୀନ, ପିଙ୍ଗଳା ବେଶ୍ୟାନାରୀ । କୁରର, କୁମାର, କୁମାରୀ ।ା
ହରିଣ, ଉର୍ଣ୍ଣନାଭ, କରୀ । ଶରକାରକ, ମଧୁହାରୀ ।ା
ଆବର କୀଟ ପେଶସ୍କାରୀ । ମୁଁ ଏତେ ଗୁରୁ ସେବା କରି ।ା
ଚବିଶ ଗୁରୁ ମୋର ଏତେ । ଶୁଣ ହେ ରାଜା ଏକ ଚିତ୍ତେ ।ା

ଏହି ଗୁରୁମାନଙ୍କଠାରୁ ଯେଉଁ ଯେଉଁ ଶିକ୍ଷା ଲାଭ କରିଛନ୍ତି, ତାହା ଯଦୁରାଜାଙ୍କୁ ବୁଝାଇଛନ୍ତି ।
ପୃଥିବୀ – କ୍ଷମା, ସହନଶୀଳତା, ନମ୍ରତା, ପରୋପକାର ଗୁଣ, ପୃଥିବୀ ମାତାଠୁ ଶିକ୍ଷା କରି ପ୍ରତ୍ୟେକ କ୍ଷେତ୍ରରେ ଅବିଚଳିତ ରହି ନିଜର କର୍ମ କରିବା ଉଚିତ୍ ।
ଭାଗବତ ବାଣୀ – କର୍ମ କଷଣ ସହି ଧୀରେ । ଭ୍ରମଇ ସଂସାର ସାଗରେ ।ା
ପବନ – ବାୟୁ ସମସ୍ତଙ୍କ ଦେହରୁ, ସବୁ ସ୍ଥାନରୁ ସକଳ ଗନ୍ଧ ହରିନିଏ । କେଉଁଠାରୁ ଆସି କେଉଁଠିକି ଯାଏ, କେହି ଦେଖି ପାରନ୍ତିନି । ସେ କାହାରି ସାଥୀରେ କେଉଁଠି ଅଟକିଯାଏନା । ଅବିରତ ପ୍ରବାହିତ ହେଉଥାଏ । କର୍ମ କରିଚାଲିଥାଏ । ତେଣୁ ବାୟୁ ଭଳି କେହି ଇନ୍ଦି୍ରୟାସକ୍ତ ହେବା ଉଚିତ ନୁହେଁ । ସମ୍ମାନ ମିଳୁ ବା ନିନ୍ଦା, ଅପମାନ ମିଳୁ, ଜୀବନଯାତ୍ରାରେ ସଦା ସତ୍ୟପଥରେ ଅଗ୍ରସର ହେବା ଉଚିତ୍ । ଗତି ହିଁ ଜୀବନ, ସ୍ଥାଣୁତା ହିଁ ମୃତୁ୍ୟ ।
ଭାଗବତ ବାଣୀ – କାହାରି ସଙ୍ଗେ ସଙ୍ଗ ନୁହେଁ । ସମେ ବସଇ ସର୍ବଦେହେ ।ା
ଅନଳ – ଅଗ୍ନି ଯେପରି ସଂସାରର ଭିନ୍ନଭିନ୍ନ ବସ୍ତୁ ଭିତରେ ପ୍ରବେଶ କରି ସେହି ବସ୍ତୁର ଆକୃତି ଭଳି ଭିନ୍ନ ଭିନ୍ନ ରୂପ ଧାରଣ କରିଥାଏ, ଠିକ୍ ସେହିପରି ପରମାତ୍ମା ବିିଭିନ୍ନ ରୂପରେ ସକଳ ଜୀବ ଭିତରେ ବିଦ୍ୟମାନ । ପୁଣି କୌଣସି ଦୋଷଗୁଣ ବାଛବିଚାର ନ ରଖି ଅଗ୍ନି ଯେପରି ସବୁ ଭକ୍ଷଣ କରିଥାଏ, ସେହିପରି ବିକାରଶୂନ୍ୟ ହୋଇ ସର୍ବତ୍ର ଭୋଜନ କରିବା ଉଚିତ ।

ବାଳକ – କୋମଳ ବାଳକ ମନରେ ଆପଣା ପର ଭେଦଭାବ ନଥାଏ । ସେହିପରି ପର-ଅପର ବିଚାର ନ କରି ସମସ୍ତଙ୍କ ସାଥୀରେ ରହିବା ଉଚିତ । ବାଳକ ପରି ନିରୀହ, ପବିତ୍ର, ନିଷ୍କପଟ, ସହଜ, ସରଳ, ନିଦେ୍ର୍ଦାଷ, ଭାବରେ ଜୀବନ ଜୀଇଁବା ଉଚିତ । ବାଳକ ତତ୍କ୍ଷଣାତ୍ ସବୁକିଛି ଭୁଲିଗଲା ଭଳି ମନୁଷ୍ୟ ପରର ଦୋଷ ତୃଟି, ଦୁର୍ବଳତାକୁ ଭୁଲିଯିବା ଉଚିତ ।
ଭାଗବତ ବାଣୀ – ବାଳ ସ୍ୱଭାବ ଗୁଣ ବହି । ସଂଗ ଅସଂଗ ନ ଜାଣଇ ।ା

ଆକାଶ – ଆକାଶ ଯେପରି ଅନନ୍ତ, ଅସୀମ, ସେହିପରି ପରମାତ୍ମା ଅନନ୍ତ, ଅସୀମ । ଆକାଶ କେଉଁଠି କମ୍ କେଉଁଠି ବେଶି ନାହିଁ । ଠିକ୍ ସେହିପରି ପରମାତ୍ମା ସବୁଠାରେ ପୂର୍ଣ୍ଣମାତ୍ରାରେ ପରିବ୍ୟାପ୍ତ । ପିମ୍ପୁଡ଼ି ଠାରୁ ହାତୀ ଯାଏଁ, ଗାଈଠାରୁ କୁକୁର ପର୍ଯ୍ୟନ୍ତ ସର୍ବତ୍ର ସମଭାବରେ ପରିବ୍ୟାପ୍ତ । ଏକଥାକୁ ଦୃଷ୍ଟିଦେଇ କାହାରିକୁ ଆଘାତ ଦେବା, କଷ୍ଟଦେବା ଅନୁଚିତ । ପୁନଶ୍ଚ ଶୂନ୍ୟରୁ ଜନ୍ମହୋଇ ମେଘ ଯେପରି ଆକାଶରେ ମିଶିଯାଏ ନାହିଁ, ସେହିପରି ଆତ୍ମା ଦେହ ସହିତ ମିଶେ ନାହିଁ । ଯୋଗୀପରି ଶାନ୍ତ ରହି ପ୍ରକୃତିଜନିତ କୌଣସି ବସ୍ତୁରେ ଲିପ୍ତ ହେବା ଉଚିତ ନୁହେଁ । ସଂସାର ଭିତରେ ଜୀବ ରହୁ, ଜୀବ ଭିତରେ ସଂସାର ନ ରହିବା ଉଚିତ ।

ସୂର୍ଯ୍ୟ – ସୂର୍ଯ୍ୟ ସବୁଠାରୁ ରସ ସଂଗ୍ରହ କରି ବର୍ଷା ଆକାରରେ ଫେରାଇ ଦିଅନ୍ତି । କିରଣପାତରେ ଭଲ ମନ୍ଦର ବିଚାର ନ ଥାଏ । କେହି ଇନ୍ଦି୍ରୟ ରସରେ ଆସକ୍ତ ନ ହୋଇ ସମସ୍ତଙ୍କୁ ସମଭାବ ଦର୍ଶନ ଓ ସଞ୍ଚôତ ଧନ ବଣ୍ଟନରେ ଅକୁଣ୍ଠ ଭାବ ପ୍ରଦର୍ଶନ କରିବା ଉଚିତ । ସୂର୍ଯ୍ୟ ଭଳି କର୍ତ୍ତବ୍ୟନିଷ୍ଠ ଭାବରେ କାର୍ଯ୍ୟ କରିବା ଉଚିତ ।

ଚନ୍ଦ୍ର – ଚନ୍ଦ୍ରର କ୍ଷୟବୃଦ୍ଧି ଘଟିଲେ ମଧ୍ୟ ଚନ୍ଦ୍ରକଳା ଅକ୍ଷୟ । ଜୀବାତ୍ମା ମଧ୍ୟ ଅନୁରୂପ ଭାବେ ଅଜର ଅମର । ତା’ର କ୍ଷୟ ନାହିଁ । ମଣିଷ ଶରୀରର ଜନ୍ମମୃତୁ୍ୟ ଘଟିଲେ ବି ଆତ୍ମା ଅମର, ଅବିନାଶୀ । ଏହା ସମସ୍ତେ ଧ୍ୟାନ ରଖିବା ଉଚିତ ।
ଜଳ – ସ୍ୱଚ୍ଛତା ଓ ମଧୁରତା ଗୁଣକୁ ଜଳଠାରୁ ଶିକ୍ଷା କରାଯିବା ଉଚିତ । ରାଗ, ହିଂସା, ଅହଙ୍କାର, ଛଳନା, କପଟଠୁ ଦୂରରେ ରହି ମନୁଷ୍ୟକୁ ମଧ୍ୟ ସ୍ୱଚ୍ଛ ଓ ମଧୁର ବ୍ୟବହାର ଦ୍ୱାରା ସମସ୍ତଙ୍କୁ ଆପଣାର କରିବା ଉଚିତ ।

ସମୁଦ୍ର – ସମୁଦ୍ରର କ୍ଷୟ ବୃଦ୍ଧି ନାହିଁ । ସାଗର ଗଭୀର, ଉଦାର, ପ୍ରଶସ୍ତ । ତା’ଠାରୁ ଉଦାରତାର, ପ୍ରସନ୍ନତାର ଶିକ୍ଷା ଲାଭ କରିବା ଉଚିତ । ପୂତିଗନ୍ଧମୟ ନର୍ଦ୍ଦମାର ଜଳଠୁ ନଦୀ, ଝରଣାର ମଧୁର ଜଳ ପର୍ଯ୍ୟନ୍ତ ସଭିଙ୍କୁ ଧାରଣ କରିଥାଏ । ଠିକ୍ ସେହିପରି ଜୀବନରେ ଭଲ, ମନ୍ଦ, ସବୁ କିଛିକୁ ଧାରଣ କରିବାର ସାମର୍ଥ୍ୟ ଜଣକୁ ମହାନ୍ କରିଥାଏ ।

ହସ୍ତୀ – ପୁରୁଷ ହସ୍ତୀ ସ୍ପର୍ଶେନ୍ଦ୍ରିୟର ଆସକ୍ତି ଦ୍ୱାରା ହସ୍ତିନୀର ମୋହରେ ପଡ଼ି ନିଜକୁ ବନ୍ଧନରେ ପକାଏ । କୌଣସି ପରିସ୍ଥିତିରେ ବି କେହି ଇନ୍ଦି୍ରୟଲାଳସାର ବଶବର୍ତ୍ତୀ ହେବା ଉଚିତ ନୁହେଁ । ଏହା ଦୁଃଖର କାରଣ ହୋଇଥାଏ ।
ମଧୁମକ୍ଷିକା – ମହୁମାଛିର ସଞ୍ଚôତ ମହୁକୁ ମଣିଷ ନେଇଯାଏ । ବିତ୍ତ ସଞ୍ଚôଲେ ତାହା ଅନ୍ୟ ଲୋକ ଭୋଗକରେ । ଧନ ସଞ୍ଚୟର ଅପ୍ରୟୋଜନୀୟତାକୁ ସମସ୍ତେ ଉପଲବ୍ଧି କରିବା ଉଚିତ । ଉଚିତ୍ ମାର୍ଗରେ ଧନର ପ୍ରୟୋଗ ନିତାନ୍ତ ବା‚ନୀୟ ।

କପୋତ – କୌଣସି ଏକ ବଣର କପୋତ ଦମ୍ପତି ଖାଦ୍ୟ ଅନ୍ୱେଷଣରେ ଯାଇଥିବା ସମୟରେ ଶାବକମାନେ ବ୍ୟାଧର ଜାଲରେ ପଡ଼ିଗଲେ । କପୋତ ଦମ୍ପତି ଅତ୍ୟଧିକ ସ୍ନେହବଶରେ ଶାବକମାନଙ୍କ ପ୍ରତି ଆକୃଷ୍ଟ ହୋଇ ଜାଲ ମଧ୍ୟରେ ନିପତିତ ହେଲେ । ଏଥିରୁ ଜଣାପଡ଼େ ସଂସାର ସହିତ ପ୍ରୀତି କଲେ ମୃତୁ୍ୟ ଅନିବାର୍ଯ୍ୟ । ସଂସାର ପ୍ରତି ଅନାସକ୍ତ ରହି ସଂସାରର ହିତସାଧନ କରିବାକୁ ଲକ୍ଷ୍ୟ କରିବା ଉଚିତ ।

ପତଙ୍ଗ – ଅନଳର ଆକର୍ଷଣରେ ପତଙ୍ଗ ଆକର୍ଷିତ ହୋଇ ବିନାଶପ୍ରାପ୍ତ ହୁଏ । ତେଣୁ ମାୟାଠାରୁ ଦୂରେଇ ରହିବା ଉଚିତ ।

ସର୍ପ – ସାପ କୌଣସି ନିର୍ଦ୍ଦିଷ୍ଟ ସ୍ଥାନରେ ସ୍ଥିର ନ ରହି ବିଭିନ୍ନ ଗର୍ତ୍ତରେ ଅବସ୍ଥାନ କରୁଥିଲେ ମଧ୍ୟ ଅନ୍ୟର ପ୍ରଭାବରେ ପ୍ରଭାବିତ ନୁହେଁ । ମନୁଷ୍ୟ ମଧ୍ୟ ବାହ୍ୟ ପ୍ରଭାବରୁ ନିଜକୁ ଦୂରେଇ ରଖି ଲକ୍ଷ୍ୟ ସାଧନରେ ଆଗେଇଯିବା ଉଚିତ । ପୁନଶ୍ଚ ସର୍ପ ଭୂମି ଉପରେ ବକ୍ର ହୋଇ ଗତି କରୁଥିବା ବେଳେ, ଗର୍ତ୍ତ ବା ବିଳରେ ପ୍ରବେଶ କରିବା ସମୟରେ ସମ୍ପୂର୍ଣ୍ଣ ସିଧା ହୋଇ ପ୍ରବେଶ କରିଥାଏ । ସେହିପରି ମନୁଷ୍ୟ ଯୋଗ ବା ଧ୍ୟାନ ସମୟରେ ସମସ୍ତ ବକ୍ରତାକୁ ବର୍ଜନ କରିବା ଉଚିତ ।

ଭାଗବତ ବାଣୀ – ଶରୀର ରଖଇ ନିରୋଳେ । ସର୍ପ ଯେସନେ ନାନା ବିଳେ ।ା
ଅଜଗର – ଅରଣ୍ୟରେ ସୁଖଦୁଃଖକୁ ସହି ଅଜଗର ପଡ଼ିରହେ । ଆହାରରେ ଅଳ୍ପ ବହୁତ ଭଲମନ୍ଦର ବିଚାର ନ କରି ସନ୍ତୋଷରେ ରହେ । ସମସ୍ତେ ଅଜଗର ପରି ସୁଖଦୁଃଖ ସବୁ ପ୍ରକାର କର୍ମର ବୋଝକୁ ସହ୍ୟ କରିବା ଉଚିତ ।
ଭାଗବତ ବାଣୀ – କର୍ମ କଷଣ ଦେହ ସହେ । ଅରଣ୍ୟେ ଅଜଗର ପ୍ରାୟେ ।ା
ମୀନ – ଜିହ୍ୱା ଲାଳସାର ବଶବର୍ତ୍ତୀ ହୋଇ ମୀନ ବନ୍ଶୀରେ ଧରା ଦେଇ ମୃତୁୃ୍ୟ ବରଣ କରେ । ଆଜିର ସମାଜରେ ଇନ୍ଦି୍ରୟାସକ୍ତ ହୋଇ ମନୁଷ୍ୟ ଅନେକ କଷ୍ଟ ପାଉଛି । ତେଣୁ ଜିହ୍ୱାଲାଳସାରୁ ଦୂରେଇ ରହିବା ଉଚିତ ।
ପିଙ୍ଗଳା ବେଶ୍ୟା – ଧନ ମୋହରେ ଅଙ୍ଗ ବିକିଥିବା “ପିଙ୍ଗଳା’ର ଧନୀ ପୁରୁଷର ପ୍ରତାରଣାରେ ଜ୍ଞାନୋଦୟ ହୋଇଛି । ନିମିଷକେ ଭୋଗ, ଆଶା, ପାର୍ଥିବ ପ୍ରେମ ତ୍ୟାଗ କରି ତା’ ମନରେ ବୈରାଗ୍ୟ ଆସିଛି । ତେଣୁ ବୈରାଗ୍ୟ ହିଁ ପରମ ସୁଖ, ଆସକ୍ତି ନୁହେଁ ।
ଭାଗବତ ବାଣୀ – ମର୍ତ୍ତ୍ୟ ମଣ୍ଡଳେ ଦେହ ବହି । ଦେବତା ହେଲେ ହେଁ ମରଇ ।ା
କୁରର ପକ୍ଷୀ – କୁରର ଯେତେ ପକ୍ଷୀ ମାରେ ଲୋକେ ସେମାନଙ୍କ ମାଂସ ଖାଆନ୍ତି । କୁରର ଶ୍ରମ ବୃଥା ହୁଏ । ଜାଣି ରଖିବା ଉଚିତ୍ ପର ଜୀବନ ହରଣ ନିଜ ପାଇଁ କାଳ ହୁଏ ।
ବ୍ରାହ୍ମଣ କନ୍ୟା – ଧାନ କୁଟିବା ବେଳେ ହାତପିନ୍ଧା କଙ୍କଣରୁ ସୃଷ୍ଟି ହେଉଥିବା ଶବ୍ଦରୁ ବାଧା ଉପୁଜିବାରୁ, କୁମାରୀ ଗୋଟିଏ ପଟ ଲେଖାଏଁ ଚୁଡ଼ି ରଖି ଅନ୍ୟ ସବୁ କାଢ଼ି ଦେବା ଫଳରେ ଶବ୍ଦ ହେଲାନାହିଁ କି ଧାନ କୁଟିବାରେ ଆଉ ଅସୁବିଧା ହେଲାନାହିଁ । ତେଣୁ ବହୁସଙ୍ଗୀରୁ ଦ୍ୱନ୍ଦ୍ୱ ହୁଏ । ନିଃସଙ୍ଗ ଓ ଆତ୍ମସଂଯମ ଜୀବନଯାପନ କରିବା ଶ୍ରେୟସ୍କର ।
ଭାଗବତ ବାଣୀ – ଅନେକ ଲୋକ ଯହିଁ ମିଳି । ଅବଶ୍ୟ ଉପୁଜଇ କଳି ।ା
ଶରକାରକ – ଶରକାରକ ଏକାଗ୍ର ଚିତ୍ତରେ ଶର ସନ୍ଧାନ ବେଳେ ଲକ୍ଷ୍ୟ କରିଥାଏ । ଏକାଗ୍ରତାର ସହ ନିଜ ମନକୁ ନିଶ୍ଚଳ ରଖିଲେ ଉତ୍ତମ ଫଳ ମିଳିଥାଏ ।
ହରିଣ – ଶ୍ରବଣେନ୍ଦି୍ରୟର ଆସକ୍ତି ଦ୍ୱାରା ଶିକାର ହୋଇ ମୃଗ ବ୍ୟାଧ ଦ୍ୱାରା ନିହତ ହୁଏ । ଇନ୍ଦି୍ରୟ ଆସକ୍ତି ବେଳେବେଳେ ବିନାଶର କାରଣ ହୋଇଥାଏ । ଇନ୍ଦି୍ରୟ ସଂଜମ ଜୀବନରେ ସଫଳତା ପ୍ରାପ୍ତି ପାଇଁ ଏକାନ୍ତ ଆବଶ୍ୟକ ।
ଉର୍ଣ୍ଣନାଭ – ରାତି୍ରରେ ବୁଢ଼ିଆଣୀ ନିଜ ମୁହଁରୁ ସୂତା ବାହାର କରି ସେଥିରେ ଆନନ୍ଦରେ ବିହାର କରି ସୂର୍ଯେ୍ୟାଦୟ ବେଳକୁ ତାକୁ ଗିଳିଦେବା ପରି ବ୍ରହ୍ମ ଅର୍ଥାତ୍ ଭଗବାନଙ୍କ ସୃଷ୍ଟି ଓ ସଂହାର ଲୀଳା ମଧ୍ୟ ସେହିପରି ।
ଭ୍ରମର – ଯେପରି ଭ୍ରମର ଗନ୍ଧଦ୍ୱାରା ପ୍ରଭାବିତ ହୋଇ କମଳ ପୁଷ୍ପ ଭିତରେ ଫଶି ଯାଇଥାଏ, ସେହିପରି ନିଜର ଆସକ୍ତି ବା କାମନା ବାସନା କାରଣରୁ ମନୁଷ୍ୟ ହିଁ ସ୍ୱୟଂ ସଂସାରରେ ବନ୍ଦୀ ହୋଇ ରହିଯାଏ, ଯେଉଁଥିରୁ ମୁକ୍ତି ପାଇବା ଅସମ୍ଭବ ହୋଇଥାଏ । ତେଣୁ ସନ୍ନ୍ୟାସୀ ସର୍ବଦା ଏହି ଆସକ୍ତିକୁ ତ୍ୟାଗ କରିବା ଉଚିତ ।
ପେଶସ୍କାରୀ କୀଟ – କୁମ୍ଭାରକୀଟ ବିଭିନ୍ନ କୀଟକୁ ଧରି ଆଣି କବଳିତ କରି ରଖେ । ସେଇ କୀଟ ମୃତୁ୍ୟବେଳକୁ ଭୟରେ କୁମ୍ଭାରିଆର ଚିନ୍ତା କରୁଥିବାରୁ ପରେ ସେ କୁମ୍ଭାରିଆ ପୋକ ହୋଇ ଜନ୍ମଲାଭ କରେ, ଯେପରି ଭରତ ଋଷି ହରିଣ ଜନ୍ମ ପାଇଥିଲେ । ତେଣୁ ସମସ୍ତେ ଅନ୍ତିମ କାଳରେ ପରମାତ୍ମାଙ୍କ ଚିନ୍ତାକଲେ ମୃତୁ୍ୟପରେ ତାଙ୍କ ସହିତ ମିଶିଯାଇପାରିବେ ।
ଏହି ଚବିଶ ଗୁରୁଙ୍କ ବ୍ୟତୀତ କେହିକେହି କଇଁଚ, ଦୁବଘାସ, ଫଳଭରା ବୃକ୍ଷ, ପିମ୍ପୁଡ଼ି, ଉଇ, ପ୍ରଜାପତି ଆଦିଙ୍କଠରୁ ମଧ୍ୟ ଅନେକ ଭଲ ଭଲ ଗୁଣକୁ ଗ୍ରହଣ କରି ଜୀବନରେ ପ୍ରୟୋଗ କରିଥାନ୍ତି । ଅନୁସନ୍ଧାନ ଅବ୍ୟାହତ ରହିଲେ ଆଗକୁ ପ୍ରକୃତି ମଧ୍ୟରୁ ଆହୁରି ଅନେକ ଗୁରୁଙ୍କୁ ଚୟନ କରାଯାଇପାରିବ ।
ଆକାଶରୁ ପତିତ ବୃଷ୍ଟିଜଳ ମାଟି ସଂସ୍ପର୍ଶରେ ଆସିବା ପରେ ଅପରିଷ୍କୃତ ହେବାପରି ଈଶ୍ୱରଙ୍କ ଦ୍ୱାରା ସୃଷ୍ଟି ହୋଇଥିବା ଏହି ମଣିଷର ସାଂସାରିକ କ୍ଷେତ୍ରରେ କୁସଙ୍ଗ ଏବଂ ଈଶ୍ୱଙ୍କ ସତ୍ତାରୁ ଯେ ତା’ର ଉଦ୍ଭବ, ସେ କଥା ସାମୟିକ ଭାବେ ବିସ୍ମରଣଜନିତ କାରଣରୁ ନୈତିକ ସ୍ଖଳନ ଘଟିଥାଏ । ଉପଯୁକ୍ତ ଗୁରୁ ହିଁ କେବଳ ତାର ସୁପ୍ତ ଚେତନାକୁ ଜାଗ୍ରତ କରିପାରନ୍ତି । ଯିଏ ଏହି ସାରା ବିଶ୍ୱର ସ୍ରଷ୍ଟା, ସେହି ତ ଏହି ବିଶ୍ୱ ନାଟକର ରଚୟିତା, ନିଦେ୍ର୍ଦଶକ, ସେହି ଆମ ସବୁ ଆତ୍ମାମାନଙ୍କର ପିତା ପରମାତ୍ମା ଶିବ, ସେହି ତ ଆମ ସମସ୍ତଙ୍କର ଶିକ୍ଷକ ଓ ଏକମାତ୍ର ସଦ୍ଗୁରୁ । ତାଙ୍କରି ଚରଣ ତଳେ ସମସ୍ତେ କାୟମନୋବାକ୍ୟରେ ସମର୍ପିତ ହୋଇ ଆସନ୍ତୁ ପ୍ରାର୍ଥନା କରିବା, “ଏ ବିଶ୍ୱକୁ କରୋନା ମହାମାରୀ କବଳରୁ, ବାତ୍ୟା, ବନ୍ୟା, ଭୂମିକମ୍ପ ପରି ଅନ୍ୟାନ୍ୟ ବିପଦରୁ ରକ୍ଷାକର ପ୍ରଭୁ, ରକ୍ଷାକର !!” ସେହି ଭାଗବତର ଅମର ବାଣୀ ଆଜି ସର୍ବତ୍ର ପ୍ରତିଧ୍ୱନିତ –
ସର୍ବେ ହୋଇବେ ଏକ ମୁଖ । ଡାକିବେ ନାରାୟଣ ରଖ ।ା

Leave A Reply